ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ଦେଶର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଚାଷୀମାନେ ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହା ପୂର୍ବରୁ ଓଡ଼ିଶାରେ ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଭୁବନେଶ୍ଵର, କଟକ, ରାଉରକେଲା, ବାଲେଶ୍ଵର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ପିକେଟିଂ ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାଜ୍ୟରେ ଚକ ଅଖ ଏକପ୍ରକାର ବନ୍ଦ ହୋଇଯାଇଛି।

ଟ୍ଵିନସିଟିରେ ଆଜି ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଭୁବନେଶ୍ଵର ରେଳ ଷ୍ଟେସନରେ ବାମ ଦଳଗୁଡ଼ିକ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ସେଠାରେ ଆନ୍ଦୋଳନକାରୀମାନେ ରେଳରୋକ କରିବା ସହ କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ନାରାବାଜି କରିଛନ୍ତି। ସେହିପରି ବରମୁଣ୍ଡା ବସଷ୍ଟାଣ୍ଡରେ ବସଗୁଡ଼ିକ ଅଟକି ରହିଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି।ମାଷ୍ଟର କ୍ୟାଣ୍ଟିନ ଛକରେ କଂଗ୍ରେସ ଓ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ କରାଯାଇଛି। ଜୟଦେବ ବିହାର ଛକ, ହଂସପାଳ ଛକରେ ମଧ୍ୟ ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରିଛନ୍ତି। ସେହିପରି କଟକରେ ଗାଡ଼ି ଚଳାଚଳ ବନ୍ଦ ରହିବା ସହ ରାସ୍ତାରୋକ କରାଯାଇଛି।

ରାଉରକେଲାରେ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ବିକ୍ଷୋଭ କରାଯାଇଛି। ଫଳରେ ସେଠାରେ ବସ୍ ଚଳାଚଳ ବନ୍ଦ ରହିଛି। ସେହିପରି ଗୁଣୁପୁର ଓଭରବ୍ରିଜ୍ ଉପରେ ସିପିଏମ୍ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି। ରକ୍ସିରେ ମାଲବାହୀ ଟ୍ରେନକୁ ଆନ୍ଦୋଳନକାରୀମାନେ ଅଟକ ରଖିଥିବା ଜଣାପଡ଼ିଛି। ଅନ୍ୟପଟେ ବାଲେଶ୍ଵରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ପିକେଟିଂ ସହ ରାଜରାସ୍ତା ଅବରୋଧ କରିଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଇଛି।

ସମ୍ବଲପୁର ବସ୍ ଷ୍ଟାଣ୍ଡରେ ମଧ୍ୟ ବସଗୁଡ଼ିକ ଅଟକି ରହିଛି। ଏଥିସହ ଦୋକାନ ବଜାର ବନ୍ଦ ରହିଛି। ଜଗତସିଂହପୁରର ବଙ୍ଗଳା ଛକରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଇଛି। ଭବାନୀପାଟଣାରେ ମଧ୍ୟ ବସ୍ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ରାୟଗଡ଼ାରେ ବି ଚକ ଅଖ ବନ୍ଦ ରହିଛି।

Comment