ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୈରାଙ୍ଗ ପାତ୍ର): ଗାଁକୁ ଯିବା ପାଇଁ ନଦୀ ହିଁ ଏକମାତ୍ର ସାହାରା। ଗାଁରୁ ସହର ଯିବାକୁ ମୁଖ୍ୟ ମାଧ୍ୟମ ଦଦରା ଡଙ୍ଗା। ତେବେ ଗୋଟେ କି ଦୁଇଟି ନୁହେଁ ଶତାଧିତ ଲୋକଙ୍କ ଏପରି ଅବସ୍ଥା। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ। ଜିଲ୍ଲାର କୋଷାଗୁମୁଡ଼ା ଓ ନବରଙ୍ଗପୁର ବ୍ଲକର ଲୋକେ ଜୀବନ ଜୀବିକା ପାଇଁ ନିଜର ଜୀବନକୁ ବାଜି ଲଗାଇ ଦେଶୀ ଡଙ୍ଗାରେ ନଦୀ ପାର ହେବା ସତେ ଯେମିତି ନିତିଦିନିଆ କାମରେ ପରିଣତ ହୋଇଯାଇଛି।

ଜିଲ୍ଲାର ଶତାଧିକ ନଦୀକୂଳିଆ ଗ୍ରାମର ଲୋକଙ୍କ ଜୀବନ ବାଜିରେ ଲାଗୁଛି। କାରଣ ଲୋକେ ନଦୀ ପାର ନ ହେଲେ କୌଣସି କାମ ହେଉନି। ନବରଙ୍ଗପୁର ଜିଲ୍ଲା ନଦୀ ସୀମାନ୍ତରେ ଥିବା ଜଗିନିଗୁଡ଼ା, ଦୁଡୁରି ଗୁଡ଼ା, ଘଟାରାଲା ଗୁଡ଼ାବାସୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଏହିସବୁ ଗ୍ରାମର ଅଧିକାଂଶ ଲୋକେ ଜୀବନ ଜୀବିକା ପାଇଁ ପୋଡଶୀ ଜିଲ୍ଲା କୋରାପୁଟ ଉପରେ ନିର୍ଭର କରିଥାନ୍ତି। ଏହି ଅଞ୍ଚଳରୁ ନବରଙ୍ଗପୁର ସହରକୁ ଆସିବାକୁ ହେଲେ ୩୦ କିଲୋମିଟର ପଡୁଥିବା ବେଳେ କୋରାପୁଟ ମାତ୍ର ୧୦ କିଲୋମିଟର ପଡୁଛି। ତେଣୁ ନଦୀ କୂଳର ଅଧିକାଂଶ ଲୋକେ ବେପାର, ବଣିଜ, ସ୍ଵାସ୍ଥ୍ୟସେବା ଆଦି ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଶୀ ଡଙ୍ଗା ଭରସାରେ ନଦୀ ପାର ହୋଇଥାନ୍ତି। ରାସ୍ତା ନଥିବାରୁ ଜରୁରୀକାଳୀନ ପରିସ୍ଥିତିରେ ସେମାନଙ୍କ ପାଖରେ ସରକାରଙ୍କ ସ୍ଵାସ୍ଥ୍ୟସେବା ମଧ୍ୟ ଅପହଞ୍ଚ ହୋଇପଡ଼ିଛି।

ଅନେକ ସମୟରେ ଗର୍ଭବତୀ ମହିଳାମାନେ ପ୍ରସବ ପାଇଁ ଦେଶୀ ଡଙ୍ଗା ସାହାଯ୍ୟରେ ପାଖ ଜିଲ୍ଲାକୁ ଯାଇ ଚିକିତ୍ସତ ହେଉଥିବା ଦେଖିବାକୁ ମିଳିଛି। ଏହି ଦେଶୀ ଡଙ୍ଗାକୁ ସରକାରଙ୍କ ପକ୍ଷରୁ କୌଣସି ଲାଇସେନ୍ସ ମିଳିନଥିବା ବେଳେ ଲାଇଫ ଜ୍ୟାକେଟ ବ୍ୟବସ୍ଥା ମଧ୍ୟ ନାହିଁ। ତେଣୁ ଦଦରା ଡଙ୍ଗାରେ ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହେବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନଥିବା କହିଛନ୍ତି ଗ୍ରାମବାସୀ।

ନଦୀରେ କିଛି ପାଣି କମିଲେ ଗ୍ରାମବାସୀ ମିଶି ନିଜ ଖର୍ଚ୍ଚରେ ବାଉଁଶ ପୋଲ ନିର୍ମାଣ କରି ଥାଆନ୍ତି। ଏହି ବାଉଁଶ ପୋଲ ଦେଇ ଦୁଇ ଚକିଆ ଗାଡ଼ି କିମ୍ବା ସାଇକେଲ ଯାତାୟାତ କରିଥାଏ। କିନ୍ତୁ ସେ ବି ଖୁବ୍ କମ ସମୟ ପାଇଁ। ସରକାର ପକ୍ଷରୁ ହେବାକୁ ଥିବା ପୋଲର ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଛି। ଏହି ନିର୍ମାଣ କାର୍ଯ୍ୟ କେବେ ସରିବ ଓ ଏହି ଅଞ୍ଚଳର ଲୋକଙ୍କ ଦୁଃଖ କେବେ ଦୂର ହେବ ସେ ନେଇ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ନଦୀ ସୀମାନ୍ତ ଗ୍ରାମବାସୀ।

ଜିଲ୍ଲାର ଅନେକ ଘାଟରେ ଡଙ୍ଗାର ଲାଇସେନ୍ସ ନଥିବା ବେଳେ ଦଦରା ଡଙ୍ଗାଗୁଡିକୁ ପ୍ରଶାସନ ପକ୍ଷରୁ ତଦାରଖ କିମ୍ବା ମରାମତି ମଧ୍ୟ କରାଯାଉନାହିଁ। କୌଣସି ଘଟଣା ଘଟିଲେ ତୁରନ୍ତ ଯାଞ୍ଚ କରାଯାଉଥିବା ବେଳେ ତା ପୂର୍ବରୁ ବିଭାଗୀୟ ଅଧିକାରୀମାନେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ସାଧାରଣରେ ଅଭିଯୋଗ ହେଉଛି। ତେଣୁ ରାଜ୍ୟ ସରକାର ତୁରନ୍ତ ଡଙ୍ଗା ଯୋଗାଇ ଦେବା ସହ ଯାତ୍ରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ବାଗିନି ଗୁଡ଼ା, ଦୁଡୁରିଗୁଡ଼ା, ଘଟରାଲା, ଚୁରାହାଣ୍ଡି ଆଦି ଗ୍ରାମବାସୀମାନେ ଦାବି କରିଛନ୍ତି।

Comment