ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର-ଜୟପୁର ଲିଙ୍କ ପୂର୍ବତଟର ନୂତନ ରେଳପଥ ପାଇଁ ଜମି ଅଧିଗ୍ରହଣ ଅଗ୍ରଗତି ବାବଦରେ ଗୁରୁବାର ନବରଙ୍ଗପୁରରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ମିଶନଶକ୍ତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଅଧ୍ୟକ୍ଷତା କରିଥିଲେ। ଆସନ୍ତା ୪୫ ଦିନ ମଧ୍ୟରେ ଏହି ରେଳଲାଇନ ପାଇଁ ଜମି ଅଧିଗ୍ରହଣ କରାଯିବ ନେଇ ବୈଠକରେ ନିଷ୍ପତ୍ତି ହୋଇଛି।

“ମୋଟ୍ ୪୧.୩୫ କିଲୋମିଟରର ରେଳ ଲାଇନ କରାଯିବ। ସେଥିମଧ୍ୟରୁ ନବରଙ୍ଗପୁର ଜିଲ୍ଲା ମଧ୍ୟରେ ରହିବ ୧୧ କିଲୋମିଟର। ଏଥିପାଇଁ ୭୪୭ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ନବରଙ୍ଗପୁର ପଡାଲଗୁଡ଼ା ଅଞ୍ଚଳରୁ ୧୪୯.୯୨୭ ଏକର ଘରୋଇ ଜମି ଓ ୫.୪୧୮ ଏକର ସରକାରୀ ଜମି ଅଧିଗ୍ରହଣ ହେବ। ଏଥିପାଇଁ ମ୍ୟାପ ପ୍ରସ୍ତୁତ ହୋଇସାରିଛି। ଏହି ରେଳ ଲାଇନ ମଧ୍ୟରେ ୯ଟି ବଡ଼, ୫୧ଟି ଛୋଟ ପୋଲ ଓ ୨ଟି ଷ୍ଟେସନ ରହିବ। ୨୦୧୬-୧୭ ମସିହାରୁ ଏହି ପ୍ରକଳ୍ପ ଅନୁମଦିତ ହୋଇସାରିଛି। ତେଣୁ ଯେତେ ଶୀଘ୍ର ଜମି ଅଧିଗ୍ରହଣ ସରିବ ସେତେ ଶୀଘ୍ର କାମ ଆରମ୍ଭ ହେବ”, କହିଛନ୍ତି ସାଂସଦ ରମେଶ ଚନ୍ଦ୍ର ମାଝି।

“ଏହି ରେଳପଥ ନିର୍ମାଣ ପାଇଁ ରାଜ୍ୟ ସରକାର ମାଗଣା ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ତେଣୁ ଆଗାମୀ ୪୫ଦିନ ମଧ୍ୟରେ ଜମି ଅଧିଗ୍ରହଣ କାର୍ଯ୍ୟ ପାଇଁ ଆବଶ୍ୟକ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଏଥିସହ ଜନଶୁଣାଣି କାର୍ଯ୍ୟକ୍ରମ ମଧ୍ୟ ସରିବ”, କହିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର।ସେହିପରି କୋରାପୁଟ ଜିଲ୍ଲାପାଳଙ୍କ ପ୍ରତିନିଧି ଭାବେ ଜୟପୁର ଉପ ଜିଲ୍ଲାପାଳ ଏହି ବୈଠକରେ ଯୋଗ ଦେଇଥିଲେ। ରେଳ ଲାଇନ ପାଇଁ କୋରାପୁଟ ଜିଲ୍ଲାରୁ କେତେ ଜମି ଦିଆଯିବ ସେ ବାବଦରେ ଉପ ଜିଲ୍ଲାପାଳ ବିସ୍ତୃତ ବିବରଣୀ ଦେଇଥିଲେ। ଆସନ୍ତା ଫେବ୍ରୁଆରି ଶେଷ ସପ୍ତାହରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ଅଧ୍ୟକ୍ଷତାରେ କୋରାପୁଟ ଜିଲ୍ଲାରେ ପରବର୍ତ୍ତୀ ବୈଠକ କରାଯିବ। ଏହି ବୈଠକରେ ମାଲକାନଗିରି ଜିଲ୍ଲାର ଅଧିକାରୀମାନେ ମଧ୍ୟ ଯୋଗ ଦେବେ ବୋଲି ଜୟପୁର ଉପ ଜିଲ୍ଲାପାଳ କହିଛନ୍ତି।

ଏହି ବୈଠକରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ସମେତ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର, ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ନିମାଇଁ ଚରଣ ସୁତାର, ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସେ, ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରାଇତ, ଇଷ୍ଟକୋଷ୍ଟ ଜଗଦଲପୁର ଏସଏସଇ (ୱାର୍କ) ଏସ ଗୋପାଲୁଡ, ଦନ୍ତେବାଡା ଇଷ୍ଟକୋଷ୍ଟ (ବାଣିଜ୍ୟ) ଟିଭି ରାମନା, ନନ୍ଦାହାଣ୍ଡି ତହସିଲଦାର, ନବରଙ୍ଗପୁର ତହସିଲଦାର ରବୀନ୍ଦ୍ର କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ଥିଲେ।

Comment