ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତ ଅଧିବେଶନ ବାତିଲ୍ ହେବା ପଛରେ ସଂକ୍ରମଣ ଭୟ ନା ଆଉ କିଛି କାରଣ?

ଭାରତରେ ଯେବେ କରୋନା ସଂକ୍ରମଣ ଶିଖର ଛୁଇଁଥିଲା, ସେତେବେଳେ କୋଭିଡ୍ ଗାଇଡଲାଇନ୍ ସହ ସଂସଦର ମୌସୁମୀ ଅଧିବେଶନ ବସିଥିଲା। କେନ୍ଦ୍ର ସରକାର ଏହି ସମୟରେ କୃଷି ବିଲକୁ ଆଇନରେ ପରିଣତ କରିଥିଲେ। ଏବେ ଭାରତରେ କିନ୍ତୁ କରୋନା ଗ୍ରାଫ୍ ତଳମୁହାଁ; ତଥାପି କେନ୍ଦ୍ର ସରକାର ସଂକ୍ରମଣ ଭୟରେ ଶୀତ ଅଧିବେଶନକୁ ବାତିଲ୍ କରିଦେଇଛନ୍ତି। ତେଣୁ ଏହି ଅଧିବେଶନ ବାତିଲ୍ ପଛରେ କରୋନା ଭୟ ନା ଆଉ କିଛି କାରଣ ଲୁଚି ରହିଛି ତାକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି।

ସରକାର ଚାହିଁଥିଲେ ପୂର୍ବଭଳି କୋଭିଡ୍ କଟକଣା ସହ ସଂସଦର ଶୀତ ଅଧିବେଶନ ବସିପାରିଥାନ୍ତା। ସାଂସଦମାନେ କଟକଣାକୁ ମାନି ସଂସଦକୁ ଆସିଥାନ୍ତେ। ସାମାଜିକ ଦୂରତା, ମାସ୍କ ପିନ୍ଧି ସଂସଦରେ ଆଲୋଚନା ହୋଇଥାନ୍ତା। ହେଲେ ସରକାର ଏସବୁ କିଛି ନକରି ସିଧାସିଧା ଅଧିବେଶନକୁ ବାତିଲ୍ କରିଦେଇଛନ୍ତି। ତେଣୁ ଏହା ପଛରେ ଆଉ କିଛି କାରଣ ଅଛି ବୋଲି ବିରୋଧୀ ଶିବିରରେ ଆଲୋଚନା ହେଉଛି।ଚାଷୀ ଆନ୍ଦୋଳନ ହୋଇପାରେ କାରଣ

କେନ୍ଦ୍ର ସରକାର କରୋନା ସଂକ୍ରମଣ ଭୟରେ ଶୀତ ଅଧିବେଶନକୁ ବାତିଲ କରିଦେଇଛନ୍ତି। ହେଲେ ଏହା ପଛରେ ଚାଷୀ ଆନ୍ଦୋଳନ ହିଁ ପ୍ରମୁଖ କାରଣ ବୋଲି କୁହାଯାଉଛି। କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଏବେ ସିଙ୍ଘୁ ସୀମାରେ ଆନ୍ଦୋଳନ ଚଳାଇଛନ୍ତି। ଏହି ଆଇନର ସମ୍ପୂର୍ଣ୍ଣ ପ୍ରତ୍ୟାହାର ହିଁ ସେମାନଙ୍କର ଏକମାତ୍ର ଲକ୍ଷ୍ୟ। ଏପରି ସ୍ଥିତିରେ ବିରୋଧୀ ଦଳମାନେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଇ ଏହି ଆଇନକୁ ରବ୍ଦ କରିବାକୁ ଦାବି କରୁଛନ୍ତି। ତେଣୁ ଶୀତ ଅଧିବେଶନ ହେଲେ ସରକାର ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇପାରେ। ଏହାକୁ ଆଖି ଆଗରେ ରଖି ଶୀତ ଅଧିବେଶନକୁ ବାତିଲ୍ କରିଦିଆଯାଇଛି ବୋଲି ମତପ୍ରକାଶ ପାଉଛି।

୪୦ ସାଂସଦ ହୋଇଥିଲେ କରୋନା ପଜିଟିଭ୍

ଚଳିତବର୍ଷ କୋଭିଡ୍ କଟକଣା ଭିତରେ ସଂସଦର ମୌସୁମୀ ଅଧିବେଶନ ବସିଥିଲା। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ଆପଣାଯାଇଥିଲା। ଫେସ୍ ସିଲ୍ଡ ପିନ୍ଧିବା ସହ ସାଂସଦମାନଙ୍କର କରୋନା ଟେଷ୍ଟିଂ ହେବା ପରେ ସେମାନଙ୍କୁ ଗୃହରେ ପ୍ରବେଶ ପାଇଁ ଅନୁମତି ମିଳୁଥିଲା। ଏହାସତ୍ତ୍ୱେ ମୌସୁମୀ ଅଧିବେଶନରେ ୪୦ ଜଣ ସାଂସଦ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଯେଉଁ କାରଣରୁ ୮ ଦିନ ପୂର୍ବରୁ ସଂସଦର ମୌସୁମୀ ଅଧିବେଶନକୁ ସ୍ଥଗିତ କରି ଦିଆଯାଇଥିଲା।

ଅଧିବେଶନ ପରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ବି କରୋନାରେ ସଂକ୍ରମିତ ହୋଇଥିଲେ। କିଛି ସାଂସଦଙ୍କ କରୋନାରେ ମୃତ୍ୟୁ ମଧ୍ୟ ହୋଇଥିଲା। ଏହି ଦୃଷ୍ଟିରୁ ଏବେ ଶୀତ ଅଧିବେଶନ ବସିଲେ ସାଂସଦମାନେ ସଂକ୍ରମିତ ହେବେ ବୋଲି କେନ୍ଦ୍ର ସରକାର ଅନୁମାନ କରୁଛନ୍ତି। ତେଣୁ ଶୀତ ଅଧିବେଶନକୁ ବାତିଲ କରାଯାଇଛି ବୋଲି କୁହାଯାଉଛି।

୩୬ ବର୍ଷ ପରେ ବାତିଲ୍ ହେଲା ଶୀତ ଅଧିବେଶନ

ଭାରତୀୟ ରାଜନୈତିକ ଇତିହାସରେ ସଂସଦର ଶୀତ ଅଧିବେଶନ ବାତିଲ ହେବା କିଛି ନୂଆ କଥା ନୁହେଁ। ଏହାପୂର୍ବରୁ ମଧ୍ୟ ତିନିଥର ଶୀତ ଅଧିବେଶନ ବାତିଲ ହୋଇସାରିଛି। ୩୬ ବର୍ଷ ପୂର୍ବେ ୧୯୮୪ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା କାରଣରୁ ସଂସଦର ଶୀତ ଅଧିବେଶନକୁ ବାତିଲ କରାଯାଇଥିଲା। ତା’ପୂର୍ବରୁ ମଧ୍ୟ ୧୯୭୫ ଏବଂ ୧୯୭୯ ମସିହାରେ ସଂସଦର ଶୀତ ଅଧିବେଶନ ବାତିଲ୍ ହୋଇଥିଲା। ତେବେ ଏହା ପଛରେ କେଉଁ କାରଣ ଥିଲା ତାହାର କୌଣସି ତଥ୍ୟ ନାହିଁ। ଚଳିତ ଥର ଭାରତରେ ଚତୁର୍ଥ ଥର ପାଇଁ ଶୀତ ଅଧିବେଶନ ବାତିଲ ହୋଇଛି।କେବେ ବସେ କେଉଁ ଅଧିବେଶନ?

ସଂସଦର ମୋଟ ତିନୋଟି ଅଧିବେଶନ ବସିଥାଏ। ଯାହାକୁ ବଜେଟ୍ ଅଧିବେଶନ, ମୌସୁମୀ ଅଧିବେଶନ ଓ ଶୀତ ଅଧିବେଶନ ବୋଲି କୁହାଯାଏ। ବଜେଟ୍ ଅଧିବେଶନ ଜାନୁଆରି ମାସର ଶେଷ ଆଡକୁ ଆରମ୍ଭ ହୋଇ ଏପ୍ରିଲ୍ ମାସ ଶେଷ କିମ୍ବା ମେ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିଥାଏ।

ସେହିପରି ମୌସୁମୀ ଅଧିବେଶନ ଜୁଲାଇ କିମ୍ବା ଅଗଷ୍ଟ ମାସରୁ ଆରମ୍ଭ ହୋଇ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଏବଂ ଶୀତ ଅଧିବେଶନ ନଭେମ୍ବରରୁ ଡିସେମ୍ବର ଭିତରେ ବସିଥାଏ। ବଜେଟ୍ ଅଧିବେଶନରେ କେନ୍ଦ୍ର ସରକାର ବଜେଟ୍ ଆଗତ କରିବା ସହ ଏଥି ସମ୍ବନ୍ଧୀୟ ବିଭିନ୍ନ ଆଲୋଚନା ଗୃହରେ ହୋଇଥାଏ। ମୌସୁମୀ ଓ ଶୀତ ଅଧିବେଶନରେ ବି ବିଭିନ୍ନ ବିଲକୁ ନେଇ ସରକାର ଏବଂ ବିରୋଧୀ ଦଳଙ୍କ ଭିତରେ ଆଲୋଚନା ହୋଇଥାଏ।

ଦେଶର କରୋନା ଗ୍ରାଫ୍

ଯେତେବେଳେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା ସେତେବେଳେ ଦେଶରୁ ପ୍ରତିଦିନ ୮୦ରୁ ୯୦ ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଥିଲେ। ସଂକ୍ରମଣର ସୀମା ସେତେବେଳେ ଶିଖର ଛୁଇଁଥିଲା। ଏବେ କିନ୍ତୁ ଏହି ସଂଖ୍ୟା ଯଥେଷ୍ଟ କମ୍। ଗତ ୨୪ ଘଣ୍ଟା ଭିତରେ ଦେଶରୁ ମାତ୍ର ୨୫,୧୫୩ ସଂକ୍ରମିତ ଚିହ୍ନଟ ହେଇଛନ୍ତି। ଦେଶର ଆରୋଗ୍ୟ ହାର ମଧ୍ୟ ୯୫ ପ୍ରତିଶତ ଉପରେ ରହିଛି। ଏହାସତ୍ତ୍ୱେ କେନ୍ଦ୍ର ସରକାର ଶୀତ ଅଧିବେଶନକୁ ବାତିଲ୍ କରିବାକୁ ବିରୋଧୀମାନେ ନାପସନ୍ଦ କରିଛନ୍ତି।

Comment