ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ଥାୟୀ ନିଯୁକ୍ତି ଦାବି ନେଇ ଭୁବନେଶ୍ଵର ଲୋୟର ପିଏମ୍‌ଜିରେ ଆଜକୁ ୨୬ ଦିନ ହେବ ଧାରଣାରେ ବସିଛନ୍ତି ହଜାର ହଜାର ଏଏନଏମ ଏବଂ ସ୍ଵାସ୍ଥ୍ୟକର୍ମୀ। ସରକାରଙ୍କ ପାଖରେ ସୋମାନଙ୍କର କେବଳ ଗୋଟିଏ ହିଁ ଦାବି, ‘ଆମକୁ ସ୍ଥାୟୀ ନିଯୁକ୍ତି ଦିଅ’। ଆନ୍ଦୋଳନକୁ ଏତେଦିନ ପୂରିଥିଲେ ମଧ୍ୟ ସରକାର ସେମାନଙ୍କ ଦାବି ଶୁଣୁ ନାହାନ୍ତି। ତେଣୁ ସ୍ଥାୟୀ ନିଯୁକ୍ତି ନମିଳିବା ପର୍ଯ୍ୟନ୍ତ ଧାରଣା ଲାଗିରହିବ ବୋଲି ସ୍ଵାସ୍ଥ୍ୟକର୍ମୀମାନେ ଚେତାବନୀ ଦେଇଛନ୍ତି।

ନଭେମ୍ଵର-ଡିସେମ୍ଵର ମାସର ହାଡଭଙ୍ଗା ଶୀତକୁ ସହି ସ୍ଵାସ୍ଥ୍ୟକର୍ମୀମାନେ ଧାରଣାରେ ଚଳାଇଛନ୍ତି। ଖାଇବା, ପିଇବା, ଶୋଇବା ଆଦି ସବୁକିଛି ଖୋଲା ଆକାଶ ତଳେ। ଏପରିକି କିନ୍ତୁ ସ୍ଥାୟୀ ନିଯୁକ୍ତି ତ ଦୂରର, ଚାକିରିର ପ୍ରତିଶ୍ରୁତି ଦେବାକୁ ମଧ୍ୟ କୋଉ ସରକାରୀ ବାବୁଙ୍କର ଦେଖା ମିଳୁନଥିବା ସ୍ଵାସ୍ଥ୍ୟକର୍ମୀମାନେ ଅଭିଯୋଗ କରିଛନ୍ତି। ଏହାରି ମଧ୍ୟରେ ଦୁଇଜଣ ସ୍ଵାସ୍ଥ୍ୟକର୍ମୀ ଆତ୍ମାହୁତିର ଉଦ୍ୟମ ମଧ୍ୟ କରିଥିଲେ। ତେବେ ଦୀର୍ଘଦିନ ଧରି ଚାଲୁ ରହିଥିବା ଏହି ଆନ୍ଦୋଳନକୁ ବିରୋଧୀ ଦଳମାନେ ସମର୍ଥନ ଦେଉଥିବା ଦେଖିବାକୁ ମିଳିଛି।କାମ ଆଦାୟ ପରେ ଛାଡ଼ିଦେଲେ ସରକାର

ରାଜ୍ୟରେ ଯେତେବେଳେ କରୋନା ସଂକ୍ରମଣ ପିକ୍‌ରେ ଥିଲା, କୋଭିଡ କେୟାର ହୋମ, କ୍ଵାରେଣ୍ଟିନ ସେଣ୍ଟର ଆଦିରେ ସରକାର ସ୍ଵାସ୍ଥ୍ୟକର୍ମୀମାନଙ୍କୁ ୩ ମାସିଆ ଚୁକ୍ତି ଭିତ୍ତିରେ ଚାକିରି ଦେଇଥିଲେ। ତାଲିମଯୁକ୍ତି ଏଏନଏମ ସ୍ଵାସ୍ଥ୍ୟକର୍ମୀଙ୍କୁ ଦୈନିକ ୮୫୦ ଟଙ୍କା ଏବଂ ଷ୍ଟାଫ ନର୍ସମାନଙ୍କୁ ୧୦୦୦ ଟଙ୍କା ଭିତ୍ତିରେ ସ୍ଵାସ୍ଥ୍ୟକର୍ମୀମାନେ ଦିନରାତି କରୋନା ରୋଗୀଙ୍କ ସେବା କଲେ। ଯେତେବେଳେ ପୂରା ଦେଶ କରୋନା ପାଇଁ ଘରେ ରହୁଥିଲା, ସେତେବେଳେ ନିଜ ଘରୁ ଗୋଡ଼ ବାହାର କରି ସ୍ଵାସ୍ଥ୍ୟକର୍ମୀମାନେ ହିଁ ରୋଗୀଙ୍କ ସେବା କରିଥିଲେ।

୩ମାସ ବିତିଗଲା। କିନ୍ତୁ କରୋନା କମିଲା ନାହିଁ। ତେଣୁ ସ୍ଥିତି ସଂପୂର୍ଣ୍ଣ ଠିକ୍ ନହେବା ଯାଏ ସରକାର ଏମାନଙ୍କୁ କାର୍ଯ୍ୟ ଜାରି ରଖିବାକୁ କହିଲେ। କରକାରଙ୍କ ନିର୍ଦ୍ଦେଶ ଅନୁସାରେ ତାହା ବି ହେଲା। ଧୀରେ ଧୀରେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ହେଲା। ଏଥିସହିତ କରୋନା ପାଇଁ ରାଜ୍ୟର ଅର୍ଥନୀତିକୁ ଶକ୍ତ ଧକ୍‌କା ଲାଗିଥିଲା। ତେଣୁ କରୋନା ସ୍ଥିତି କିଛିଟା ସୁଧୁରିବା ପରେ ସରକାର କୋଭିଡ କେୟାର ହୋମ୍, କ୍ଵାରେଣ୍ଟିନ ସେଣ୍ଟର ଆଦି ବନ୍ଦ କରିବାକୁ ନିଷ୍ପତ୍ତି ନେଲେ। କୋଭିଡ ହାର କମିବା ସହ ସ୍ଵାସ୍ଥ୍ୟକର୍ମୀଙ୍କ ଚାକିରି ମଧ୍ୟ କ୍ଷୀଣ ହୋଇଗଲା। କିନ୍ତୁ ସରକାର ତ ଆଗକୁ ହିଁ ସ୍ପଷ୍ଟ କରିଦେଇଥିଲେ କି ଏହା ଚୁକ୍ତିଭିତ୍ତିକ ଚାକିରି ଅଟେ। ତେଣୁ କାମ ସରିଲା ପରେ ସ୍ଵାସ୍ଥ୍ୟକର୍ମୀମାନଙ୍କୁ କାମରୁ ବାହାର କରିଦିଆଗଲା।

କୋଭିଡ ଯୋଦ୍ଧା ସମ୍ମାନ ଦେଇଥିଲେ

କରୋନା ବେଳରେ ଡାକ୍ତର, ନର୍ସ, ସ୍ଵାସ୍ଥ୍ୟକର୍ମୀ, ପୋଲିସ କର୍ମଚାରୀମାନେ କରୋନାର ଭୟଭହତାକୁ ଖାତିର ନକରି ଲୋକଙ୍କ ପାଇଁ କାମ କରିଥିଲେ। ତେଣୁ ଡାକ୍ତର ଏବଂ ପୋଲିସ କର୍ମଚାରୀଙ୍କ ପରି ନର୍ସ ଏବଂ ସ୍ଵାସ୍ଥ୍ୟକର୍ମୀମାନଙ୍କୁ ସରକାର କୋଭିଡ ଯୋଦ୍ଧାର ଆଖ୍ୟା ଦେଇଥିଲେ। ଏମାନଙ୍କର ମନୋବଳ ବୃଦ୍ଧି କରିବାକୁ ତାଳି, ଥାଳି, ଘଣ୍ଟ, ବନ୍ଦେ ଉତ୍କଳ ଜନନୀ ଏବଂ ନିରବ ପ୍ରାର୍ଥନା ଭଳି ସବୁକିଛି ପନ୍ଥା କରିଥିଲେ ସରକାର। ତେଣୁ କେବଳ କୋଭିଡ ଯୋଦ୍ଧା ସମ୍ମାନ ଦେଇ ସରକାର ନିଜ କାମ ସାରି ଚୁପ୍ ବସିଯାଇଥିବା ସ୍ଵାସ୍ଥ୍ୟକର୍ମୀମାନେ ଅଭିଯୋଗ କରିଛନ୍ତି।  ଟିକାକରଣ ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା

ଓଡ଼ିଶାରେ କରୋନା ଟିକାରକଣ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପୂର୍ବରୁ ଏବାବଦରେ କହିଥିଲେ। ଏଥିପାଇଁ ଡିସେମ୍ଵର ୧୫ ତାରିଖରେ ସରକାରଙ୍କ ତରଫରୁ ରାଜ୍ୟ ମେଡିକାଲ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ(ଡିଏମ୍‌ଇଟି)ର ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି ଏବାବଦରେ ସୂଚନା ଦେଇଥିଲେ।

ଡାକ୍ତର ସିବିକେ ମହାନ୍ତି କହିଥିଲେ ଯେ, ଟିକାକରଣର ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦିଆଯିବ। ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀଙ୍କୁ ଅଗ୍ରାଧିକାର ଦିଆଯିବ।

କିଏ ଦେବ ଟିକା?

ଯେବେ ଟିକା ଆସିବ, ତୁରନ୍ତ ରାଜ୍ୟରେ ଟିକାକରଣ କରାଇବାକୁ ସରକାର ଯୋଜନା ରଖିଛନ୍ତି। ଏହି କାର୍ଯ୍ୟକୁ କିପିର ଶୃଙ୍ଖଳିତ ଆକାରରେ କରାଯାଇ ପାରିବ ସେଥିପାଇଁ ନାନା ବ୍ୟବସ୍ଥା ଆପାଣାଇବାକୁ ଯୋଜନା ରଖିଛନ୍ତି ସରକରା। ଏଥିପାଇଁ ରାଜ୍ୟରେ ୨୯, ୨୭୬ ଟିକାକରଣ ସ୍ଥାନ ଚିହ୍ନଟ ହୋଇଛି। ଏହାସହିତ ୮୨୭୬ ଟିକାକର୍ମୀ ଏଥିପାଇଁ ନିୟୋଜିତ ହେବେ ବୋଲି ସରକାର ଆଗରୁ କହିସାରିଛନ୍ତି।

ଏଥିସହିତ ଟିକାକରଣ ପାଇଁ  ଗୋଟିଏ ରାଜ୍ୟସ୍ତରୀୟ, ୯ଟି ଆଞ୍ଚଳିକ, ୩୨ଟି ଜିଲ୍ଲାସ୍ତରୀୟ ଟିକା ଷ୍ଟୋର ରହିବ। ପ୍ରତି ଟିକାକରଣ କେନ୍ଦ୍ରରେ ୫ ଜଣ କର୍ମଚାରୀ ନିୟୋଜିତ ହେବେ। ଟିକା ନେବା ପରେ ଲୋକଙ୍କୁ ୩୦ ମିନିଟ ନିରକ୍ଷଣ କରାଯିବ। ଏହାପରେ ସାର୍ଟିଫିକେଟ ଦିଆଯିବ। ପ୍ରତି ଟିକାକରଣ କେନ୍ଦ୍ରରେ ୫ ଜଣଙ୍କୁ ନିୟୋଜିତ କରାଯିବା ନେଇ ସରକାର ସ୍ପଷ୍ଟ କରିଥିଲେ।

ତେଣୁ ଏଥିରୁ ସ୍ପଷ୍ଟଭାବେ କୁହାଯାଇପାରେ ଯେ, ଟିକାକରଣ ବାବଦକୁ ସରକାରଙ୍କୁ ଅସ୍ଥାୟୀଭାବେ ଅନେକ ସ୍ଵାସ୍ଥ୍ୟକର୍ମୀଙ୍କର ଆବଶ୍ୟକତା ପଡ଼ିବ। ତେଣୁ କରୋନା ସମୟ ପରି ଟିକାକରଣ ବେଳେ ବି ସରକାର ସ୍ଵାସ୍ଥ୍ୟକର୍ମୀମାନଙ୍କୁ ଡାକିପାରନ୍ତି। କିନ୍ତୁ ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନରତ କର୍ମୀମାନେ ସରକାରଙ୍କୁ ପୁଣିଥରେ ବିଶ୍ଵାସ କରି ଟିକାକରଣରେ ଯୋଗଦାନ ଦେବେ କି ନାହିଁ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comment