ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପରୀ ହତ୍ୟା ଘଟଣାରୁ ଉଠିଲା ପରଦା
  • ଅରୁଣ ବୋଥ୍ରା ବଖାଣିଲେ ପୂରା କାହାଣୀ
  • ଏସଆଇଟି ତଥ୍ୟକୁ ମନଗଢ଼ା କହିଲେ ପରୀର ବାପା

ବହୁଚର୍ଚ୍ଚିତ ପରୀ ହତ୍ୟା ରହସ୍ୟ ଉପରୁ ଯେତିକି ପରଦା ହଟୁଛି, ଘଟଣା ସେତିକି ନାଟକୀୟ ମୋଡ଼ ନେଉଛି। ହତ୍ୟା ମାମଲାର ଅଭିଯୁକ୍ତ ନିଜ ଅପରାଧ ସ୍ୱୀକାର କରିଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସୂଚନା ଦେଇଥିଲା ବେଳେ ଅନ୍ୟପକ୍ଷରେ ପରୀର ବାପା ଅଶୋକ ସାହୁ ଅରୁଣଙ୍କ ତଥ୍ୟକୁ ସମ୍ପୂର୍ଣ୍ଣ ମନଗଢ଼ା କାହାଣୀ ବୋଲି କହିଛନ୍ତି। ଏସଆଇଟି ଯାହାକୁ ଅଭିଯୁକ୍ତ ବୋଲି ଦର୍ଶାଉଛି, ପରୀର ପରିବାର ତାକୁ ନିର୍ଦ୍ଦୋଷ ବୋଲି କହୁଛନ୍ତି। ଏଭଳି ସ୍ଥିତିରେ ପ୍ରକୃତ ଦୋଷୀ କିଏ, ସେହି ପ୍ରଶ୍ନ ଆହୁରି ରହସ୍ୟ ସୃଷ୍ଟି କଲାଣି।

‘‘ପରୀ ମାମଲାରେ ଯେଉଁ ପିଲାକୁ ଗିରଫ କରାଯାଇଛି, ସେ ସେଭଳି ପିଲା ନୁହେଁ। ତାକୁ ମୋହରା କରାଯାଉଛି। ଏସଆଇଟି ତଦନ୍ତ ଉପରେ ଆମର ଭରସା ନାହିଁ। ଆମେ ସିବିଆଇ ତଦନ୍ତ ଦାବି କରୁଛୁ’’, କହିଛନ୍ତି ଅଶୋକ ସାହୁ।

ଘଟଣା ଦିନ ପରୀ ଗାଁର ଅନ୍ୟ ଦୁଇ ପିଲାଙ୍କ ସହିତ ଖେଳୁଥିଲା। ସେ ପିଲା କହୁଛନ୍ତି ପରୀକୁ କାହ୍ନୁ ନାୟକ ନେଇଗଲା। ସେ ନେଇ ବାବୁଲି ନାୟକକୁ ଦେଇ ଦେଇଛି। ପରୀର ଅଙ୍ଗ ତସ୍କରୀ କରାଯାଇଛି ବୋଲି ପରୀର ବାପା କହିଛନ୍ତି।

‘‘ଏବେ ଯାହାକୁ ଗିରଫ କରାଯାଇଛି ତାକୁ ମାଡ଼ ମାରି, ଦୋଷ ମୁଣ୍ଡାଇବାକୁ ବାଧ୍ୟ କରାଯାଇଛି। ଯେଉଁ ପ୍ରମାଣ ମିଳିଛି ତାହା ସମ୍ପୂର୍ଣ୍ଣ ମିଛ। ଆମେ ଏହାକୁ ମାନୁ ନାହୁଁ’’, ଏଭଳି କହିଛନ୍ତି ଅଶୋକ ସାହୁ।

ଅନ୍ୟପଟେ ଅଭିଯୁକ୍ତର ମା’ ବି ସମାନ କଥା କହିଛନ୍ତି। ପୁଅକୁ ମାଡ଼ ମାରି, ଧମକ ଦେଇ ଦୋଷ ମୁଣ୍ଡାଇବାକୁ ବାଧ୍ୟ କରିଥିବା ସେ କହିଛନ୍ତି। ଏମିତିକି ଅରୁଣ ବୋଥ୍ରାଙ୍କ ନାଁରେ ନୟାଗଡ଼ ସଦର ଥାନାରେ ସେ ଏକ ଏତଲା ଦାଏର କରିଛନ୍ତି।

ଅରୁଣ ବୋଥ୍ରା କହିଲେ ପରୀ କହାଣୀ

ପରୀ ମାମଲାରେ ତଦନ୍ତ କରୁଥିବା ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରି ହତ୍ୟା ଘଟଣା ଉପରୁ ପରଦା ଉଠାଇଛନ୍ତି। ଅରୁଣ ବୋଥ୍ରାଙ୍କ କହିବା ମୁତାବକ, ପରୀ ଘରଠାରୁ ମାତ୍ର ୧୦୦ ମିଟର ଦୂରରେ ଗିରଫ ହୋଇଥିବା ଅଭିଯୁକ୍ତ ନାବାଳକର ଘର। ନାବାଳକର ସାନ ଭଉଣୀ ପରୀକୁ ସ୍ନେହ କରନ୍ତି। ସେଥିପାଇଁ ପରୀ ନିୟମିତ ତାଙ୍କ ଘରକୁ ଯିବା ଆସିବା କରେ। ଏହାଛଡ଼ା ତାଙ୍କ ବାଡ଼ିରେ ଏକ ଜାମୁକୋଳି ଗଛ ଥିବାରୁ ସେଠାକୁ ପରୀ ସହିତ ଅନ୍ୟ ପିଲାମାନେ ବି ଆସିଥାନ୍ତି।

ଜୁଲାଇ ମାସରେ କିନ୍ତୁ ଲକଡାଉନ ଚାଲିଥିଲା। ସମସ୍ତେ ଘରେ ରହୁଥିଲେ। ସେ ସମୟରେ ପରୀ ଏକୁଟିଆ ତାଙ୍କ ଘରକୁ ଯିବା ଆସିବା କରୁଥିଲା। ଜୁଲାଇ ୧୪ରେ ପରୀ ତାଙ୍କ ଘରକୁ ଯାଇଥିଲା। ନାବାଳକର ସାନ ଭଉଣୀ ଚାକିରି କରୁଥିବାରୁ ସେ ମଧ୍ୟ ୯ଟାରୁ ପଳାନ୍ତି। ପରୀକୁ ଏକୁଟିଆ ପାଇଁ ନାବାଳକ ଜଣକ ତାକୁ ଘରର ଶେଷ ରୁମ୍‌କୁ ନେଇଯାଇଥିଲା। ବାଡ଼ିପଟ ରୁମ୍‌କୁ ନେଇ ସେ ପରୀର ଡ୍ରେସ ଖୋଲିବାକୁ ଚେଷ୍ଟା କରିଥିଲା। ପରୀ କିଛି ଜାଣୁପାରୁନଥିଲେ ମଧ୍ୟ କାନ୍ଦିବା ଆରମ୍ଭ କରିଥିଲା। ପରୀର ପାଟି ବନ୍ଦ କରିବା ପାଇଁ ସେ ତା’ର ତଣ୍ଟି ଚିପିଥିଲା। ଶ୍ୱାସରୁଦ୍ଧ ହୋଇ ପରୀର ମୃତ୍ୟୁ ହେବା ପରେ ନାବାଳକ ଜଣକ ମୃତଦେହ ସହିତ ଦୁଷ୍କର୍ମ କରିଥିଲା। ଏହି ଘଟଣାକୁ ଲୁଚାଇବାକୁ ଯାଇ ଏକ ଅଖା ଭିତରେ ପରୀକୁ ଭର୍ତ୍ତି କରିଥିଲା। ପରୀର ପୋଷକ ବି ତା’ ଭିତରେ ରଖିଥିଲା।

ଅଭିଯୁକ୍ତ ଘର ପାଖରେ ଥିବା ପୋଖରୀ ନିକଟରେ ଏକ ବୁଦା ଭିତରେ ଆଣି ଶବକୁ ରଖିଥିଲା। ନିଜ ଘରୁ ଆଣି ଦୁଇଟି ନଡ଼ିଆ ବାହୁଙ୍ଗା ତା’ଉପରେ ପକାଇଥିଲା। ପରୀର ପ୍ୟାଣ୍ଟ ଘର ଭିତରେ ରହିଯାଇଥିବାରୁ ତାକୁ ନେଇ ପୁଣି ପୋଖରୀରେ ପକାଇଥିଲା।

ମଙ୍ଗଳବାର ଓଡ୍ରାଫ୍‌ ଟିମ୍‌ ସାହାଯ୍ୟରେ ସେହି ଗାଁର ପୋଖରୀକୁ ଶୁଖାଯାଉଛି। ପରୀର ପ୍ୟାଣ୍ଟ ପକାଇଥିବା ଅଭିଯୁକ୍ତ ଜଣକ ସ୍ୱୀକାର କରିଛନ୍ତି। ପର୍ଣ୍ଣୋଗ୍ରାଫି ଦେଖି ଅଭ୍ୟସ୍ତ ହୋଇଥିବାରୁ ସେ ଏଭଳି କାଣ୍ଡ ଭିଆଇଥିବା ଏସଆଇଟି ଆଗରେ ମାନିଛି ଅଭିଯୁକ୍ତ ନାବାଳକ।

ସବୁଠୁ ଆଶ୍ଚର୍ଯ୍ୟର କଥା ନାବାଳକର ନିଜର ସ୍ମାର୍ଟ ଫୋନ୍‌ ନାହିଁ। ସେ ତା’ର ସାନ ଭଉଣୀର ଫୋନ୍‌ ଆଣି ରାତିରେ ଭିଡିଓ ଦେଖି ପୁଣି ଡିଲିଟ କରିଦିଏ। କିନ୍ତୁ ପରୀକୁ ହତ୍ୟା କରିବାର ପୂର୍ବ ଦିନ ପୂରା ରାତି ସେ ଭିଡିଓ ଦେଖିବା ପରେ ତା’ର ମାନସିକତାରେ ଏଭଳି ପରିବର୍ତ୍ତନ ହୋଇଥିବା କହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଅଭିଯୁକ୍ତ ଏହି କାଣ୍ଡ ଘଟାଇବା ପରେ ସେ ୨ ଜଣ ବ୍ୟକ୍ତିଙ୍କୁ ଘଟଣା ସମ୍ପର୍କରେ କହିଥିଲା। ସେମାନଙ୍କ ଭିତରୁ ଜଣେ ବ୍ୟକ୍ତି ଏହି କଥାକୁ ଭିଡିଓ ରେକର୍ଡିଂ କରିଦେଇଥିଲେ। ଏବେ ଏହି ଭିଡିଓକୁ କୋର୍ଟରେ ଉପସ୍ଥାପନ କରାଯିବ। ଏହି ଘଟଣାରେ ଆଉ କିଏ ସାମିଲ ଥିଲେ ଜାଣିବାକୁ ଏସଆଇଟି ଶେଷ ଯାଏଁ ଚେଷ୍ଟା କରିବ କହିଛନ୍ତି ଅରୁଣ ବୋଥ୍ରା।

ଅରୁଣ ବୋଥ୍ରା ପୂର୍ବରୁ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ତଦନ୍ତ କରିଥିଲେ। ଘଟଣାର ମୂଳ ଯାଏଁ ପହଞ୍ଚି ସେ ଦୋଷୀକୁ ଧରିଥିଲେ। ସେତେବେଳେ ଅରୁଣ ବୋଥ୍ରା ବିଭିନ୍ନ ବ ବାଃ ବା ସାଉଣ୍ଟିଥିଲେ। ଏବେ କିନ୍ତୁ ପରୀ ମାମଲାରେ ଅରୁଣ ସାହୁଙ୍କ ତଦନ୍ତ ଉପରେ ପରୀର ପରିବାର ପ୍ରଶ୍ନ ଉଠାଇଛି। ତେବେ ପରୀ ମାମଲାର ସମାଧାନ ହେଉଛି ନା ଏହା ଆହୁରି ଜଟିଳ ଆଡ଼କୁ ଯାଉଛି ସେନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Comment