ଓଡ଼ିଶାଲାଇଭ୍‌ ବ୍ୟୁରୋ

କୃଷି ଓ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ। କୃଷି ଓ କୃଷକଙ୍କୁ ବାଦ ଦେଇ ଜୀବନ ବଞ୍ଚିବା କଷ୍ଟ। ଆଜି ସେହି କୃଷକମାନଙ୍କୁ ସମ୍ମାନ ଜଣାଇ ପାଳିତ ହେଉଛି ଜାତୀୟ କୃଷକ ଦିବସ। ହେଲେ ଯେଉଁମାନଙ୍କ ପାଇଁ ଏହି ଦିବସ ପାଳିତ ହେଉଛି ସେମାନେ ଆଜି ରାଜରାସ୍ତାରେ। ନିଜର ଅଧିକାର ପାଇଁ ଦୀର୍ଘ ୨୭ ଦିନ ହେଲା ସରକାରଙ୍କ ସହ ଲଢ଼ୁଛନ୍ତି ଚାଷୀ। ଶୀତ କାକରରେ ରାତି କାଟି ନୂଆ ଆଇନକୁ ପ୍ରତ୍ୟାହାର କରିବାକୁ ଦାବି ଜାରି ରଖିଛନ୍ତି।

ଅନ୍ୟପଟେ କୃଷକଙ୍କୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଚାଷୀଙ୍କୁ ମନେଇବାରେ ଲାଗିଛନ୍ତି ସରକାର। ଆଜି କୃଷକ ଦିବସ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମସ୍ତ କୃଷକଙ୍କୁ ଅଭିନନ୍ଦନ ଜଣାଇବା ସହିତ ସରକାର କୃଷକମାନଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି। ଖୁବଶୀଘ୍ର ସମାଧାନ ହେବ ବୋଲି ସେ କହିଛନ୍ତି।

‘‘ପୂର୍ବତନ ପ୍ରଧାନମନ୍ତ୍ରୀ ଆଗଧାଡ଼ିର କୃଷକ ନେତା ଚୌଧୁରୀ ଚରଣ ସିଂହଙ୍କ ଜୟନ୍ତୀକୁ କୃଷକ ଦିବସ ଭାବେ ପାଳନ କରାଯାଉଛି। ଅବସରରେ ତାଙ୍କୁ ସ୍ମରଣ କରି ପ୍ରଣାମ ଜଣାଉଛି। ଚରଣ ସିଂହ ଆଜୀବନ କୃଷକମାନଙ୍କ ସମସ୍ୟା ପ୍ରତି ସ୍ୱର ଉଠାଉଥିଲେ ଏବଂ ସେମାନଙ୍କ କଲ୍ୟାଣ ପାଇଁ କାମ କରୁଥିଲେ। ତାଙ୍କର ଯୋଗଦାନକୁ ଦେଶ ସର୍ବଦା ମନେରଖିବ। ଚରଣ ସିଂହ ଚାହୁଁଥିଲେ ଦେଶର କୃଷକମାନଙ୍କ ରୋଜଗାର ବୃଦ୍ଧି ପାଉ, ସେମାନଙ୍କ ଫସଲର ଲାଭକରୀ ମୂଲ୍ୟ ମିଳୁ ଏବଂ କୃଷକଙ୍କ ମାନସମ୍ମାନ ସୁରକ୍ଷିତ ରହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚରଣ ସିଂହଙ୍କ ପ୍ରେରଣାରେ ହିଁ କୃଷକମାନଙ୍କ ହିତରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ପ୍ରଧାନମନ୍ତ୍ରୀ କୌଣସି ପରିସ୍ଥିତିରେ ବି କୃଷକମାନଙ୍କ କ୍ଷତି ହେବାକୁ ଦେବେନାହିଁ’’, କହିଛନ୍ତି ରାଜନାଥ ସିଂହ।

ସରକାର ଚାଷୀଙ୍କ ସହିତ ବାରମ୍ବାର ଆଲୋଚନା କରିବା ପରେ ବି ଚାଷୀ ନିଜ ଜିଦରେ ଅଟଳ ଅଛନ୍ତି। ଚାଷୀଙ୍କର ଗୋଟିଏ ଦାବି କୃଷକ ଆଇନ ପ୍ରତ୍ୟାହାର କରାଯାଉ।

Comment