ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ ଓଡ଼ିଶାରେ ଅପରାଧର ମାତ୍ରା କମିବା ସହ ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣରେ ରହିଛି। ସେହିପରି ମାଓ ମୁକାବିଲା କ୍ଷେତ୍ରରେ ମଧ୍ୟ ଓଡ଼ିଶା ପୋଲିସ ବିଶେଷ ସଫଳତା ହାସଲ କରିଛି। ରବିବାରଠାରୁ ଆରମ୍ଭ ହୋଇଥିବା ୬୨ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀକୁ ସମ୍ବୋଧନ କରି ଏହା କହିଛନ୍ତି ଡିଜିପି ଅଭୟ।

୨୦୨୦ରେ ଓଡ଼ିଶା ପୋଲିସ ବହୁତ ଭଲ ଭାବେ କରୋନା ମୁକାବିଲା କରିଛି। କୋଭିଡ୍ ଲଢ଼େଇରେ ସମ୍ମୁଖ ଯୋଦ୍ଧା ସାଜିଥିବା ୪୭ ଜଣ ପୋଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି। ସେହିପରି ୯ ଶହରୁ ଊର୍ଦ୍ଧ୍ଵ ପୋଲିସ କର୍ମଚାରୀ ପ୍ଲାଜ୍‌ମା ଦାନ କରିଥିବା ଡିଜିପି ସୂଚନା ଦେଇଛନ୍ତି।ଏବର୍ଷ ମାଓ ମୁକାବିଲାରେ ଓଡ଼ିଶା ପୋଲିସକୁ ବିଷେଷ ସଫଳତା ମିଳିଛି। ୨୦୨୦ରେ ୧୭ ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ୨୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହାଛଡ଼ା ସ୍ଵାଭିମାନ ଅଞ୍ଚଳରେ ଓଡ଼ିଶା ପୋଲିସ ନିଜର ସ୍ଥିତି ଦୃଢ଼ କରିପାରିଛି। ଚଳିତବର୍ଷ ଓଡ଼ିଶାରେ ଅପରାଧ ମାତ୍ରା କମିବା ସହ ରେକର୍ଡ ପରିମାଣର ଗଞ୍ଜେଇ ଓ ବ୍ରାଉନସୁଗାର ଜବତ ହୋଇଥିବା ଅଭୟ କହିଛନ୍ତି।

ଆଜିଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ଆସନ୍ତା ୩୦ ତାରିଖ ଯାଏଁ ଚାଲିବ। ଏହି ସମ୍ମିଳନୀରେ ଆଇନ ଶୃଙ୍ଖଳା ପରିସ୍ଥିତି, ରାଜ୍ୟରେ ଅପରାଧ ସ୍ଥିତି, ବାମପନ୍ଥୀ ସନ୍ତ୍ରାସବାଦ, ସଂଗଠିତ ଅପରାଧ, ନିଶାଦ୍ରବ୍ୟ ଚୋରାଚାଲାଣ, ଗୁଣାତ୍ମକ ତଦନ୍ତ, ସଡ଼କ ନିରାପତ୍ତା, ବିନା କାଗଜରେ ଅଫିସ କାର୍ଯ୍ୟ ଭଳି ବିଷୟରେ ଆଲୋଚନା କରାଯିବ। ସେହିପରି ରାଜ୍ୟ ଭିଜିଲାନ୍ସ, କାରାଗାର, ଗୃହରକ୍ଷୀ ଓ ଅଗ୍ନିଶମ ଏବଂ ରାଜ୍ୟ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବ୍ୟାପକ ଭାବେ ଆଲୋଚନା କରାଯିବ। ୩୦ ତାରିଖ ଅର୍ଥାତ୍ ସମ୍ମିଳନୀର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗେ ଦେଇ କାର୍ଯ୍ୟକ୍ରମକୁ ଉଦଯାପନ କରିବେ।

Comment