ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ଆନୁକୂଲ୍ୟରେ ରବିବାରଠାରୁ ବାରବାଟୀ ଷ୍ଟାଡିୟମଠାରେ ଆରମ୍ଭ ହୋଇଛି ଏମ୍‌ଜିଏମ୍ ଓଡ଼ିଶା କ୍ରିକେଟ ଲିଗ୍‌(ଓସିଏଲ୍‌)। ପୂର୍ବତନ ଭାରତୀୟ ଖେଳାଳି ତଥା ଜାତୀୟ ସିନିୟର ଚୟନକର୍ତ୍ତା କମିଟିର ସଦସ୍ୟ ଭାବେ ମନୋନୀତ ହୋଇଥିବା ଦେବାଶିଷ ମହାନ୍ତି ଅତିଥି ଭାବେ ଯୋଗ ଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଏ.କେ.ସାମନ୍ତ, ଉପସଭାପତି ସଞ୍ଜୟ ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ୍ ସଦସ୍ୟ ସୁଭାଶିଷ ସେନାପତି, ଅବକାଶ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଦେବାଶିଷ ମହାନ୍ତିଙ୍କୁ ଓସିଏ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସିଇଓ ସୁବ୍ରତ କୁମାର ବେହେରା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ଓସିଏର ସଦସ୍ୟ ସୁଶାନ୍ତ ଚନ୍ଦ୍ର ମହାନ୍ତି ଉଦ୍‌‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ।

ରବିବାର ଓଡ଼ିଶା ପାନ୍ଥର୍ସ ଏବଂ ଓଡ଼ିଶା ପୁମାସ୍ ମଧ୍ୟରେ ଉଦ୍‌‌ଘାଟନୀ ମ୍ୟାଚ ଖେଳାଯାଇଥିଲା। ଏଥିରେ ଓଡ଼ିଶା ପାନ୍ଥର୍ସ ୯ ୱିକେଟରେ ବିଜୟୀ ହୋଇଛି। ପୁମାସ୍ ଦଳ ପ୍ରଥମେ ବ୍ୟାଟିଂ କରି ୮ ୱିକେଟରେ ୧୪୧ ରନ୍ କରିଥିଲା। ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପନର୍ କାମେଶ୍ୱର ବାରିକ ୧୧ ବଲ୍‌ରୁ ୮ ରନ୍‌, ଅବିନାଶ ନାୟକ ୭ ବଲ୍‌ରୁ ୧ ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟତମ ଓପନର୍ ସନ୍ଦୀପ ପଟ୍ଟନାୟକ ପିଚ୍‌ରେ ରହିଥିଲେ ମଧ୍ୟ ତାଙ୍କୁ ଅନ୍ୟ ବ୍ୟାଟ୍ସମ୍ୟାନଙ୍କଠାରୁ ସହଯୋଗ ମିଳିନଥିଲା। ଅରବିନ୍ଦ ସିଂହ, ଟୁକୁନା ସାହୁ, ପ୍ରତୀକ ଅନୁରାଗ ଦାସ ଖାତା ନ ଖୋଲି ପାଭିଲିୟନ୍ ଫେରିଯାଇଥିଲେ।୭.୩ ଓଭରରେ ମାତ୍ର ୨୩ ରନ୍‌ରେ ପୁମାସ୍ ଦଳ ମୂଲ୍ୟବାନ୍ ୫ ୱିକେଟ୍ ହରାଇ ବସିଥିଲା। ପରେ ପ୍ରୟାସ ସିଂ ଠାକୁର ବ୍ୟାଟିଂ କରି ସନ୍ଦୀପଙ୍କ ସହ ପାଳି ଆଗକୁ ବଢ଼ାଇଥିଲେ। ଉଭୟଙ୍କ ମଧ୍ୟରେ ଷଷ୍ଠ ୱିକେଟରେ ୧୦୭ ରନ୍‌ର ଭାଗିଦାରୀ ହୋଇଥିଲା। ସନ୍ଦୀପ ୪୫ ବଲ୍‌ରୁ ୩ଟି ଚୌକା ସହାୟତାରେ ୪୫ ରନ୍ କରିଥିବା ବେଳେ ପ୍ରୟାସ ୪୦ ବଲ୍‌ରୁ ୭୪ ରନ୍ କରିଥିଲେ। ପ୍ରୟାସଙ୍କ ଏହି ପାଳିରେ ୩ଟି ଛକା ଓ ୭ଟି ଚୌକା ସାମିଲ୍ ଥିଲା।

ପରେ ପ୍ରଶାନ୍ତ ରାଣା ୮ ଓ ଜିତେନ୍ଦ୍ର ଥାନା ୩ ରନ୍ ଯୋଗଦାନ ଦେବା ଯୋଗୁ ପୁମାସ୍ ୨୦ ଓଭର ଖେଳି ସମ୍ମାନଜନକ ୧୪୧ ରନ୍‌ରେ ପହଞ୍ଚିଥିଲା। ପାନ୍ଥର୍ସ ତରଫରୁ ପ୍ରଦୀପ ପ୍ରଧାନଙ୍କୁ ୪ ୱିକେଟ ମିଳିଥିଲା। ଆଲୋକ ସାହୁ ୨ଟି ଓ ବସନ୍ତ ମହାନ୍ତି ଗୋଟିଏ ୱିକେଟ ନେଇଥିଲେ। ବ୍ୟାଟିଂ ପାଳିରେ ପାନ୍ଥର୍ସ ଦଳ ନିର୍ଦ୍ଦାରିତ ବିଜୟଲକ୍ଷ୍ୟକୁ ଅତି ସହଜରେ ହାସଲ କରିନେଇଥିଲା।

ଓପନର ଆଲୋକ ସାହୁ ୧୧ ବଲ୍‌ରୁ ୪ଟି ଚୌକା ବଳରେ ୨୩ ରନ୍ କରି ଆଉଟ୍ ହୋଇଥିବା ବେଳେ ଅଙ୍କିତ ସିଂ ୪୫ ବଲ୍‌ରୁ ୬ଟି ଚୌକା ସହାୟତାରେ ୪୩ ରନ୍ ଏବଂ ସିଦ୍ଧାନ୍ତ କୁମାର ଜେନା ୩୯ ବଲ୍‌ରୁ ୫ଟି ଚୌକା ଓ ୫ଟି ଛକା ବଳରେ ୬୩ ରନ୍ କରି ଦଳକୁ ଜିତାଇଥିଲେ। ପୁମାସ୍‌ର ପ୍ରୟାସଙ୍କୁ କେବଳ ଗୋଟିଏ ୱିକେଟ ମିଳିଥିଲା। ପ୍ରଦୀପ କୁମାର ପ୍ରଧାନ ଏହି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Comment