କପିଳାସ ଭୂୟାଁ

ରମ୍ଭା ପାନ୍ଥ ନିବାସ

ବିଶ୍ଵ ମହାମାରୀ କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ଗତ ମାର୍ଚ୍ଚ ମାସଠାରୁ ଦେଶ ବିଦେଶ ସବୁ ଆଡେ ଲକଡାଉନ କାରଣରୁ ଲୋକମାନଙ୍କ ଜୀବନ ଜୀବିକା ବହୁ ମାତ୍ରାରେ ପ୍ରଭାବିତ ହେଲା। ଏବେ ସୁଦ୍ଧା ବି ତହିଁରୁ ସଂପୂର୍ଣ୍ଣ ମୁକ୍ତି ମିଳିନାହିଁ। ମନ୍ଦିର ଏବେ ଏବେ ଖୋଲିଛି, କିନ୍ତୁ ପ୍ରବେଶ କଟକଣାକୁ ଦୃଷ୍ଟିରେ ରଖି ଭକ୍ତ ସମାଗମ ଉତ୍ସାହଜଣକ ନୁହେଁ। ସିନେମା ହଲ କି ନୃତ୍ୟ ନାଟକ ପରିବେଷଣ କରିବା ପାଇଁ ପ୍ରେକ୍ଷାଳୟ ଖୋଲି ନାହିଁ। ଲକଡାଉନ ପାଇଁ ସର୍ବାଧିକ ଆକ୍ରାନ୍ତ ହୋଇଥିବା ପର୍ଯ୍ୟଟନ ଶିଳ୍ପ ଧୀରେ ଧୀରେ ମୁଣ୍ଡ ଟେକିବାକୁ ଚେଷ୍ଟା କରୁଛି। କିନ୍ତୁ ଆନ୍ତର୍ଜାତିକ ବିମାନ ଚଳାଚଳ ନିୟମିତ ହୋଇ ନଥିବାରୁ କେବଳ ଦେଶ ଭିତରର ପର୍ଯ୍ୟଟକମାନଙ୍କ ଉପରେ ନିର୍ଭର କରି ସ୍ଥିତିକୁ କିଛିଟା ସୁଧାରିବାକୁ ଚେଷ୍ଟା କରାଯାଉଛି।

ସେହି ଅନୁଯାୟୀ ଡିସେମ୍ବର ପ୍ରଥମ ସପ୍ତାହରେ କୋଣାର୍କ ନୃତ୍ୟୋତ୍ସବ ଆୟୋଜନ କରାଯିବା ସହ ଦ୍ଵିତୀୟ ସପ୍ତାହଠାରୁ ଇକୋ ରିଟ୍ରିଟ ଯୋଜନାରେ କୋଣାର୍କ, ଭିତର କନିକା, ହୀରାକୁଦ, ସାତକୋଶିଆ ଓ ଦାରିଙ୍ଗବାଡି ପରି ରାଜ୍ୟର ବଛା ବଛା ପାଞ୍ଚଟି ପ୍ରାକୃତିକ ପରିବେଶରେ ରହି ମଜା ନେବା ବ୍ୟବସ୍ଥା କରି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରାଯାଉଛି। ଆଗକୁ ଜାନୁଆରି ମାସରେ ଜାତୀୟ ଚିଲିକା ପକ୍ଷୀ ଉତ୍ସବ ଆୟୋଜନ କରାଯିବ। ପୂର୍ବରୁ ଏହାକୁ ମଙ୍ଗଳାଯୋଡି ଜାତୀୟ ପକ୍ଷୀ ଉତ୍ସବ ଭାବେ ପାଳନ  କରା ଯାଉଥିଲା। କିନ୍ତୁ ଚିଲିକା ସହ ଯୋଡ଼ି ଏହି ଉତ୍ସବକୁ ଏକକାଳୀନ ମଙ୍ଗଳଯୋଡି, ବରକୁଳ, ନଳବନ ଓ ରମ୍ଭାଠାରେ ଆୟୋଜନ କରାଯିବ। ଏହି ନିଷ୍ପତ୍ତି ବାସ୍ତବରେ ଅଭିନନ୍ଦନୀୟ।

ରମ୍ଭା ଚିଲିକା କୂଳ ଜେଟିରେ ବିଶ୍ରାମ ସ୍ଥାନ

ପର୍ଯ୍ୟଟନ ସହ ସମ୍ପୃକ୍ତ ଯେ କୌଣସି ଉତ୍ସବ ପାଳନ ପାଇଁ ସର୍ବନିମ୍ନ ଭିତ୍ତିଭୂମି ହେଉଛି ସର୍ବାଧିକ ଗୁରୁତ୍ତ୍ୱପୂର୍ଣ୍ଣ। ଭିତ୍ତିଭୂମି କହିଲେ ଯଥେଷ୍ଟ ସଂଖ୍ୟାରେ ଆରାମ ଦାୟକ ହୋଟେଲ ହେଉଛି ସର୍ବ ପ୍ରଥମ ଆବଶ୍ୟକତା। ଉତ୍ସବ ଆୟୋଜିତ ହେବା ଅଞ୍ଚଳରେ ତାହା ଅଛି କି?

ଜେଟି ନିକଟରେ ଥିବା ଭାସମାନ ବ୍ରିଜ

 ଟିକିଏ ଗହୀରେଇକି ଦେଖିଲେ ଆମେ ଜାଣି ପାରିବା ଯେ ଆରାମଦାୟକ ହୋଟେଲ କହିଲେ ଏଭଳି ପ୍ରାୟ ସମସ୍ତ ହୋଟେଲ ଭୁବନେଶ୍ଵର  ଓ ପୁରୀଠାରେ ହିଁ ରହିଛି। କେତୋଟି ହାତ ଗଣତି ହୋଟେଲ ଗୋପାଳପୁରଠାରେ ଅଛି। ଏବେ ଅବଶ୍ୟ ଚିଲିକା ନିକଟରେ କିଛି ହୋଟେଲ ତିଆରି ହୋଇଛି। କିନ୍ତୁ ଯଥେଷ୍ଟ ନୁହେଁ।

ଏହି ପକ୍ଷୀ ଉତ୍ସବରେ ଯୋଗ ଦେବାକୁ ଯେଉଁ ପର୍ଯ୍ୟଟକମାନେ ଆସିବେ ସେମାନେ ହୁଏତ ଭୁବନେଶ୍ଵରଠାରେ ରହି ପ୍ରତ୍ୟେକ ଦିନ ଯିବା ଆସିବା କରି ପାରିବେ। କିନ୍ତୁ ଯେଉଁମାନେ ଉତ୍ସବ ଆୟୋଜନ ଅଞ୍ଚଳରେ ରହିବାକୁ ଚାହିଁବେ, ସେମାନଙ୍କ ପାଇଁ ହାତଗଣତି କେତୋଟି ଘରୋଇ ହୋଟେଲକୁ ଛାଡିଦେଲେ ବାକି ଯାହା ରହିଛି ତା’ ହେଲାବରକୁଳଓ ରମ୍ଭାଠାରେ ଥିବା ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ଵାରା ପରିଚାଳିତ ଦୁଇଟି ପାନ୍ଥ ନିବାସ। କିନ୍ତୁ ଜାତୀୟ ସ୍ତରର ଉତ୍ସବପାଳନ ପରିପ୍ରେକ୍ଷୀରେ ଏହି ଦୁଇଟି ପାନ୍ଥ ନିବାସ ଗୁଣାତ୍ମକ ରହଣି ଓ ଉତ୍କୃଷ୍ଟ ସେବା ଯୋଗାଇବାକୁ ସମର୍ଥ ହେବେତ?ରମ୍ଭା ପାନ୍ଥ ନିବାସ ବଗିଚାରେ ରାଜହଂସମାନଙ୍କ ବିଚରଣ

ଭିତ୍ତିଭୂମି ଦୃଷ୍ଟିରୁ ଦେଖିଲେ ଆଶ୍ଵାସନାର କଥା ହେଉଛି ଯେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଓଡ଼ିଶାର ବଛା ବଛା ୨୦ଟି ପର୍ଯ୍ୟଟନ ସ୍ଥଳୀରେ ପାନ୍ଥ ନିବାସ ରହିଛି। ଏତେ ସଂଖ୍ୟକ ରହଣି ସ୍ଥଳ, ତାହା ପୁଣି ବଛା ବଛା ପର୍ଯ୍ୟଟନ ସ୍ଥଳ ନିକଟରେ ରହିବା ନିଶ୍ଚୟ ଗୁରୁତ୍ଵପୂର୍ଣ୍ଣ। କୌଣସି ଘରୋଇ କମ୍ପାନି ଏହାର ସମକକ୍ଷ ନୁହନ୍ତି।

ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ୧୯୭୯ ମସିହାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକମାନଙ୍କ ଆରାମଦାୟକ ରହଣି ପାଇଁ ପାନ୍ଥ ନିବାସଗୁଡ଼ିକର ପରିକଳ୍ପନା କରା ଯାଇଥିଲା। ସେ ମଧ୍ୟରୁ ଚିଲିକା ହ୍ରଦକୁ ଉପଭୋଗ କରିବା ପାଇଁ ଯେଉଁ ଦୁଇଟି ପାନ୍ଥ ନିବାସ ତିଆରି ହୋଇଥିଲା ସେଥିରୁ ରମ୍ଭା ସ୍ଥିତ ପାନ୍ଥ ନିବାସ ଅନ୍ୟତମ। ସାମଗ୍ରିକ ଦୃଷ୍ଟିରୁ ବିଚାର କଲେ ଅନ୍ୟ କୌଣସି ମାଲିକାନାରେ ଏତେ ସଂଖ୍ୟାରେ ହୋଟେଲ ନାହିଁ। ତେଣୁ ରାଜ୍ୟରେ ଯଦି ପର୍ଯ୍ୟଟନର ବିକାଶ ପାଇଁ ସମୁଚିତ ପଦକ୍ଷେପ ନିଆଯାଏ, ତେବେ ପାନ୍ଥ ନିବାସଗୁଡ଼ିକ ବିନା ତାହା ସମ୍ଭବ ନୁହେଁ।

କିନ୍ତୁ ଏହି ସବୁ ପାନ୍ଥ ନିବାସଗୁଡ଼ିକ କେଉଁ ଅବସ୍ଥାରେ ଅଛି? ମୋଟାମୋଟି ଭାବେ ଏଗୁଡ଼ିକର ଅବସ୍ଥା ଯେ ଭଲ ନୁହେଁ ତାହା ଆମ ସମସ୍ତଙ୍କୁ ଊଣା ଅଧିକେ ଜଣା। ତେବେ ବାସ୍ତବ ସ୍ଥିତି ଜାଣିବା ପାଇଁ ରମ୍ଭା ପାନ୍ଥ ନିବାସକୁ ଭାତ ହାଣ୍ଡିରୁ ଗୋଟିଏ ଭାବେ ଗ୍ରହଣ କରି ଅବସ୍ଥା ଆକଳନ କରାଯାଇପାରେ।

ଜେଟିରେ ବିଶ୍ରାମ ସ୍ଥାନ

ଜାତୀୟ ରାଜପଥ ରମ୍ଭା ବାଇପାସଠାରୁ ବାଁ ପଟେ ପ୍ରାୟ ଅଢେଇ କିଲୋମିଟର ଗଲେ ପଡ଼ିବ ରମ୍ଭା ପାନ୍ଥ ନିବାସ। ମୁଖ୍ୟ ଗେଟ ଦେଇ ପଶିଲା ପରେ ଗୋଟିଏ ଲାମ୍ବା ରାସ୍ତା ଲମ୍ବି ଯାଇଛି ପାନ୍ଥ ନିବାସ ନିକଟକୁ। ରାସ୍ତାର ଉଭୟ ପଟେ ଧାଡ଼ି ଧାଡ଼ି ଗଛ ଓ ଆଲୋକ ବ୍ୟବସ୍ଥା ଯେ କୌଣସି ପର୍ଯ୍ୟଟକ ପାଇଁ ଅତି ଆକର୍ଷଣୀୟ।

ପୂର୍ବରୁ ଥରେ ମୁଁ ଓ ମୋର ବନ୍ଧୁମାନେ ସେଠାକୁ ଯାଇ ରହିଥିଲୁ। ଆମେ ପହଞ୍ଚିଲା ବେଳକୁ ସନ୍ଧ୍ୟା ପ୍ରାୟ ସାତଟା। ଆଗରୁ ରୁମ ବୁକ କରିଥିଲୁ। ଅଭ୍ୟର୍ଥନା ପ୍ରକୋଷ୍ଠ ବା ରିସେପ୍ସନ କାଉଣ୍ଟର ଦାୟିତ୍ଵରେ ଥିବା କର୍ମଚାରୀ ସଙ୍ଗେ ସଙ୍ଗେ ଆମ ପାଇଁ ରୁମ ବ୍ୟବସ୍ଥା କରିଦେଲେ, କିନ୍ତୁ ଅତିଥିମାନଙ୍କୁ ଆନ୍ତରିକ ଭାବେ ସ୍ଵାଗତ କରିବା ପାଇଁ ଯେଉଁ ମନୋବୃତ୍ତି ରହିବା କଥା ତାହା ନଥିବା ପରି ମନେହେଲା। ସ୍ଥାନୀୟ ଲୋକ ହୋଇଥିବାରୁ ଆମେ ସେଥିପ୍ରତି କୌଣସି ଗୁରୁତ୍ଵ ଦେଲୁ ନାହିଁ। କିନ୍ତୁ ବାହାରୁ ଆସିଥିବା ପର୍ଯ୍ୟଟକମାନଙ୍କ ପାଇଁ ପହଞ୍ଚିଲା ପରେ ସେମାନଙ୍କୁ କିପରି ସ୍ଵାଗତ କରାଯାଉଛି ତାହା ଯଥେଷ୍ଟ ଗୁରୁତ୍ଵ ରଖେ।

ପ୍ରଥମ ମହଲାରେ ଆମ ରୁମଗୁଡ଼ିକ ନିକଟକୁ ସିଡ଼ି ଚଢି ଗଲା ବେଳକୁ ଲାଗିଲା ଯେ ଜାଗାଟି ଯଥେଷ୍ଟ ପରିଷ୍କାର ପରିଚ୍ଛନ୍ନ ନୁହେଁ। ସିଡ଼ି ତଳ ଜାଗାଟିରେ ନାନାଦି ଅଦରକାରୀ ଜିନିଷ ପଡି ରହିଛି ଯାହା କି ଅତି ଦୃଶ୍ୟକଟୁ। ରୁମଗୁଡ଼ିକ ଅତି ପ୍ରଶସ୍ତ। କିନ୍ତୁ ଆବଶ୍ୟକତା ମୁତାବକ ଆଲୋକିତ ନୁହେଁ। ଡବଲ ବେଡଟି ଏକ ଆଡିଆ ହୋଇ ବାଥ ରୁମ ପଟକୁ ପଡିଥିଲା ବେଳେ ତାର ବିପରୀତ କାନ୍ଥ ଉପରେ ରହିଛି ଟିଭି ଓ ତା’ ତଳକୁ ଛୋଟ ଟେବୁଲଟିଏ ପଡିଛି। ବାଥ ରୁମର ବିପରୀତ ଦିଗରେ, ଅର୍ଥାତ ରୁମରେ ପଶିବା ପଟେ ରହିଛି ଡ୍ରେସିଂ ଟେବୁଲ ଓ ସେଠାରେ କୌଣସି ଆଲୋକ ବ୍ୟବସ୍ଥା ନାହିଁ। ବାଥ ରୁମ ପାଖକୁ ଲାଗି ରହିଛି ଗୋଟିଏ ପ୍ରଶସ୍ତ ବସିବା ଜାଗା। ସେଠାରେ ରହିଛି ଦୁଇଟି ଚେୟାର ଓ ଗୋଟିଏ ସେଣ୍ଟର ଟେବୁଲ, ଏବଂ ଲୁଗା ରଖିବା କିମ୍ବା ଶୁଖାଇବା ପାଇଁ ଗୋଟିଏ ଆଲଣା। କିନ୍ତୁ ଆଲମାରି କାହିଁ ?

ଜେଟି ନିକଟରୁ ଚିଲିକା ଦୃଶ୍ୟ

ଆଲମାରିଟିଏ ଯେ କୌଣସି ପର୍ଯ୍ୟଟକଙ୍କର ସାଧାରଣ ଆବଶ୍ୟକତା। ଯଦି ଆଲମାରିଟିଏ ନାହିଁ ଜଣେ ପର୍ଯ୍ୟଟକ ତାଙ୍କର ଜିନିଷପତ୍ର କେଉଁଠାରେ ରଖିବେ?

ପଶିବା ଦ୍ଵାରକୁ ଭିତର ପଟୁ ଖୋଲିବା ପାଇଁ ହାଣ୍ଡଲ ନାହିଁ, ଅଛି ଚାରିଟା ବଡ ବଡ ସ୍କୃର ଶେଷ ଅଂଶ। ଡବଲ ବେଡରେ ପଡିଥିବା ବେଡସିଟ ଦିଶୁଛି ଅତି କୋତରା ଓ ମଇଳା। ଦିଆଯାଇଥିବା ତଉଲିଆଗୁଡ଼ିକ ଅତି ପୁରୁଣା। ବେଡସିଟ ଓ ତଉଲିଆଗୁଡ଼ିକୁ ଯେ ନିୟମିତ ଭାବେ ବଦଳାଇ ନୂଆ କିଣା ଯାଏ, ସତେ ଯେମିତି ସେ କଥା ପରିଚାଳନା ଦାୟିତ୍ଵରେ ଥିବା କର୍ମଚାରୀମାନେ ଭୁଲି ଯାଇଛନ୍ତି!

ରମ୍ଭା ପାନ୍ଥ ନିବାସରୁ ଚିଲିକା ଦୃଶ୍ୟ

ରାତି ପାହିଲା ପରେ ଜଣେ ପର୍ଯ୍ୟଟକ ଯଦି ବାଥରୁମ୍ ସଂଲଗ୍ନ ବୈଠକ ସ୍ଥାନକୁ ଯିବେ ଓ ଝରକା ଦେଇ ସାମନାକୁ ଦେଖିବେ ତେବେ ଏତେସବୁ ନଥିବା କଥା ସେ ସମ୍ପୂର୍ଣ ପାସୋରି ଦେବେ। ଚିଲିକା ଛାତିରେ ପ୍ରକୃତିର ଯେଉଁ ଶୋଭା ତାଙ୍କ ଦୃଷ୍ଟିରେ ପଡ଼ିବ ତାହା ସହସା ତାଙ୍କୁ ଆନନ୍ଦରେ ବିଭୋର କରିଦେବ। ପ୍ରକୃତି ସେଠାରେ ପାଲଟି ଯାଇଛି ସତେ ଯେମିତି ଏକ ଅତୁଳନୀୟ ଚିତ୍ରପଟ  ଯାହାର ପରିବେଶ ଅତି ଶାନ୍ତ, ସୁନ୍ଦର ଓ ଆନନ୍ଦମୟ।

ରମ୍ଭା ନିକଟସ୍ଥ ଚିଲିକା ଜେଟିରେ ରହିଥିବା ଡଙ୍ଗା

ରମ୍ଭା ପାନ୍ଥ ନିବାସରେ ରହିଛି ସମୁଦାୟ ୧୮ ଟି ରୁମ ଓ ୬ ଟି କଟେଜ। ଖୁବ ଯତ୍ନ ନିଆଯାଉଥିବା ଏକ ପ୍ରଶସ୍ତ ଓ ସୁନ୍ଦର ମନଲୋଭା ବଗିଚା ଘେରି ରହିଛି କଟେଜଗୁଡ଼ିକୁ। ରୁମରୁ ବାହରି କଟେଜଗୁଡ଼ିକ ପାଖ ଦେଇ ସେହି ସୁନ୍ଦର ବଗିଚାଟି ମଝିରେ ପଡ଼ିଥିବା ରାସ୍ତା ଦେଇ ଚିଲିକା ପାଣିରେ ଥିବା ଜେଟି ପାଖକୁ ଯାଇ ହୁଏ। ସେଠାରୁ ଡଙ୍ଗା କିମ୍ବା ମୋଟର ବୋଟ ଦ୍ଵାରା ଚିଲିକା ଭିତରେ ଥିବା ବ୍ରେକଫାଷ୍ଟ ଆଇଲାଣ୍ଡ, ହନିମୁନ ଆଇଲାଣ୍ଡ, ବାର୍ଡସ ଆଇଲାଣ୍ଡ, ସାନକୁଦା ଆଇଲାଣ୍ଡ କିମ୍ବା ଘଣ୍ଟଶିଳା ପାହାଡ଼ ଖୋଲକୁ ବୁଲି ଯିବା ପାଇଁ ବ୍ୟବସ୍ଥା ରହିଛି।

ବାସ୍ତବ ଦୃଷ୍ଟିରୁ ବିଚାର କଲେ ପର୍ଯ୍ୟଟକମାନଙ୍କ ପାଇଁ ରମ୍ଭା ହେଉଛି ଏକ ଆଦର୍ଶ ପର୍ଯ୍ୟଟନ ସ୍ଥଳୀ। ମନୋରମ ପ୍ରକୃତି ଘେରି ରହିଥିବା ପାନ୍ଥ ନିବାସରେ ଛୁଟି କାଟିବା ପାଇଁ ଯେ କୌଣସି ପର୍ଯ୍ୟଟକ ନିଶ୍ଚୟ ଆକୃଷ୍ଟ ହେବେ। ଏହାର ଭିତ୍ତିଭୂମି ମଧ୍ୟ ଉଚ୍ଚ କୋଟୀର, କିନ୍ତୁ ଆବଶ୍ୟକତା ଅନୁଯାୟୀ ଯତ୍ନ ନିଆଯାଉ ନାହିଁ! ଏହା ଦ୍ଵାରା ପର୍ଯ୍ୟଟକ ଏଠାକୁ ଦ୍ଵିତୀୟ ଥର ଆସିବା କିମ୍ବା ଆଉ କାହାକୁ ଏଠାକୁ ଆସିବା ପାଇଁ କହିବାକୁ ଆଗ୍ରହୀ ହେବେ ନାହିଁ।

ରମ୍ଭା ପାନ୍ଥ ନିବାସର ସୁନ୍ଦର ବଗିଚା ମଧ୍ୟରେ ଥିବା କଟେଜ୍

ତେଣୁ ଜାତୀୟ ଚିଲିକା ପକ୍ଷୀ ଉତ୍ସବ ଆୟୋଜନର ଅବ୍ୟବ୍ୟହିତ ପୂର୍ବରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଉଭୟ ରମ୍ଭା ଓ ବରକୁଳ ଠାରେ ଥିବା ପାନ୍ଥ ନିବାସ ଦୁଇଟିର ଅବସ୍ଥାକୁ ଉନ୍ନତ କରିବା ଅତି ଜରୁରୀ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

Comment