ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ବିନା କରୋନା ପରୀକ୍ଷାରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରାଯାଇପାରିବ। ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ନୁହେଁ। ମନ୍ଦିରକୁ ପ୍ରବେଶ ବେଳେ ସ୍କ୍ରିଂନି କରାଯାଇ ଭକ୍ତମାନଙ୍କୁ ଦର୍ଶନ ପାଇଁ ଭିତରକୁ ଛଡ଼ାଯାଇପାରିବ। ତେବେ ସ୍କ୍ରିନିଂ ବେଳେ ଯେଉଁମାନଙ୍କଠାରେ କୋଭିଡ ଲକ୍ଷଣ ଦେଖାଯିବ କେବଳ ସେମାନଙ୍କୁ କରୋନା ପରୀକ୍ଷା କରାଇବାକୁ ପଡ଼ିବ। ଏନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚଉଧାରୀ ସୂଚନା ଦେଇଛନ୍ତି।

ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ କରୋନା ପରୀକ୍ଷା ବାଧ୍ୟତାମୂଳକ ବୋଲି ବିଏମସି ପକ୍ଷରୁ ବୁଧବାର ସକାଳେ କୁହାଯାଇଥିଲା। ପରିଚୟ ପତ୍ର ସହ କରୋନା ନେଗେଟିଭ୍ ରିପୋର୍ଟ ଆଣିଲେ ହିଁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ବିଏମସି ଅଧିକାରୀ କହିଥିଲେ। କିନ୍ତୁ ପରେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛି ବିଏମସି। ଲିଙ୍ଗରାଜଙ୍କ ଦର୍ଶନ ପାଇଁ କରୋନା ପରୀକ୍ଷା କରାଇବା ବାଧ୍ୟତାମୂଳକ ନୁହେଁ ବୋଲି ପୁଣି ବିଏମସି କମିସନର କହିଛନ୍ତି।

କରୋନା ଯୋଗୁ ଦୀର୍ଘ ୯ ମାସ ଧରି ବନ୍ଦ ରହିବା ପରେ ଗତ ଡିସେମ୍ବର ୨୭ ତାରିଖରୁ ଲିଙ୍ଗରାଜ ମନ୍ଦିର ଖୋଲିଥିଲା। ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କେବଳ ମନ୍ଦିର ସେବାୟତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଥିଲା। ଏହାପରେ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱରବାସୀ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ତେବେ ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ବୟସ କଟକଣା ଲାଗୁ ହୋଇଥିଲା। ୧୦ ବର୍ଷରୁ କମ୍ ବୟସର ଶିଶୁ ଏବଂ ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ବାରଣ କରାଯାଇଥିଲା। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଆଜି ବିଏମସି ଏହି କଟକଣା ହଟାଇବା ପରେ ଶ୍ରଦ୍ଧାଳୁମାନେ ଖୁସି ବ୍ୟକ୍ତ କରିଛନ୍ତି।

Comment