ଓଡ଼ିଶାଲାଇଭ୍ ବ୍ୟୁରୋ

ଚନ୍ଦୁ ମୋର୍ଯ୍ୟ ନାମକ ଏହି ଯୁବକ ତାଙ୍କ ଦୁଇ ପ୍ରେମିକାଙ୍କୁ ଏକାସଙ୍ଗେ ବିବାହ କରିଛନ୍ତି।

ଗୋଟିଏ ବରକୁ ଦୁଇ କନିଆ; ସୋସିଆଲ୍ ମିଡିଆରେ ଏଭଳି ଏକ ବାହାଘରକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଯେଉଁଥିରେ ଜଣେ ଯୁବକ ଏକାସଙ୍ଗେ ତା’ ଦୁଇ ଜଣ ପ୍ରେମିକାଙ୍କୁ ବେଦୀରେ ବସି ବାହାହେଇଛନ୍ତି। ଛତିଶଗଡ଼ ମାଓବାଦୀ ପ୍ରଭାବିତ ବସ୍ତର ଅଞ୍ଚଳର ଏହି ବିବାହ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଚନ୍ଦୁ ମୋର୍ଯ୍ୟ ନାମକ ଏହି ଯୁବକ ଜଣକ ତା’ ଦୁଇ ପ୍ରେମିକା ସୁନ୍ଦରୀ କଶ୍ୟପ ଓ ହସୀନା ବାଘେଲଙ୍କୁ ରବିବାର ଏକାସଙ୍ଗେ ବେଦୀରେ ବସି ବାହାହେଇଛନ୍ତି। ଏହି ବିବାହରେ ତିନିଜଣ ବରକନ୍ୟା ଖୁସି ଥିବା ସହ ତାଙ୍କର ଆଦିବାସୀ ସମାଜ ମଧ୍ୟ ଏହାକୁ ସ୍ୱୀକୃତି ପ୍ରଦାନ କରିଛି। ଚନ୍ଦୁ ମୋର୍ଯ୍ୟ କହିଛନ୍ତି, “ମୁଁ ଦୁଇଜଣ ଝିଅଙ୍କୁ ପ୍ରେମ କରୁଥିଲି। କାହାକୁ ବି ଧୋକା ଦେବାକୁ ଚାହୁଁନଥିଲି। ଏହାକୁ ନେଇ ମୋ ମନରେ ଟିକେ ଆଶଙ୍କା ଥିଲା ହେଲେ ମୋ ଦୁଇ ପ୍ରେମିକା ମତେ ବିବାହ କରିବାକୁ ରାଜି ହୋଇଯାଇଥିଲେ। ଏହାପରେ ମୁଁ ସେମାନଙ୍କୁ ମୋ ଜୀବନସାଥୀ କରିଛି।”

ସେହିପରି ଚନ୍ଦୁଙ୍କ ଦୁଇ ପତ୍ନୀ ସୁନ୍ଦରୀ ଓ ହସିନୀ ମଧ୍ୟ ଏହି ବିବାହକୁ ନେଇ ଖୁସି ଥିବା ସହ ତିନିଜଣ ମିଳିମିଶି ସଂସାର କରିବେ ବୋଲି କହିଛନ୍ତି।

ପ୍ରଥମ ଦେଖାରୁ ପ୍ରେମ

ଛତିଶଗଡ଼ର ମୁରିୟା ଜନଜାତିର ଚନ୍ଦୁ ମୋର୍ଯ୍ୟ ଲୋହଙ୍ଗା ଗାଁରେ ବସବାସ କରିଥାନ୍ତି। ସେଠାରେ ସେ ନବମ ଶ୍ରେଣୀ ପାସ୍ କରିବା ପରେ ଏବେ ଚାଷବାସ କାମ କାମ କରୁଛନ୍ତି। ଚନ୍ଦୁଙ୍କ କହିବାନୁଯାୟୀ, ଗତ ତିନି ବର୍ଷ ତଳେ ସେ ପ୍ରଥମ କରି ସୁନ୍ଦରୀକୁ ଭେଟିଥିଲେ। ପ୍ରଥମ ଦେଖାରେ ହିଁ ସେ ସୁନ୍ଦରୀଙ୍କ ପ୍ରେମରେ ପଡ଼ିଯାଇଥିଲେ ଏବଂ ତାଙ୍କୁ ମନର କଥା କହିଦେଇଥିଲେ। ସୁନ୍ଦରୀ ମଧ୍ୟ ଚନ୍ଦୁଙ୍କ ପ୍ରେମ ନିବେଦନ ଗ୍ରହଣ କରିବା ସହ ତାଙ୍କୁ ଭଲପାଇବା ଆରମ୍ଭ କରିଥିଲେ।ନିଜ ଗାଁ ଝିଅ ହସୀନା ସହ ବି ପ୍ରେମ

ସୁନ୍ଦରୀକୁ ଭଲ ପାଇବାର କିଛି ବର୍ଷ ପରେ ଚନ୍ଦୁ ତାଙ୍କରି ଗାଁ’ର ୨୦ ବର୍ଷୀୟ ଝିଅ ହସୀନା ବଘେଲକୁ ଭେଟିଥିଲା। ଦୁହେଁ ଗୋଟିଏ ବିବାହ କାର୍ଯ୍ୟକ୍ରମରେ ପରସ୍ପରକୁ ଭେଟିବା ସହ ପ୍ରେମରେ ପଡ଼ିଯାଇଥିଲେ। ଚନ୍ଦୁ ଏହି ସମୟରେ ହସୀନାକୁ ତା’ ପ୍ରଥମ ପ୍ରେମ ସୁନ୍ଦରୀ କଥା କହିଥିଲା। ଏହାସତ୍ତ୍ୱେ ମଧ୍ୟ ଦୁହେଁ ପରସ୍ପରକୁ ସେପରି ଭଲପାଇଥିଲେ।

କିଛି ଦିନ ପରେ ହସୀନା ନିଜ ଘର ଛାଡ଼ି ଆସି ଚନ୍ଦୁ ପାଖରେ ରହିବାକୁ ଲାଗିଲା। ସେଠାକାର ଜନଜାତି ସମ୍ପଦ୍ରାୟରେ ଏଭଳି ନିୟମ ଥିବାରୁ ଦୁହେଁ ଏକାଠି ରହିବାକୁ ଲାଗିଥିଲେ। ଏହା ଜାଣିବା ପରେ ସୁନ୍ଦରୀ ମଧ୍ୟ ନିଜ ଘର ଛାଡ଼ି ଆସି ଚନ୍ଦୁ ପାଖରେ ପହଞ୍ଚିଥିଲା।

ଚନ୍ଦୁଙ୍କ କହିବାନୁଯାୟୀ, ତାଙ୍କ ଦୁଇ ପ୍ରେମିକା ତାଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ। ପ୍ରଥମେ ପ୍ରଥମେ ସେ ରାଜି ହୋଇନଥିଲେ ମଧ୍ୟ ଶେଷରେ ସେ ମଧ୍ୟ ଏହି ବିବାହ ପାଇଁ ରାଜି ହୋଇଯାଇଥିଲେ। ଶେଷରେ ଗତ ରବିବାର ଦିନ ତିନିଜଣ ବେଦୀରେ ବସି ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି।ଣ କହୁଛି ନିୟମ?

ଛତିଶଗଡ଼ର ଆଦିବାସୀ ନେତା ପ୍ରକାଶ ଠାକୁରଙ୍କ କହିବା ଅନୁସାରେ ତିନିଜଣ ଯାକ ବର,କନ୍ୟା ସାବାଳକ ଅଟନ୍ତି। ତା’ସହ ସମସ୍ତେ ସେଠାକାର ମୂରିୟା ଜନଜାତିର ମଧ୍ୟ। ଏହି ଜନଜାତି ସମାଜରେ ବହୁପତ୍ନୀ ବିବାହ ପ୍ରଚଳିତ ଅଛି। ତେଣୁ ସେଠାକାର ଆଦିବାସୀ ସମାଜ ଏହାକୁ ଗ୍ରହଣ କରିଛି।

ଅନ୍ୟପଟେ ଛତିଶଗଡ଼ ହାଇକୋର୍ଟର ଓକିଲ ପ୍ରିୟଙ୍କା ଶୁକ୍ଲା କହିଛନ୍ତି ଯେ, ହିନ୍ଦୁ ବିବାହ ଆଇନ୍,୧୯୫୫ରେ ଏଭଳି ଅନେକ ନିୟମ ଜନଜାତିଙ୍କ ପାଇଁ ଲାଗୁ ହେଉନାହିଁ। ହିନ୍ଦୁ ବିବାହ ଆଇନର ଧାରା ୨(୨) ଅନୁଯାୟୀ ତାଙ୍କୁ ନିଜର ପରମ୍ପରା ହେତୁ ଏଥିରୁ ବାଦ୍ ଦିଆଯାଇଛି।

Comment