ଓଡ଼ିଶାଲାଇଭ୍‌ ବ୍ୟୁରୋ

୪ ମାସର ବକେୟା ଦରମା ଦାବିରେ ଧାରଣାରେ ବସିଥିବା ନବରଙ୍ଗପୁର ସାଉଥକୋ ଡିଭିଜନ ଅଧୀନରେ କାର୍ଯ୍ୟରତ ଠିକା ବିଦ୍ୟୁତ କର୍ମଚାରୀ ଧାରଣାରୁ ଉଠିଛନ୍ତି। ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର କୁମାର ଗଇପାଇ, ସାଉଥକୋ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ, ଏହି କର୍ମଚାରୀଙ୍କୁ ନିୟୋଜିତ କରିଥିବା ଦୁଇଟି ଠିକା ସଂସ୍ଥା ଆନ୍ଦୋଳନରତ ଠିକା କର୍ମଚାରୀଙ୍କୁ ବୁଝାସୁଝା କରିବା ପରେ ସେମାନେ ଧାରଣାରୁ ଉଠିଛନ୍ତି। ୧୩ ତାରିଖ ସୁଦ୍ଧା ସେପ୍ଟେମ୍ବର, ଅକ୍ଟୋବର ଦୁଇ ମାସର ବକେୟା ଦରମା ଦିଆଯିବ। ଏଥିସହିତ ଜାନୁଆରି ୩୧ ତାରିଖ ସୁଦ୍ଧା ଡିସେମ୍ବର ପର୍ଯ୍ୟନ୍ତ ଯାହା ବକେୟା ଦରମା ରହିଥିବ ତାକୁ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଧାରଣାକୁ ସ୍ଥଗିତ ରଖିଛନ୍ତି ଠିକା କର୍ମଚାରୀ।

ନବରଙ୍ଗପୁର ଡିଭିଜନ ସମ୍ପାଦକ ଜେ ରାମରାଜୁ ଏବଂ ସହ ସମ୍ପାଦକ ରମାକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲାର ମୋଟ ୨୧୩ ଜଣ ଠିକା କର୍ମଚାରୀ ଦୁଇ ଦିନ ହେଲା ଧାରଣାରେ ବସିଥିଲେ। ଡିଭିଜନ ସମ୍ପାଦକ ରାମରାଜୁଙ୍କ କହିବାନୁଯାୟୀ ଏହି ଠିକା କର୍ମଚାରୀମାନଙ୍କୁ ୪ମାସ ହେବ ଦରମା ଦିଆଯାଇନାହିଁ। ନିୟମିତ ଦରମା ମିଳୁନଥିବା ବେଳେ ପ୍ରତି ମାସରେ ଦରମା ପାଇଁ ଦାବି କଲେ ସେହି ସମୟରେ କେବଳ ଗୋଟିଏ ମାସର ହିଁ ଦରମା ଦେଇ କର୍ତ୍ତୃପକ୍ଷ କର୍ମଚାରୀଙ୍କୁ ଭୁଆଁ ବୁଲାଉଛନ୍ତି। ଦରମା ନପାଇବାରୁ  ନିଜ ନିଜ ପିଲା ଛୁଆ ନେଇ ପରିବାର ଚଳାଇବା ବହୁ କଷ୍ଟକର ହୋଇ ପଡୁଛି। ତେଣୁ ବକେୟା ଦରମା ଟଙ୍କା ପ୍ରଦାନ କରିବା ପରେ ହିଁ ସେମାନେ ଧାରଣରୁ ହଟିବେ ବୋଲି କହିଥିଲେ।

ସେହିଭଳି ସମାନ କାମକୁ ସମାନ ଦରମା ଓ ଅସ୍ଥାୟୀ ବିଦ୍ୟୁତ କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି କରାଯାଉ ବୋଲି କର୍ମଚାରୀମାନେ କହିଥିଲେ। ଅନ୍ୟପଟେ ୩୧ ତାରିଖ ସୁଦ୍ଧା ଆମ ସବୁତକ ବକେୟା ଦରମା ଦିଆଯାଏ ତାହେଲେ ୧ ତାରିଖରୁ ପୁଣି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବା ସହିତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ଏହି ଧାରଣାରେ ନବରଙ୍ଗପୁର ଡିଭିଜନ ସମ୍ପାଦକ ଜେ ରାମରାଜୁ, ସହ ସମ୍ପାଦକ ରମାକାନ୍ତ ମହାନ୍ତି, ଡିଭିଜନ ଅର୍ଗାନାଇଜର ରଶ୍ମିରଞ୍ଜନ ମିଶ୍ର, କୋଷାଧ୍ୟକ୍ଷ ସୁଧାଂଶୁ ପ୍ରଧାନ, ସେକ୍ସନ ଅର୍ଗାନାଇଜର ଜ୍ୟୋତି ରଞ୍ଜନ ନାୟକ, ସବ୍ଡିଭିଜନ ସମ୍ପାଦକ ଶୁଭେନ୍ଧୁ ରାଉତ ପ୍ରମୁଖଙ୍କ ସମେତ ବହୁ ଠିକା ବିଦ୍ୟୁତ କର୍ମଚାରୀ ସାମିଲ ହୋଇଥିଲେ।

Comment