ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତାଲପଦର ଗ୍ରାମରେ ବିଜୁ ସେତୁ ଭୁଶୁଡ଼ିବା ଘଟରଣାରେ ସୋମବାର ତଦନ୍ତ ଆରମ୍ଭ ହୋଇଛି। ଗ୍ରାମ ଉନ୍ନୟନ ବିଭାଗର ସୁପେରିଟେଣ୍ଡେଣ୍ଟ୍ ଅଫ ଇଂଜିନିୟର ପ୍ରଦୀପ ଜେନା ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ପ୍ରାଥମିକ ତଦନ୍ତ କରିବା ପରେ ସେ କହିଛନ୍ତି ଯେ, ସେଟରିଂ କରିବା ପୂର୍ବରୁ ଏହାତଳେ ଯେଉଁ କଂକ୍ରିଟ ଦିଆଯାଏ ତାହା ଠିକ ଭାବେ ନଥିଲା। ଏହି କାରଣରୁ ଦୁର୍ଘଟଣା ଘଟିଛି। ଏହି ସେତୁ ନିର୍ମାଣ ସମୟରେ ନିମ୍ନ ମାନର ସାମଗ୍ରୀ ବ୍ୟବହାର ହୋଇଛି କି ନାହିଁ ଏବଂ କେଉଁ କାରଣରୁ ଏମିତି ଘଟିଛି  ତାହା ଅଧିକ ତଦନ୍ତ ହେଲା ପରେ ହିଁ ଜଣାପଡ଼ିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଗ୍ରାମବାସୀମାନେ ଏହି ପୋଲ୍ କାମ ନିମ୍ନ ମାନର ହେଉଥିବା ନେଇ ଅଭିଯୋଗ କରିଛନ୍ତି। ଠିକାଦାର ଜାଣିଶୁଣି ମାଟି ମିଶା ବାଲି ଓ ଟାଣ ସିମେଣ୍ଟ ବ୍ୟବହାର କରୁଥିବାରୁ ବ୍ରିଜ୍ ଦୁର୍ବଳ ହୋଇ ଭାଙ୍ଗି ଯାଇଥିବା ସେମାନେ କହିଛନ୍ତି।ଗତକାଲିର ଏହି ଘଟଣା ପରେ ଉମରକୋଟ ଥାନାରେ ପ୍ରଶାସନ ପକ୍ଷରୁ ଏକ ଏତଲା ଦିଆଯାଇଛି। ଏଥିରେ ଠିକାଦାର ଆଶିଷ ବିଶ୍ୱାଳ, ଏସିଡିଓ ନିରଞ୍ଜନ ସାହୁ ଏବଂ ଜେଇଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହୋଇଛି। ତେବେ ଖୁବଶୀଘ୍ର ଏକ ଉଚ୍ଚ ସ୍ଥରୀୟ ତଦନ୍ତ କରି ସାରିବା ପରେ ସରକାରଙ୍କୁ ଏହାର ରିପୋର୍ଟ ପ୍ରଦାନ କରାଯିବ ବୋଲି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି।ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତାଲପଦର ଗ୍ରାମ ନିକଟରେ ବିଜୁ ସେତୁ ଯୋଜନାରେ ଏକ ପୋଲ ନିର୍ମାଣ ହେଉଥିଲା। ଏହି ବ୍ରିଜ୍ ଦ୍ୱାରା ଜନୀଗୁଡାଠାରୁ ତାଲାପଦରକୁ ରାସ୍ତା ସଂଯୋଗ ହୋଇଥାନ୍ତା। ଏହି ପ୍ରକଳ୍ପର ମୋଟ ଅଟକଳ ମୂଲ୍ୟ ୨କୋଟିରୁ ଅଧିକ ଥିଲେ ମଧ୍ୟ ଠିକାଦାର ଜାଣିଶୁଣି ଏଥିରେ ଘୋଟାଲା କରୁଥିଲେ। ଯାହାର ଫଳସ୍ୱରୂର ଗତକାଲି ସନ୍ଧ୍ୟା ସାଢ଼େ ୫ଟାରେ ପୋଲର ନିର୍ମାଣ ହେଉଥିବା ବେଳେ ଏହା ଭୁଶୁଡ଼ି ପଡ଼ିଥିଲା। ଏଥିରେ ୭ ଜଣ ଘଟଣା ସ୍ଥଳରେ ଆହତ ହୋଇଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ କିନ୍ତୁ ଜଣେ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ଉମରକୋଟ ପୋଲିସ, ଉମରକୋଟ ଦମକଳ ବାହିନୀ ଏବଂ କୋରାପୁଟରୁ ଆସିଥିବା ଓଡ୍ରାଫ ଟିମଙ୍କ ମିଳିତ ଉଦ୍ୟମରେ ରାତି ୩ଟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା।

Comment