ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଭିନ୍ନ ରାଜ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦ ତୁଲାଇ ସଫଳତା ପାଇଛନ୍ତି ଓଡ଼ିଆ।

୧୯୯୨ ବ୍ୟାଚ୍‌ର ଛତିଶଗଡ଼ କ୍ୟାଡରର ଓଡ଼ିଆ ଆଇଏଏସ୍‌ ସୁବ୍ରତ ସାହୁ ଛତିଶଗଡ଼ର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି। ଛତିଶଗଡ଼ର ମୁଖ୍ୟ ଶାସନ ସଚିବ ଅମିତାଭ ଜୈନଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ସୁବ୍ରତ ସାହୁଙ୍କୁ ଅତିରିକ୍ତ ଭାବେ ଏହି ଦାୟିତ୍ୱ ମିଳିଛି।

ସୁବ୍ରତ ସାହୁ ଏବେ ଭୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ତୁଲାଉଛନ୍ତି। ଏହାସହିତ ଗୃହ, ଜେଲ ପ୍ରଶାସନ, ଶକ୍ତି, ଆଇଟି, ବାଣିଜ୍ୟ ଏବଂ ଶିଳ୍ପ ଆଦି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ତୁଲାଉଛନ୍ତି। ଏହାପୂର୍ବରୁ ସେ ଛତିଶଗଡ଼ର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରିସାରିଛନ୍ତି। ତେବେ ସୁବ୍ରତ ସାହୁଙ୍କ ଭଳି ବହୁ ଓଡ଼ିଆ ବିଭିନ୍ନ ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହି ନିଜର ଅନନ୍ୟ ପାରଦର୍ଶିତା ଓ ଉଚ୍ଚକୋଟୀର କାର୍ଯ୍ୟକୁଶଳତା ଯୋଗୁଁ ପ୍ରଶଂସିତ ହୋଇଛନ୍ତି।

ପ୍ରମୋଦ ମିଶ୍ର

ଗୁଜୁରାଟ କ୍ୟାଡରର ୧୯୭୨ ବ୍ୟାଚ୍ ଆଇଏଏସ୍‌ ଅଫିସର ପ୍ରମୋଦ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ପ୍ରମୋଦ ମିଶ୍ର ହେଉଛନ୍ତି ଜଣେ ଓଡ଼ିଆ। ତାଙ୍କ ଘର ହେଉଛି ସମ୍ବଲପୁର ଜିଲ୍ଲାରେ। ସେ ଗଙ୍ଗାଧର ମେହେର କଲେଜରୁ ଗ୍ରାଜୁଏସନ ପାସ୍ କରିବା ପରେ ଦିଲ୍ଲୀ ସ୍କୁଲ ଅଫ୍ ଇକୋନମିକ୍ସରୁ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ କରିଥିଲେ। ପରେ ସେ ସସସେକ୍ସ ବିଶ୍ୱବିଦ୍ୟାଳୟରୁ ଡେଭଲପମେଣ୍ଟ ଇକୋନମିକ୍ସରେ ପିଏଚଡି କରିଥିଲେ। ନରେନ୍ଦ୍ର ମୋଦୀ ଯେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ମିଶ୍ର ସେତେବେଳେ ତାଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିଲେ। ୨୦୦୧-୨୦୦୪ ଯାଏଁ ସେ ମୋଦୀଙ୍କ ପ୍ରମୁଖ ସଚିବ ରହିଥିଲେ। ୨୦୦୬ରୁ ୨୦୦୮ ଯାଏଁ ସେ କୃଷି ବିଭାଗର ସଚିବ ମଧ୍ୟ ଥିଲେ।

ବିଶ୍ୱଭୂଷଣ ହରିଚନ୍ଦନ

ଓଡ଼ିଶା ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ୨୦୧୯ରୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ପଦରେ ଅଛନ୍ତି। ବିଶ୍ୱଭୂଷଣଙ୍କୁ ଓଡ଼ିଶା ବିଜେପିର ଭୀଷ୍ମ ପିତାମହ ବୋଲି କୁହାଯାଏ। ବିଶ୍ୱୂଭୂଷଣ ଓଡ଼ିଶା ବିଧାନସଭାକୁ ୫ ଥର ନିର୍ବାଚିତ ହୋଇଛନ୍ତି। ୨ ଥର ଜନତା ଦଳ ଏବଂ ୩ ଥର ବିଜେପି ଟିକେଟରୁ ନିର୍ବାଚିତ ହୋଇଛନ୍ତି। ଏହାସହ ବିଜେପି-ବିଜେଡି ମେଣ୍ଟ ସରକାରରେ ବିଶ୍ୱଭୂଷଣ ମନ୍ତ୍ରୀ ମଧ୍ୟ ରହିଥିଲେ। ୧୯୭୧ରେ ବିଶ୍ୱଭୂଷଣ ଭାରତୀୟ ଜନସଂଘରେ ସାମିଲ ହୋଇଥିଲେ। ସେ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ। ପରେ ସେ ବିଜେପିରେ ଯୋଗ ଦେଇଥିଲେ। ୧୯୮୦ରୁ ୧୯୮୮ ପର୍ଯ୍ୟନ୍ତ ବିଶ୍ୱଭୂଷଣ ରାଜ୍ୟ ବିଜେପିର ସଭାପତି ରହିଥିଲେ।

ଗିରିଶ ଚନ୍ଦ୍ର ମୁର୍ମୁ

୨୦୧୯ରେ ଜମ୍ମୁ କଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ ଭାବେ ଶପଥ ନେଇଥିଲେ ଓଡ଼ିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ। ଏବେ ସେ ସିଏଜି (କମ୍ପ୍ଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ) ଅଛନ୍ତି। ୧୯୮୫ ମସିହା ଗୁଜୁରାଟ କ୍ୟାଡରର ଆଇଏଏସ୍ ଅଫିସର୍ ହେଉଛନ୍ତି ଗିରିଶ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିବା ଗିରିଶ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମଏ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ଲଣ୍ଡନ ଯାଇ ସେଠାରେ ବର୍ମିଂହୋମ ବିଶ୍ୱବିଦ୍ୟାଳୟରେ ଏମବିଏ ପାଠ ପଢ଼ିଥିଲେ।

୫୯ ବର୍ଷୀୟ ଗିରିଶ ଚନ୍ଦ୍ର ମୁର୍ମୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜଣେ ଅନୁଗତ ଭାବେ ବେଶ୍ ପରିଚିତ। ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଗିରିଶ ତାଙ୍କର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିଲେ। ମୋଦୀଙ୍କ ମୁଖ୍ୟମନ୍ତ୍ରୀ ଶାସନ କାଳରେ ସେ ଗୁଜୁରାଟରେ ଜଣେ ପ୍ରଭାବଶାଳୀ ପ୍ରଶାସକ ଥିଲେ।

ଦ୍ରୌପଦୀ ମୁର୍ମୁ

ମୟୂରଭଞ୍ଜର ଦ୍ରୌପଦୀ ମୁର୍ମୁ ଏବେ ଝାଡ଼ଖଣ୍ଡର ରାଜ୍ୟପାଳ ଅଛନ୍ତି। ସେ ପ୍ରଥମ ନାରୀ ନେତ୍ରୀ ଯେ ରାଜ୍ୟପାଳ ଭାବେ ନେତୃତ୍ୱ ନେଇଛନ୍ତି। ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ସ୍ୱାଧିନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ ମାର୍ଚ୍ଚ ୬ ୨୦୦୦ରୁ ଅଗଷ୍ଟ ୬, ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟକରିଥିଲେ।

୧୯୯୭ ମସିହାରେ ରାଜନୀତିକୁ ପ୍ରବେଶ କରିଥିଲେ ଦ୍ରୌପଦୀ ମୁର୍ମୁ। ୧୯୯୭ରେ ଓ୍ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ହେବା ପରେ ରାଇରଙ୍ଗପୁର ପୌରାଧ୍ୟକ୍ଷା ପଦ ସମ୍ଭାଳିଥିଲେ। ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ୨୦୦୦ ଏବଂ ୨୦୦୪ରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Comment