ଓଡ଼ିଶାଲାଇଭ୍ ବ୍ୟୁରୋ

କଦଳୀ ପଟୁଆ, ଯାହାକୁ ପ୍ରାୟ ସମସ୍ତେ ଅଦରକାରୀ ବୋଲି ଭାବନ୍ତି। ତେଣୁ କିଏ କଦଳୀ ପଟୁଆକୁ ଫିଙ୍ଗି ଦିଅନ୍ତି ତ ଆଉ କିଏ ପୋଡ଼ି ଦିଅନ୍ତି। ହେଲେ କେବେ ଭାବିଛନ୍ତି କି ଏହି କଦଳୀ ପଟୁଆରୁ ବି ପ୍ରସ୍ତୁତ ହୋଇପାରେ ସୁନ୍ଦର ସୁନ୍ଦର ଜିନଷ, ଯେମିତିକି ବ୍ୟାଗ୍‌, ଆସନ, ଟୋପି ଓ ଫୁଲ ଚାଙ୍ଗୁଡ଼ି ଭଳି ଅନ୍ୟ ସାମଗ୍ରୀ। ଏଭଳି କାରନାମା କରି ଦେଖାଇଛନ୍ତି ତାମିଲନାଡ଼ୁର ପିଏମ ମୁରୁଗେସନ। ଏହି କଦଳୀ ପଟୁଆରେ ବିଭିନ୍ନ ସାମଗ୍ରୀ ତିଆରି କରି ନିଜେ ରୋଜଗାରକ୍ଷମ ହେବା ସହିତ ପିଏମ ମୁରୁଗେସନ ନିଜ ଗ୍ରାମବାସୀଙ୍କୁ ବି ସ୍ୱାବଲମ୍ବୀ କରାଇପାରିଛନ୍ତି।

ପିଏମ ମୁରୁଗେସନ ହେଉଛନ୍ତି ତାମିଲନାଡ଼ୁର ମୁଦୁରାଇ ଜିଲ୍ଲାର ମେଲାକଲ ଗାଁର ବାସିନ୍ଦା। ତାଙ୍କର ଜନ୍ମ ଏକ କୃଷକ ପରିବାରରେ ହୋଇଥିଲା। ପାଠ ଛାଡ଼ିବା ପରେ ସେ କୃଷି କାର୍ଯ୍ୟ କରୁଥିଲେ। ହେଲେ ଚାଷରେ ବାରମ୍ବାର କ୍ଷତି ତାଙ୍କର ଚାଷ କରିବାର ମନୋବଳକୁ ଭାଙ୍ଗି ଦେଇଥିଲା।

୨୦୦୮ ମସିହାରେ ମୁରୁଗେସନ୍ ତାଙ୍କ ପତ୍ନୀ ମଲାରକୋଡି ଏବଂ ପରିବାରର ଅନ୍ୟ ବୟସ୍କ ବ୍ୟକ୍ତିମାନେ କଦଳୀ ପଟୁଆ ବ୍ୟବହାର ବିଷୟରେ ଆଲୋଚନା ଆରମ୍ଭ କରିଥିଲେ। କଦଳୀ ପଟୁଆରେ ଫୁଲମାଳ ତିଆରି କରାଯାଉଥିବା ଦେଖି ତାଙ୍କ ମୁଣ୍ଡରେ ବୁଦ୍ଧି ପଶିଥିଲା। ଏଥିରେ ଆଉ କ’ଣ କରାଯାଇପାରିବ ସେ କଥା ସେ ଚିନ୍ତା କରିଥିଲେ।

ପ୍ରଥମେ ଏହି ସାମଗ୍ରୀ ପ୍ରସ୍ତୁତ କରିବା ଲାଗି ତାଙ୍କୁ କଦଳୀ ପଟୁଆର ଦଉଡ଼ି ପ୍ରସ୍ତୁତ କରିବାକୁ ପଡ଼ୁଥିଲା। ତା’ ପରେ ସେହି ଦଉଡ଼ିକୁ ବ୍ୟବହାର କରି ବିଭିନ୍ନ ସାମଗ୍ରୀ ତିଆରି କରାଯାଉଥିଲା। ମାତ୍ର ଏହା ଚାଲେଞ୍ଜିଂ ଥିଲା। କାରଣ ଦଉଡ଼ି ତିଆରି କରିବାରେ ତାଙ୍କର ବହୁତ ସମୟ ଚାଲିଯାଉଥିଲା।

ସମୟକ୍ରମେ ମୁରୁଗେସନ ତାଙ୍କ ନିଜ ଉଦ୍ୟମରେ ଏକ ମେସିନ ତିଆରି କରିଥିଲେ। ଯେଉଁଥିରେ ଦଉଡ଼ି ପ୍ରସ୍ତୁତ କରିବା ସହଜ ହୋଇଥିଲା। ଏହାପରେ ଧୀରେ ଧୀରେ ବ୍ୟବସାୟ ବଢ଼ିବାକୁ ଲାଗିଲ। ଅଧିକ ଉତ୍ପାଦନ ପାଇଁ ଲୋକଙ୍କର ଡିମାଣ୍ଡ ବଢ଼ିଲା। ନିଜେ ଆରମ୍ଭ କରିଥିବା ଏହି ବ୍ୟବସାୟରେ ଅସ ଗ୍ରାମବାସୀଙ୍କୁ ବି ନିଯୁକ୍ତି ଦେଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ଏଥିରେ  ଅନେକ ମହିଳା କର୍ମଚାରୀ ନିଯୁକ୍ତି ପାଇଛନ୍ତି।

ଏହି ବ୍ୟବସାୟରେ ମୁରୁଗେସନ ବର୍ଷକୁ ୧.୫ କୋଟିରୁ ଅଧିକ ଆୟ କରୁଛନ୍ତି। ମଣିପୁର, ଇମ୍ଫାଲ, ବିହାରର ବୈଶାଲି ଜିଲ୍ଲା, ଆନ୍ଧ୍ରପ୍ରଦେଶର କୋଲାର ସହର ଏବଂ କେରଳ ସମେତ ବିଭିନ୍ନ ରାଜ୍ୟକୁ ମୁରୁଗେସନଙ୍କ ସାମଗ୍ରୀ ପଠାଯାଉଛି।

ଅନ୍ୟପଟେ କଦଳୀ ପଟୁଆ ଦଉଡ଼ି ପ୍ରସ୍ତୁତ କରିବା ଲାଗି ମେସିନ ପ୍ରସ୍ତୁତ କରି ଅନେକ ଜାତୀୟ ପୁରଷ୍କାର ପାଇଛନ୍ତି ମୁରୁଗେସନ।  ତା’ସହିତ ସେ ପ୍ରଧାନମନ୍ତ୍ରୀଙ୍କ ‘ପିଏମଇଜିପି’ ଆୱାର୍ଡ ମଧ୍ୟ ପାଇଛନ୍ତି।  ନିଜ ଗାଁର ଅନେକ ଲୋକଙ୍କୁ ସେ କାମ ଯୋଗାଇ ଆତ୍ମନିର୍ଭର କରାଇଛନ୍ତି। ତେବେ କମ୍‌ ପାଠ ପଢ଼ିଥିଲେ ବି ନିଜ ବୁଦ୍ଧି ଭଳରେ ନିଆରା କାମ ପାଇଁ ସେ ଆଜି ସମାଜରେ ପ୍ରତିଷ୍ଠିତ ହୋଇପାରିଛନ୍ତି।

Comment