ଓଡ଼ିଶାଲାଇଭ୍ ବ୍ୟୁରୋ

ତୈଳ, ରନ୍ଧନ ଗ୍ୟାସ୍ ଏବଂ ଅନ୍ୟାନ୍ୟ ସମସ୍ୟାକୁ ନେଇ ସୋମବାର କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଥିଲା। ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ରାସ୍ତାରୋକ କରିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି। କଂଗ୍ରେସର ଏହି ବନ୍ଦ ପାଳନକୁ ବିଜେଡି ପକ୍ଷରୁ ପରୋକ୍ଷରେ ସମର୍ଥନ ମିଳିଥିବା ବେଳେ, ବିଜେପି ଏହାକୁ କଂଗ୍ରେସର ସଉକ ବୋଲି କହିଛି।

“ବନ୍ଦର ପ୍ରଭାବ କେନ୍ଦ୍ର ଉପରେ ପଡିବ, ଏହା ସାଧାରଣ ଲୋକଙ୍କ ସମସ୍ୟା। ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ସାଧାରଣ ଖାଉଟିକୁ ବାଧୁଛି। ତୈଳ କମ୍ପାନିଙ୍କୁ ଲାଭ ଦେବା ପାଇଁ କେନ୍ଦ୍ର ଏ ବ୍ୟବସ୍ଥା କରିଛି। କିନ୍ତୁ ଏଥିରେ ଲଗାମ ଲଗାଯାଉ ନାହିଁ। ତେଣୁ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ସରକାର ଲଗାମ ଲଗାଇବା ଆବଶ୍ୟକ”, କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ।ତୈଳ ଦର ଉପରେ କେନ୍ଦ୍ର ପାଉଥିବା ସେସ୍ ବାଦବରେ ବିଧାୟକ ଅମର ଶତପଥୀ ଆହୁରି ମଧ୍ୟ କହିଛନ୍ତି ଯେ, ତୈଳ ଦରରୁ କେନ୍ଦ୍ର ଯେଉଁ ସେସ୍ ନେଉଛନ୍ତି ସେଥିରେ ରାଜ୍ୟମାନଙ୍କର କିଛି ଲାଭ ହେଉନି। ତେବେ ତେଲ ଦରରେ ଭାଟ୍ ଲଗାଇବା ରାଜ୍ୟର ରାଜସ୍ଵ ପାଇଁ ଆବଶ୍ୟକ। କିନ୍ତୁ ଏହାକୁ କିପରି କମାଯାଇ ପାରିବ ସେ ବିଷୟରେ ରାଜ୍ୟ ସରକାର ଆଲୋଚନା କରିବେ।ଅନ୍ୟପଟେ ତୈଳଦର ବୃଦ୍ଧିକୁ ନେଇ ବିଜେପି, ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟରେ ତୈଳ ଦର ବୃଦ୍ଧିର ବଡ଼ କାରଣ ହେଉଛି ରାଜ୍ୟ ସରକାରଙ୍କ ଭାଟ୍। ଅନ୍ୟ ରାଜ୍ୟ ପରି ଓଡ଼ିଶା ସରକାର ମଧ୍ୟ ଭାଟ୍ କମାଇବା ଆବଶ୍ୟକ। କିନ୍ତୁ ଏପରି ପ୍ରଚ୍ଛଦପଟରେ ରହି ବନ୍ଦକୁ ସମର୍ଥନ କରିବାରେ କୌଣସି କାରଣ ନାହିଁ।

ସେହିପରି କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ‘ଟାକରା’ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। “ବନ୍ଦ ଡାକରା ଏବେ ଏକ ସଉକରେ ପରିଣତ ହୋଇଯାଇଛି। କଂଗ୍ରେସ କେବଳ ନିଜର ଅସ୍ତିତ୍ୱ ବଜାୟ ରଖିବାକୁ ଆଜି ଏହି ବନ୍ଦ ଡାକରା ଦେଇଛି”, କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ।

Comment