ବିଶ୍ଵଜିତ ସାହୁ

କୋଟିଆ ପ୍ରସଙ୍ଗରେ କୋରାପୁଟର ପୂର୍ବତନ ଜିଲ୍ଲାପାଳ ତଥା ‘ଆମ କୋଟିଆ’ ସଙ୍ଗଠନର ଆବାହକ ଗଦାଧର ପରିଡ଼ାଙ୍କ ସହ ଓଡ଼ିଶାଲାଇଭ୍‌ର ଏକ ଟେଲିଫୋନିକ ସାକ୍ଷାତକାର।

କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆ ଗ୍ରାମପୁଞ୍ଜକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଲାଗି ରହିଛି। କୋଟିଆରେ ବାରମ୍ଵାର ଅନୁପ୍ରବେଶ କରି ବିଭିନ୍ନ ନିର୍ମାଣ କାମ, ସହାୟତା ବଣ୍ଟନ ଭଳି କାର୍ଯ୍ୟକ୍ରମ ଚଳାଇ ଆସୁଥିଲା ଆନ୍ଧ୍ର। ନିକଟରେ କୋଟିଆର ତିନୋଟି ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରିବା ପରେ ଓଡ଼ିଶାରେ ଏନେଇ ରାଜନୀତିକ ଝଡ଼ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାଲାଇଭ୍ ପକ୍ଷରୁ କୋଟିଆ ସମ୍ପର୍କରେ ପଚାରା ଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଏଭଳି ରଖିଛନ୍ତି କୋରାପୁଟର ପୂର୍ବତନ ଜିଲ୍ଲାପାଳ ତଥା ଆମ କୋଟିଆ ସଙ୍ଗଠନର ଆବାହକ ଗଦାଧର ପରିଡ଼ା।କୋଟିଆକୁ ନେଇ କେଉଁଠୁ ହେଲା ବିବାଦର ସୂତ୍ରପାତ?

– କୋଟିଆ ବିବାଦ ଏବେକାର ନୁହେଁ, ବହୁ ପୁରୁଣା। ୧୯୬୦ ମସିହାରେ ପ୍ରଥମେ ଆନ୍ଧ୍ରପ୍ରଦେଶ ରାଜ୍ୟର ସାଲୁର୍‌ରୁ କେତେକ ସରକାରୀ କର୍ମଚାରୀ ବିଭିନ୍ନ ସହାୟତା ନେଇ କୋଟିଆ ଗ୍ରାମପୁଞ୍ଜର ଲୋକଙ୍କ ପାଖରେ ପହଞ୍ଚିଲେ। ଏହାକୁ ପଟ୍ଟାଙ୍ଗୀବାସୀ ବିରୋଧ କଲେ। ସେହିଠାରୁ କୋଟିଆ ବିବାଦର ସୁତ୍ରପାତ ହେଲା। ଆନ୍ଧ୍ରର ଅନୁପ୍ରବେଶକୁ ନେଇ ବିବାଦ ଏତେ ଘନୀଭୂତ ହେଲା ଯେ, ଏକଥା ସେତେବେଳର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ କାନକୁ ଗଲା। ସେତେବେଳେ ଏହି ସମସ୍ୟାର ସମାଧାନ ପାଇଁ ଓଡ଼ିଶା ଓବଂ ଆନ୍ଧ୍ର ଉଭୟ ପଟୁ ଆଲୋଚନା ହୋଇଥିଲା। ଏହା ସତ୍ତ୍ଵେ କୋଟିଆକୁ ଆନ୍ଧ୍ରର ଅନୁପ୍ରବେଶରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ନାହିଁ। ୧୯୬୮ ବେଳକୁ ପରିସ୍ଥିତି ଅଧିକ ବିଗିଡ଼ିଯିବା ପରେ ଏହି ପ୍ରସଙ୍ଗ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପାଖକୁ ଆଲୋଚନା ପାଇଁ ଗଲା। ଆନ୍ଧ୍ର ସରକାର ‘କୋଟିଆକୁ ଛାଡ଼ିବୁ ନାହିଁ’ ଜିଦ୍‌ରେ ଅଟଳ ରହିବା ପରେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

କୋଟିଆରେ ଆନ୍ଧ୍ରର ଏପରି ଅନୁପ୍ରବେଶ ପାଇଁ କିଏ ଦାୟୀ?

– କୋଟିଆ ବିବାଦକୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳାର ପରିଣାମ ବୋଲି ବିଚାର କରନ୍ତି ବୁଦ୍ଧିଜୀବୀ ମହଲ। ଦୀର୍ଘ ଛଅ ଦଶନ୍ଧି ଧରି କୋଟିଆରେ ଆନ୍ଧ୍ର ସରକାର ଅନୁପ୍ରବେଶ କରି ଆସୁଛନ୍ତି। କୋଟିଆ ସମେତ ଓଡ଼ିଶା ସୀମାର ବିଭିନ୍ନ ଗାଁରେ ରାସ୍ତା, ଚେକ୍‌ ଡ୍ୟାମ ନିର୍ମାଣ କରୁଛନ୍ତି, ବିଭିନ୍ନ ସହାୟତା ବାଣ୍ଟୁଛନ୍ତି। କିନ୍ତୁ ଆମର ସ୍ଥାନୀୟ ଲୋକପ୍ରତିନିଧି କିମ୍ଵା ସ୍ଥାନୀୟ ପ୍ରଶାସନ କେହି କିପରି ଜାଣି ପାରିଲେ ନାହିଁ? ଯଦି ଜାଣିଲେ, ପ୍ରତିବାଦ କାହିଁକି କଲେ ନାହିଁ? ଗୁଇନ୍ଦା ବିଭାଗ ପାଖରେ ଖବର କେମିତି ପହଞ୍ଚିପାରିଲା ନାହିଁ? ତେଣୁ କୋଟିଆ ପ୍ରସଙ୍ଗରେ ଉଭୟ ପ୍ରଶାସନିକ ଏବଂ ରାଜନୈତିକ ସ୍ତରରେ ଆମେ ବିଫଳ ହୋଇଛୁ ବୋଲି କହିଲେ ଭୁଲ ହେବ ନାହିଁ।

କୋଟିଆର ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଆନ୍ଧ୍ର କିଭଳି ପ୍ରୟାସ କରି ଆସିଛି?

– ଯେଉଁ ସମୟରେ ଆମର ସ୍ଥାନୀୟ ପ୍ରଶାସନ କୋଟିଆରେ ପାଦ ପକାଉ ନଥିଲା, ଆନ୍ଧ୍ର ସରକାର ସେତେବେଳେ କୋଟିଆ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦେବାକୁ ଲାଗିଲେ। ବର୍ତ୍ତମାନ କୋଟିଆବାସୀଙ୍କୁ ଆମ ସରକାର ୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଦେଉଥିବା ବେଳେ ଆନ୍ଧ୍ର ଦେଉଛି ୨,୨୫୦ ଟଙ୍କା। ଲୋକଙ୍କ କିଛି ସମସ୍ୟା ହେଲେ ଆନ୍ଧ୍ର ପ୍ରଶାସନ ସମାଧାନ କରିବାକୁ ଆଗେଇ ଆସୁଛି। ତେଣୁ ଯେଉଁପଟୁ ଲୋକଙ୍କୁ ଭଲ ସୁବିଧା ମିଳିଲା ସେମାନେ ସେ ଆଡ଼କୁ ଢଳିବା ସ୍ଵାଭାବିକ। କୋଟିଆ ଉପରେ ଆନ୍ଧ୍ର କାହିଁକି ଆଖି ପକାଇଛି?

– କୋଟିଆ ଅଞ୍ଚଳରେ ବିଭିନ୍ନ ଖଣିଜ ସମ୍ପଦ ରହିଛି। ଏହାରି ଉପରେ ଆନ୍ଧ୍ରର ଆଖି ପଡ଼ିଛି। ଏହି ଖଣିକୁ ନେଇ କେତେକ କମ୍ପାନି ସହ ଆନ୍ଧ୍ର ଚୁକ୍ତି କରିଥିବା ମଧ୍ୟ ଶୁଣିବାକୁ ମିଳୁଛି। ତେଣୁ ଆନ୍ଧ୍ର ବିଭିନ୍ନ ପ୍ୟାକେଜ୍ ଦେଇ ଏଠାକାର ଲୋକମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପ୍ରୟାସରେ ରହିଛି। କୋଟିଆକୁ ହାତେଇ ସେମାନେ ଏହି ଅଞ୍ଚଳକୁ ଖଣି କମ୍ପାନିଗୁଡ଼ିକ ଜିମା ଦେବା ଚକ୍ରାନ୍ତରେ ରହିଛନ୍ତି।

କୋଟିଆରେ ଆନ୍ଧ୍ରର ଏହା ପ୍ରଥମ ନିର୍ବାଚନ ନା ଆଗରୁ ଆନ୍ଧ୍ର ସେଠାରେ ନିର୍ବାଚନ କରିଛି?

– ବହୁ ଆଗରୁ ଆନ୍ଧ୍ର ସରକାର କୋଟିଆରେ ନିର୍ବାଚନ କରିଆସୁଛନ୍ତି। କିନ୍ତୁ ସେଠାରେ ଆନ୍ଧ୍ର କେବେ ପୋଲିଂ ବୁଥ୍ କରି ନଥିଲା। ମନୋନୟନ ପ୍ରକ୍ରିୟା ଆଧାରରେ ସବୁବେଳେ ଆନ୍ଧ୍ର କୋଟିଆରୁ ସରପଞ୍ଚମାନଙ୍କୁ ବାଛିଥାଏ। କିନ୍ତୁ ପ୍ରଥମଥର ପାଇଁ ଚଳିତଥର ସେଠାରେ ପୋଲିଂ ବୁଥ୍ କରିଛି ଆନ୍ଧ୍ର। ଏଥର ଏକାଧିକ ଲୋକ ପ୍ରାର୍ଥିପତ୍ର ଦାଖଲ କରିବାରୁ ସାଧାରଣ ବ୍ୟବସ୍ଥା ଭଳି ମତଦାନ ବି ହୋଇଛି।କୋଟିଆ ଓଡ଼ିଶାର ବୋଲି ଆମ ରାଜ୍ୟ ପାଖରେ କ’ଣ ପ୍ରମାଣ ରହିଛି?

– ୧୯୪୫ରେ କୋରାପୁଟର ଏକ ନକ୍ସା ପ୍ରସ୍ତୁତ ହୋଇଥିଲା। ତତ୍କାଳୀନ ଇଂରେଜ ସରକାର ଏହାକୁ ପ୍ରସ୍ତୁତ କରିଥିଲେ। ସେଥିରେ ପଟାଙ୍ଗୀ-ତାଡ଼ିବାଲସା ରାସ୍ତା ଓଡ଼ିଶାରେ ଥିଲା। ସେଠାରୁ ଆମ ସୀମା ପ୍ରାୟ ୧୦ କିଲୋମିଟର। ଏଥିରେ କୋଟିଆ ଓଡ଼ିଶାର ବୋଲି ପ୍ରମାଣ ରହିଛି। ବିହାରରେ ଏହି ନକ୍ସା ପ୍ରିଣ୍ଟ ହୋଇଥିଲା। ଏଥିସହ ଆରମ୍ଭରୁ କୋଟିଆ, ଓଡ଼ିଶାର ସବୁ ନିର୍ବାଚନରେ ଭାଗ ନେଇଛି। ତେଣୁ କୋଟିଆ ଓଡ଼ିଶାର ବୋଲି ପ୍ରମାଣ କରିବାକୁ ଆମ ପାଖରେ ଯଥେଷ୍ଟ ପ୍ରମାଣ ରହିଛି।

ସୁପ୍ରିମକୋର୍ଟରେ କୋଟିଆ ମାମଲା ବିଚାରଧୀନ ରହିଛି, ତେବେ ଏ ଲଢ଼େଇରେ ‘ଆମ କୋଟିଆ’ ସଂଗଠନ କିପରି ପ୍ରସ୍ତୁତି କରିଛି?

– କୋଟିଆ ଲଢ଼େଇରେ ଓଡ଼ିଶା ସରକାରଙ୍କୁ ଆମ କୋଟିଆ ସଂଗଠନ ସବୁବେଳେ ସାହାଯ୍ୟ କରିଆସିଛି। ଆଗକୁ ଯଦି ସରକାର କିଛି ବି ଆବଶ୍ୟକତା କରନ୍ତି, ତେବେ ଆମ କୋଟିଆ ସଂଗଠନ ସବୁବେଳେ ପ୍ରସ୍ତୁତ ରହିଛି।

Comment