ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ପରିଚାଳନା ପରିଷଦର ଷଷ୍ଠ ବୈଠକ ଅନୁଷ୍ଠିତ ହୋଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ବିଭନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି। ଏଥିରେ ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ କୃଷି ପ୍ରସଙ୍ଗ ଉଠାଇଛନ୍ତି। ଆମ ଦେଶର କୃଷକମାନଙ୍କୁ ଉଚିତ ମାର୍ଗଦର୍ଶନର ଆବଶ୍ୟକତା ରହିଛି ବୋଲି ସେ ଏହି ବୈଠକରେ କହିଛନ୍ତି।

‘‘ଆମର କୃଷି ପ୍ରଧାନ ଦେଶ। ତଥାପି ଆମେ ଅନେକ ଖାଦ୍ୟ, ପଦାର୍ଥ ଅନ୍ୟଦେଶରୁ ଆଣୁଛନ୍ତି। କିନ୍ତୁ ଆମେ ଚାହିଁଲେ ଏହାକୁ ବନ୍ଦ କରିପାରିବା। କୃଷକମାନଙ୍କ ଉଚିତ ମାର୍ଗଦର୍ଶନ ମିଳିଲେ ସେହି ଦ୍ରବ୍ୟ ଆମ ଦେଶରେ ବି ଉତ୍ପାଦନ ହୋଇପାରିବ। ଯେଉଁ ଟଙ୍କା ବାହାର ଦେଶକୁ ଯାଉଛି ତାହା ଆମ କୃଷକମାନଙ୍କ ନିକଟକୁ ଆସିବ।ସରକାର ଚାଷୀଙ୍କ ଆୟ ବଢ଼ାଇବାକୁ ବିଭିନ୍ନ ଯୋଜନା କରୁଛନ୍ତି। ଚାଷୀମାନଙ୍କୁ ସେ ବିଷୟରେ ସଚେତନ କରିବାକୁ ପଡ଼ିବ’’, କହିଛନ୍ତି ପ୍ରଧାନମନ୍ତ୍ରୀ।

କରୋନା ସମୟରେ କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ମିଶି କାମ କରିଥିବାରୁ ଦେଶକୁ ବେଶ ସଫଳତା ମିଳିଛି। ତେଣୁ ଆଗାମୀ ଦିନରେ ବି କେନ୍ଦ୍ର ସରକାରଙ୍କୁ ରାଜ୍ୟମାନେ ସହଯୋଗ କରନ୍ତୁ। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଉତ୍ତମ ସମ୍ପର୍କ ରହୁ ବୋଲି ସେ ଆହ୍ୱାନ ଦେଇଛନ୍ତି।

ବୈଠକରେ କୃଷି, ଭିତ୍ତିଭୂମି, ଉତ୍ପାଦନ, ମାନବ ସମ୍ବଳ ବିକାଶ, ତୃଣମୂଳ ସ୍ତରରେ ସେବା ପ୍ରଦାନ ଏବଂ ସ୍ୱାସ୍ଥ୍ୟ ଓ ପୁଷ୍ଟିକର ସମ୍ବନ୍ଧିତ ବିଷୟରେ ଆଲୋଚନା ହୋଇଥିଲା।

ବୈଠକରେ ପରିଚାଳନା ପରିଷଦର ପୂର୍ବତନ ଅଧିକାରୀ, ସଦସ୍ୟ, କେନ୍ଦ୍ର ମନ୍ତ୍ରୀଗଣ, ଉପାଧ୍ୟକ୍ଷ, ନୀତି ଆୟୋଗର ସଦସ୍ୟ ତଥା ସିଇଓ ଏବଂ ଭାରତ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।

Comment