ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ତାତି ବଢ଼ିବାରେ ଲାଗିଛି। ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିସନର(ଏସଆରସି) ପଦୀପ ଜେନା ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି। ଗତ ୨୪ ଘଣ୍ଟମଧ୍ୟରେ ରାଜ୍ୟର ଅନେକ ସହରର ତାପମାତ୍ରା ୨ ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଏହାରି ମଧ୍ୟରେ ବୁଧବାର ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ରହିଥିଲା।

ଫେବ୍ରୁଆରୀ ମାସରୁ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି, ତେଣୁ ଆଗକୁ ସ୍ଥିତି ସାଂଘାତିକ ହୋଇପାରେ ବୋଲି ଆକଳନ କରାଯାଉଛି। କରୋନା ପାଇଁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାବେଳେ, ଏବେ ଧିରେଧିରେ ଖୋଲିବାକୁ ଯାଉଛି। ତେଣୁ ତାପମାତ୍ରା ବୃଦ୍ଧିକୁ ନଜରରେ ରଖି ସକାଳୁ କ୍ଲାସ ଓ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ଅଙ୍ଗନବାଡ଼ି ପିଲାଙ୍କ ପାଇଁ ମଧ୍ୟ ସକାଳେ କ୍ଲାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରେଣୀ ଗୃହ ବାହରେ କୌଣସି କାର୍ଯ୍ୟକ୍ରମ ନକରିବାକୁ କୁହାଯାଇଛି। ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାନୁଷ୍ଠାନମାନଙ୍କରେ ପାନୀୟ ଜଳର ସୁବିଧା କରିବାକୁ କୁହାଯାଇଛି।

ଖରାଦିନେ ଲୋକମାନେ କିଭଳି ସତର୍କ ରହିବେ ଏବଂ ସେମାନଙ୍କୁ ସଚେତନ କରିବା ଦ୍ୱାୟିତ୍ୱ ଜିଲ୍ଲାପାଳମାନଙ୍କର ରହିବ। ପାନୀୟ ଜଳଯୋଗାଣ, ଅଚଳ ପାଣି ପାଇପ୍ ମରାମତି, ନଳକୂପ ଖନନ ଓ କେନାଲରେ ଜଳ ଛାଡ଼ିବା ଇତ୍ୟାଦି କ୍ଷେତ୍ରରେ ଜଳସମ୍ପଦ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଏସଆରସିଙ୍କ ତରଫରୁ ସୂଚନା ଦିଆଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ପାନୀୟ ଜଳ ଯୋଗାଇଦେବା ସହ ପଶୁ ପକ୍ଷୀମାନଙ୍କ ପାଇଁ ସ୍ଥାନେ ସ୍ଥାନେ ପାଣି ପାତ୍ର ରଖିବାକୁ କୁହାଯାଇଛି।

ଖରାଦିନେ ସମସ୍ତ ହସ୍ପିଟାଲମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ସାଲାଇନ, ଓଆରଏସ ରଖିବାକୁ ସ୍ୱାସ୍ଥ୍ୟବିଭାଗକୁ କୁହାଯାଇଛି। ଯଦି କୌଣସି ସ୍ଥାନରେ ଅଂଶୁଘାତ ଭଳି ସମସ୍ୟା ଦେଖାଯାଏ, ତେବେ ତାହାର ତଦନ୍ତ ଜିଲ୍ଲାପାଳମାନେ କରି, ୪୮ ଘଣ୍ଟା ମଧ୍ୟରେ ଏସଆରସିଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର କମିସନର ପ୍ରଦୀପ ଜେନା।

Comment