ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଆଉ କୌଣସି ଭିକାରି ରହିବେ ନାହିଁ। ସେମାନଙ୍କ ଥଇଥାନ ପାଇଁ ବିଏମସି ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହାକୁ ଓଡ଼ିଶା ସରକାର ଅନୁମୋଦନ କରିଛନ୍ତି। ରାଜଧାନୀ ରାସ୍ତାକଡ଼ରେ କୌଣସି ଭିକାରି ବସିବେ ନାହିଁ କି ଭିକ୍ଷା ବୃତ୍ତି କରିବେ ନାହିଁ ବିଏମସି ଏହା ଚାହୁଁଛି। ନିଷ୍ପତ୍ତି ନିଆଯାଇଛି ଯେ ଭୁବନେଶ୍ୱର ରେ ଯେତେ ଭିକାରୀ ଅଛନ୍ତି ଓ ବିଶେଷ କରି ଯେଉଁମାନେ ମନ୍ଦିର ମଠ ପାଖରେ ବସି ଭିକ ମାଗୁଛନ୍ତି ସେମାନଙ୍କୁ ଥଇଥାନ ଗୃହକୁ ଅଣାଯିବ। ଏପରିକି ଯେଉଁମାନେ ଅନ୍ୟ ସହରରୁ ଭିକ୍ଷା କରିବା ପାଇଁ ଆସୁଛନ୍ତି ସେମାନଙ୍କୁ ବି ଏହି ଆଶ୍ରୟ ସ୍ଥଳକୁ ନିଆଯିବ।

ବିଏମସିର ୩ଟି ଜୋନରେ ତିନିଟି ଆଶ୍ରୟ ସ୍ଥଳ ନିର୍ମାଣ କରାଯିବ। ଏହି ଆଶ୍ରୟ ସ୍ଥଳରେ ଯେଉଁମାନଙ୍କୁ ରଖାଯିବ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ। ତା’ଛଡ଼ା ନିହାତି ଆବଶ୍ୟକ ସାମଗ୍ରୀ ବି ସେମାନଙ୍କୁ ମିଳିବ। ଆହୁରି ମଧ୍ୟ, ଭିକାରିମାନଙ୍କୁ ଧନ୍ଦା ମୂଳକ ତାଲିମ ଦିଆଯିବ ଯାହାଫଳରେ କି ସେମାନେ ଆତ୍ମନିଭରଶୀଳ ହୋଇ ପାରିବେ। ଯଦି ସେମାନେ ନିଜ ପରିବାର ସହ ରହିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ସେଠାକୁ ପଠାଇ ଦିଆଯିବ। ପରୀକ୍ଷାମୂଳକ ଭାବେ ବିଏମସି ପ୍ରଥମ ପର୍ଯ୍ୟାୟରେ ଲିଙ୍ଗରାଜ ମନ୍ଦିର ଓ ଶ୍ରୀରାମ ମନ୍ଦିର ପାଖରୁ ଭିକାରିଙ୍କୁ ଅପସାରଣ କରିବା ଆରମ୍ଭ କରିଛି। ଭିକାରିଙ୍କ ବ୍ୟତୀତ ମାନସିକ ରୋଗୀ,ସେରିବ୍ରାଲ ପଲସୀ ଓ ଅନ୍ୟାନ୍ୟ ରୋଗରେ ପୀଡିତ ରାସ୍ତାକଡ଼ରେ ଥିବା ଲୋକଙ୍କୁ ମଧ୍ୟ ଏହି ଆଶ୍ରୟ ସ୍ଥଳରେ ଥଇଥାନ କରାଯିବ ବୋଲି କହିଛନ୍ତି ବିଏମସି ଡେପୁଟି କମିସନର କମଳାକାନ୍ତ ବେହେରା।

ସୂଚନା ଅନୁଯାୟୀ, ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗକୁ ଏନେଇ ଏକ ପ୍ରସ୍ତାବ ପଠାଯାଇଥିଲା ଯାହାକୁ କି ବିଭାଗ ମଞ୍ଜୁରି ଦେଇଛି।ତିନି ଜୋନରେ ୧୦୦ ଲେଖାଏଁ ଭିକାରିଙ୍କୁ ଅବସ୍ଥାପିତ କରାଯିବ ବୋଲି କୁହାଯାଇଛି।  ବିଏମସି ପକ୍ଷରୁ ପୂର୍ବରୁ ଏକ ସର୍ଭେ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ ରାଜଧାନୀର ରେ ପ୍ରାୟ ୫୦୦ ଭିକାରି ଅଛନ୍ତି। ଏମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ସ୍ଥାୟୀ ଭିକାରି ହୋଇଥିବା ବେଳେ ୧୦ ପ୍ରତିଶତ ଯାଆଆସ କରନ୍ତି। ଏହି ଭିକାରି ଆଶ୍ରୟ ସ୍ଥଳର ପରିଚାଳନା ପାଇଁ ଅଭିଜ୍ଞତା ଥିବା ସଂସ୍ଥାକୁ ବଛା ଯାଇଛି। ପ୍ରାରମ୍ଭିକ ଅବସ୍ଥାରେ ଏହି ଆଶ୍ରୟସ୍ଥଳ ଅସ୍ଥାୟୀ ଘରେ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି।

Comment