ଓଡ଼ିଶାଲାଇଭ୍ ବ୍ୟୁରୋ

  • ସୁନ୍ଦରଗଡ଼ର ୧୭ଟି ବ୍ଲକରେ ବର୍ଷା ଜଳ ଅମଳ ପ୍ରକଳ୍ପ ଲାଗି ପଦକ୍ଷେପ
  • ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଚାଷ ଜମିକୁ ଜଳ
  • ୧୦ଟି ବ୍ଲକରେ ପାନୀୟ ଜଳ ପାଇଁ ଚାଲିଛି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଘରେ ଘରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ଚାଷ ଜମିକୁ ଜଳସେଚନ ସହ ବର୍ଷା ଜଳ ସଂରକ୍ଷଣ ଲାଗି ପଦକ୍ଷେପ ନିଆଯାଇଛି। ବିଶେଷକରି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ କୋଠା ଆଦିରୁ କିପରି ବର୍ଷା ଜଳ ଅମଳ କରାଯାଇ ଜଳ ସଂରକ୍ଷଣ ଦିଗରେ ସଫଳତା ମିଳିପାରିବ ସେଥିପାଇଁ ପ୍ରଶାସନ ସ୍ୱତନ୍ତ୍ର ପ୍ରକଳ୍ପ ହାତକୁ ନିଆଯାଇଛି।

ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଭବିଷ୍ୟତରେ ଜଳ ଚିନ୍ତା ଦୂର କରିବା ଲାଗି ପଦକ୍ଷେପ ସହ ମାଟି ତଳେ ଜଳସ୍ତରକୁ ବଢ଼ାଇବା ପାଇଁ ବର୍ଷା ଜଳ ଅମଳ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ୧୦ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ କୋଠା, ସରକାରୀ କ୍ୱାର୍ଟସ୍, ଡାକ୍ତରଖାନା ଏବଂ ସ୍କୁଲ କଲେଜ ଓ ହଷ୍ଟେଲର ଛାତ ଉପରେ ବର୍ଷା ଜଳ ଅମଳ ପ୍ରକଳ୍ପ ଆରମ୍ଭ ହୋଇଛି।“ପାଣିର ବ୍ୟାପକ ବ୍ୟବହାର ଫଳରେ ଆଜି ସାରା ପୃଥିବୀରେ ମାଟି ତଳୁ ଜଳ ଉତ୍ସ କମି କମି ଯାଉଛି। ତେଣୁ ଯେତିକି ଦରକାର ଆମେ ସେତିକି ପାଣି ବ୍ୟବହାର କରିବା ଉଚିତ। ବର୍ଷା ଦିନେ ପାଣି ସିଧା ନଦୀ ନାଳକୁ ବହିଯାଉଛି। ତେଣୁ ଆମେ ଯଦି ବିଭିନ୍ନ ସରକାରୀ କୋଠାବାଡ଼ି, ସର୍ବସାଧାରଣ ଅନୁଷ୍ଠାନ ଏବଂ ଘରେ ଘରେ ବର୍ଷା ଜଳ ଅମଳ କରିବା, ତେବେ ଏହା ଭବିଷ୍ୟତ ପାଇଁ ଜଳ ସଂରକ୍ଷଣର ସବୁଠାରୁ ବଡ଼ ପଦକ୍ଷେପ ହେବ,” ବିଶ୍ଵ ଜଳ ଦିବସ ଅବସରରେ କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ସୁନ୍ଦରଗଡ଼ରେ ବର୍ତ୍ତମାନ ସୁଦ୍ଧା ୩୫୦ଟି ସ୍ଥାନରେ ବର୍ଷା ଜଳ ଅମଳ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିଛି। ଏହାକୁ ମିଶାଇ ଆଗାମୀ ଦିନରେ ୧ ହଜାର କୋଠାରେ ପର୍ଯ୍ୟାୟକ୍ରମେ ବର୍ଷା ଜଳ ଅମଳ ଲାଗି ବ୍ୟବସ୍ଥା ହେବ। ଏହି ନିର୍ମାଣ କାମରେ ସ୍ଥାନୀୟ ଶ୍ରମିକମାନଙ୍କୁ ନିୟୋଜିତ କରି ସେମାନଙ୍କର ଜୀବିକା ସୃଷ୍ଟି କରାଯାଉଛି।ଏଭଳି ପରିବେଶ ଅନୁକୂଳ କାର୍ଯ୍ୟକ୍ରମକୁ ସଫଳ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଛି। ସାଧାରଣ ଲୋକେ ନିଜ ନିଜ ଘର ଛାତ ଉପରେ ବର୍ଷା ଜଳ ଅମଳ କରିବା ପାଇଁ ସଚେତନ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ବିଭିନ୍ନ ସରକାରୀ କୋଠାବାଡ଼ି ଏବଂ ଶିକ୍ଷାନୁଷ୍ଠାନ ଛାତରୁ ବର୍ଷା ଜଳ ଅମଳକୁ ଗୁରୁତ୍ୱ ଦେଇ କାର୍ଯ୍ୟ ଆରମ୍ଭ କରିଛି।

ସେହିପରି ଜିଲ୍ଲାର ବିଭିନ୍ନ ବ୍ଳକରେ ଲୋକଙ୍କ ପାଣି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଛି। ଏହି ପ୍ରକଳ୍ପ ପାଇଁ ଜିଲ୍ଲାର ୧୦ଟି ବ୍ଲକରେ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ ଚାଲିଛି। ଚଳିତ ଖରା ଋତୁରେ ପାଇପ ଯୋଗେ ଲୋକଙ୍କ ଘରେ ବିଶୁଦ୍ଧ ପାନୀୟ ଜଳ ଓ ନିତ୍ୟ ବ୍ୟବହାର ପାଇଁ ପାଣି ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି।ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ ବିଭାଗର ସୁନ୍ଦରଗଡ଼ ଡିଭିଜନ ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଉଛି। ପ୍ରାୟ ୧୬ ଶହ କୋଟି ଟଙ୍କା ବ୍ୟୟ ଅଟକଳରେ କରାଯାଉଥିବା ଏହି ମେଗା ପ୍ରକଳ୍ପରୁ ୭୫୦ଟି ଗ୍ରାମର ୧ ଲକ୍ଷ ୬୦ ହଜାରରୁ ଅଧିକ ପରିବାର ଉପକୃତ ହେବେ।

ଜମିକୁ ଜଳ, ଚାଷୀକୁ ବଳ। ଏହି କଥାକୁ ବାସ୍ତବ ରୂପ ଦେବାକୁ ଯାଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ହାତକୁ ନେଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସାଧାରଣ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ତେବେ ଚାଷୀମାନଙ୍କର ବ୍ୟାପକ ଆବଶ୍ୟକତାକୁ ନଜରରେ ରଖି ବାଲିଶଙ୍କରା, ସବଡେଗା, ବିଶ୍ରା, ସୁନ୍ଦରଗଡ଼ ସଦର, ଲେଫ୍ରିପଡ଼ା, ବଣାଇଗଡ଼, ଲହୁଣୀପଡ଼ା ଏବଂ ନୂଆଗାଁ ଆଦି ବ୍ଲକର ବିଭିନ୍ନ ସ୍ଥାନରେ ୧୧ଟି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନ କରାଯାଇଛି। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ରାଉରକେଲା ଗସ୍ତ ଅବସରରେ ଭର୍ଚୁଆଲ୍ ମାଧ୍ୟମରେ ଏହି ପ୍ରକଳ୍ପଗୁଡ଼ିକର ଉଦଘାଟନ କରିଥିଲେ। ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଫଳରେ ୧୧ ହଜାର ୬୩୫ ହେକ୍ଟରରୁ ଅଧିକ ଜମିକୁ ଖରିଫ ଋତୁରେ ଜଳ ଯୋଗାଣ କରାଯିବ। ଫଳରେ ଚାଷୀଙ୍କ ପାଣି ଚିନ୍ତା ଦୂର ହୋଇ ପାରିବ। ଚାଷୀମାନେ ଧାନ ସହିତ ଅନ୍ୟ ଚାଷ କରି ଲାଭବାନ ହୋଇପାରିବେ। ଏହି ପ୍ରକଳ୍ପଗୁଡ଼ିକ ପାଇଁ ୩୫୧.୭୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମିତ ସମୀକ୍ଷା କରାଯାଉଛି। ସେହିପରି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ନିଜେ ବିଭିନ୍ନ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି କାର୍ଯ୍ୟର ସମୀକ୍ଷା କରିବା ସହ ପାଣି ପଞ୍ଚାୟତ ଗଠନ କରି ଜଳର ଉପଯୁକ୍ତ ବ୍ୟବହାର ସଂପର୍କରେ ଚାଷୀଙ୍କୁ ପରାମର୍ଶ ଦେଉଛନ୍ତି।

Comment