ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡ଼ରେ ମାଓ ତାଣ୍ଡବ ପରେ ଓଡ଼ିଶାରେ ହାଇ ଆଲର୍ଟ ଜାରି କରାଯାଇଛି। ମାଓବାଦୀ ପ୍ରବଣ ଜିଲ୍ଲାରେ ଏହି ଆଲର୍ଟ ଦିଆଯାଇଛି। ବିଶେଷ କରି ଛତିଶଗଡ଼କୁ ଲାଗି ରହିଥିବା ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

କୁମ୍ବିଙ୍ଗ ଅପରେସନ ପରେ ମାଓବାଦୀମାନେ ଓଡ଼ିଶା ଭିତରକୁ ପଶି ଆସିବାର ଆଶଙ୍କା ଥିବାରୁ ମାଓ ପ୍ରବଣ ଜିଲ୍ଲା ଯଥା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର ଏସପିମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହି ସବୁ ଜିଲ୍ଲା ଛତିଶଗଡ଼ର ସୀମାନ୍ତ ଜିଲ୍ଲା।

ଏହି ସବୁ ଜିଲ୍ଲାର ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିବା ପାଇଁ ପୋଲିସ ଡିଜି ଅଭୟ, ଗୁଇନ୍ଦା ବିଭାଗ ନିର୍ଦେଶକ ଆର୍‌ କେ ଶର୍ମା ଓ ଆଇଜି ଅପରେସନ ଅମିତାଭ ଠାକୁର ରବିବାର ଦିନ ମାଲକାନଗିରି ଗସ୍ତ କରିଛନ୍ତି।

ସୁରକ୍ଷା କର୍ମଚାରୀଙ୍କୁ ହତ୍ୟା କରିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟୁଇଟ ଜରିଆରେ ଦୁଃଖ ପ୍ରକାଶ କରିଛନ୍ତି ଓ କହିଛନ୍ତି ଯେ ଏହା ଭୀରୁତାର କାମ। ଏହାସହିତ ଯେଉଁ ଯବାନମାନେ ପ୍ରାଣ ହରାଇଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନବୀନ ଆହତ ଯବାନମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସୁକମା କାଣ୍ଡ ପରେ ଓଡ଼ିଶା ପୁଲିସ ପକ୍ଷରୁ କୁହାଯାଇଛି ଯେ ସୀମାନ୍ତ ଜିଲ୍ଲା ମାନଙ୍କରେ ମାଓ ବିରୋଧୀ କାର୍ଯ୍ୟକ୍ରମକୁ ଏବେ ତ୍ୱରାନ୍ୱିତ କରାଯିବ। ଆବଶ୍ୟକ ହେଲେ କେନ୍ଦ୍ର ସୁରକ୍ଷା କର୍ମଚାରୀଙ୍କ ସାହାଯ୍ୟ  ନିଆଯିବ ବୋଲି ପୁଲିସ କହିଛି।

ଓଡ଼ିଶା ପୁଲିସ ପକ୍ଷରୁ ଦାବି କରାଯାଇଛି ଯେ ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ମାଓ କାର୍ଯ୍ୟକଳାପ ଢେର ମାତ୍ରରେ ହ୍ରାସ ପାଇଛି। ବର୍ତ୍ତମାନ କେବଳ ୧୦ଟି ଜିଲ୍ଲାରେ ଯାହା କିଛି ମାଓବାଦୀ ଅଛନ୍ତି।

ଉଲ୍ଲେଖ କରାଯାଇପାରେ ଯେ, ଗତ ବର୍ଷ ବିଭିନ୍ନ ସ୍ଥାନରେ ପୁଲିସ ଗୁଳିରେ ୧୭ ଜଣ ମାଓବାଦୀ ପ୍ରାଣ ହରାଇଥିଲେ।

Comment