ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ ବିଜାପୁରରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିଲା ମହାଯୁଦ୍ଧ। ଏହାର ପୁରା କାହାଣୀ ବର୍ଣ୍ଣନା କରିଛନ୍ତି ସିଆରପିଏଫ ଡିଜି କୁଲଦୀପ ସିଂ।

ମାଲାକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ଛତିଶଗଡ଼ ବିଜାପୁରରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ରବିବାର ହୋଇଥିଲା ବଡ଼ ଧରଣର ଗୁଳି ବିନିମୟ। ଏଥିରେ ୨୪ ଜଣ ଯବାନ ସହିଦ ହୋଇଛନ୍ତି। ଗୁଳି ବିନିମୟ ସମୟର ଦୁଃଖଦ କାହାଣୀ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ସିଆରପିଏଫ ଡିଜି କୁଲଦୀପ ସିଂ।

ସେ କହିଛନ୍ତି, “ଛତିଶଗଡ଼ ବିଜାପୁର ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୨୪ଜଣ ଯବାନ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଡିଆରଜିର ୮ଜଣ, ଏସଟିଏଫର ୬ଜଣ, କୋବ୍ରାର ୭ଜଣ ଓ ଅନ୍ୟଜଣେ ଯବାନ ରହିଥିଲେ। ଯବାନମାନେ ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବରେ ନକ୍ସଲ ବିରୋଧୀ ଅପରେସନ କରିଥିଲେ । ସେହି ଅପରେସନରେ ୪୫୦ରୁ ଅଧିକ ଯବାନ ସାମିଲ ଥିଲେ।”ଡିଜି ଆଉ ମଧ୍ୟ କହିଛନ୍ତି, “ବିଜାପୁରର ଜୁନାଗଡ଼ ଗାଁରେ ଯୋଜନାବଦ୍ଧ ଭାବରେ ଲୁଚି ରହିଥିଲେ ମାଓବାଦୀ। ଯବାନମାନେ କମ୍ବିଂ ଅପରେସନ ସାରି ଫେରିବା ସମୟରେ ଏମାନେ ଆକ୍ରମଣ କରିଥିଲେ। ଟେକଲିଗୁଡ଼ମ ନିକଟରେ ମାଓବାଦୀମାନେ ଆମ୍ବୁସ ଲଗାଇଥିଲେ। ଯୋଜନାବଦ୍ଧ ଭାବରେ ଅପରେସନ କରାଯାଇଥିବାରୁ ସେମାନଙ୍କ ଗୁଳିର ପାଲଟା ଜବାବ ଦେଇଥିଲେ ଯବାନ। ଯବାନଙ୍କ ଗୁଳିରେ ପ୍ରଥମେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ ଶରୀର ଆଣିବା ସମୟରେ ମାଓବାଦୀମାନେ ଡିଆରଜି କମାଣ୍ଡରଙ୍କୁ ଗୁଳି କରିଥିଲେ। କମାଣ୍ଡରଙ୍କୁ ଉଦ୍ଧାର କରିବା ସମୟରେ ଆକ୍ରମଣ ଜୋଦାର ହୋଇଥିଲା। ପ୍ରାୟ ୭୫୦ରୁ ଊର୍ଦ୍ଧ୍ୱ ମାଓବାଦୀ ସେଠାରେ ଉପସ୍ଥିତ ଥିଲେ। ଯବାନଙ୍କ ଗୁଳିରେ ୩୦ରୁ ଅଧିକ ମାଓବାଦୀ ଆହତ ହୋଇଥିବାବେଳେ, ୨୮ରୁ ଉର୍ଦ୍ଧ୍ୱ ପ୍ରାଣ ହରାଇଛନ୍ତି।

ଆହତ ହୋଇଥିବା ଯବାନଙ୍କୁ ସାଥୀ ଯବାନମାନେ ୭ରୁ ୮କିମି ପର୍ଯ୍ୟନ୍ତ ସାଙ୍ଗରେ ଧରି ଆସିଥିଲେ। ଆସିବା ସମୟରେ ରାସ୍ତାରେ ପଡ଼ୁଥିବା ଏକ ଗାଁରେ ଲୁଚି ରହିଥିଲେ ମାଓବାଦୀ ଏବଂ ପୁଣିଥରେ ଅତର୍କିତ ଗୁଳି ମାରିବା ଆରମ୍ଭ କରିଥିଲେ। ଅଧିକ ମାତ୍ରାରେ ଯବାନ ସେଠାକୁ ଯାଇ ପାଲଟା ଗୁଳିଚାଳନା କରିବା ପରେ, ମାଓବାଦୀମାନେ ସେଠାରୁ ଛାଡ଼ି ଚାଲିଯାଇଥିଲେ।”ଏଭଳି ଭାବରେ ହୃଦୟ ବିଦାରକ କାହାଣୀ ଏକ ପ୍ରେସମିଟ୍‌ରେ କହିଛନ୍ତି ସିଆରପିଏଫ ଡିଜି କୁଲଦୀପ ସିଂ। ସୋମବାର ବିଜାପୁରରେ ଗୃହମନ୍ତ୍ରୀ ଅମିତ ଶାହ ପହଞ୍ଚି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି, ଏହାର କଡ଼ା ଯବାବ ଦିଆଯିବ ବୋଲି କହିଛନ୍ତି ଗୃହମନ୍ତ୍ରୀ। ରବିବାର ଘଟିଥିବା ଏହି ହୃଦୟ ବିଦାରକ ଘଟଣାର ମାଷ୍ଟରମାଇଣ୍ଡ ଥିଲେ ମାଓବାଦୀ ମାଡବି ଇଡମା। ତାଙ୍କରି ନେତୃତ୍ୱରେ ଯବାନଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା।

Comment