ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ର ନାରାୟଣପୁରଠାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ମୃତ ଯବାନମାନେ କାଡ଼ମେଟା କ୍ୟାମ୍ପ ଆଇଟିବିପିର ୪୫ତମ ବାଟାଲିୟନ ଅଧୀନରେ କାର୍ଯ୍ୟ କରୁଥିଲେ। ମାଓ ଦମନ ଅପରେସନରେ ବାହାରିଥିବା ସମୟରେ ମାଓବାଦୀମାନେ ଆମ୍ବୁସ ଲଗାଇ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବା ସହ ସେମାନଙ୍କଠାରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇଛନ୍ତି।

ସହିଦ୍ ହୋଇଥିବା ଯବାନମାନେ ହେଲେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସୁଧାକର ସିନ୍ଧେ ଓ ଏଏସ୍ଆଇ ଗୁରୁମୁଖ ସିଂହ। ଶୁକ୍ରବାର ଆଇଟିବିପିର ଯବାନମାନେ ସ୍ଥାନୀୟ ଅଞ୍ଚଳରେ ମାଓ ଦମନ ଅପରେସନ କରିବାକୁ ଯିବା ସମୟରେ କ୍ୟାମ୍ପଠାରୁ ମାତ୍ର ୬୦୦ ମିଟର ଦୂରରେ ଲୁଚି ରହିଥିବା ମାଓବାଦୀମାନେ ଅଚାନକ ଆକ୍ରମଣ କରିଥିଲେ।

ଏହି ଆକ୍ରମଣ ଯୋଗୁଁ ଦୁଇ ଯବାନ ଘଟଣାସ୍ଥଳରେ ସହିଦ ହୋଇଯାଇଥିଲେ। ଏହାପରେ ମାଓବାଦୀମାନେ ସେମାନଙ୍କଠାରୁ ଏକେ-୪୭, ୨ଟି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ, ଓୟାରଲେସ୍ ଫୋନ ଆଦି ଲୁଟି ନେଇଥିବା ଜଣାପଡ଼ିଛି। ଅନ୍ୟପଟେ ଯବାନମାନଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିବା କହିଛନ୍ତି ବସ୍ତର ରେଞ୍ଜ ଆଇଜି ପି ସୁନ୍ଦରାଜ।

Comment