ଶୁଭଶ୍ରୀ ନାୟକ

ମାଟ୍ରିକ ପରିକ୍ଷା ବାତିଲକୁ ବହୁ ପିଲା ସ୍ୱାଗତଯୋଗ୍ୟ ନିଷ୍ପତ୍ତି କହୁଥିଲା ବେଳେ ଅନେକ ଏହି ନିଷ୍ପତ୍ତିରେ ମର୍ମାହତ ହୋଇଛନ୍ତି।

ମାଟ୍ରିକ ପରୀକ୍ଷାକୁ ନେଇ ବର୍ଷବ୍ୟାପୀ ଲାଗି ରହିଥିବା ଅନିଶ୍ଚିତତାରେ ପୂର୍ଣ୍ଣଚ୍ଛେଦ ପକାଇ ବୁଧବାର ରାଜ୍ୟ ସରକାର ପରୀକ୍ଷା ବାତିଲ ଘୋଷଣା କରିଥିଲେ। ମହାମାରୀ କରୋନା ଯୋଗୁଁ ପିଲାଙ୍କ ଜୀବନକୁ ଗୁରୁତ୍ୱ ଦେଇ ସରକାର ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ। ତେବେ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକ ଏବଂ ଶିକ୍ଷାବିତଙ୍କ ମତାମତକୁ ନେଇ ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ରିପୋର୍ଟ।

matric exam cancelled

ଦୁର୍ବଳ ପିଲାଙ୍କୁ ଫାଇଦା

‘‘ମାଟ୍ରିକ ପରୀକ୍ଷା ବାତିଲ କରିବାର ନଥିଲା। ଆମେ ବର୍ଷସାରା ପରିଶ୍ରମ କରିଥିଲୁ। ଦିନକୁ ୧୪ ଘଣ୍ଟା ପାଠ ପଢ଼ୁଥିଲି। ୯୫ ପ୍ରତିଶତ ମାର୍କ ରଖିବି ବୋଲି ମୋର ଆଶା ଥିଲା। ପରୀକ୍ଷା ବାତିଲ ହେବା ଦ୍ୱାରା ମୋ ପରିଶ୍ରମର କିଛି ମୂଲ୍ୟ ରହିଲା ନାହିଁ। ପରୀକ୍ଷା ବାତିଲ ଦ୍ୱାରା କେବଳ ଦୁର୍ବଳ ଶ୍ରେଣୀର ପିଲା ଫାଇଦା ପାଇବେ’’, କହିଛନ୍ତି ଜଣେ ଛାତ୍ର ସୋନୁ ସିଂହ ସର୍ଦ୍ଦାର।

ନିଷ୍ପତ୍ତି ଠିକ୍‌ ହେଲାନି

‘‘ମାଟ୍ରିକ ପିଲାଙ୍କ ପାଇଁ ପୂର୍ବରୁ କରାଯାଇଥିବା ସ୍ଥଗିତ ନିଷ୍ପତ୍ତି ଠିକ ଥିଲା। ମାଟ୍ରିକ ପରୀକ୍ଷା ବାତିଲ ନିଷ୍ପତ୍ତି ଠିକ୍‌ ହେଲାନି। ଯେତେବେଳେ ଦ୍ୱାଦଶ ଶ୍ରେଣୀ ପିଲାଙ୍କର ପରୀକ୍ଷା ହୋଇଥାଆନ୍ତା ସେତେବେଳେ ମାଟ୍ରିକ ପରୀକ୍ଷା କରିଥିଲେ ଭଲ ହୋଇଥାନ୍ତା। ଏବେ ଯେଉଁ ପିଲା ଏକାଦଶକୁ ଯିବେ ସେମାନଙ୍କୁ କେଉଁ ଆଧାରରେ ବଛାଯିବ ତାହା ହିଁ ଚିନ୍ତାର ବିଷୟ। କାରଣ ଯେଉଁ ୬ ଲକ୍ଷ ପିଲା ଏବେ ପାସ୍‌ ହେବେ ସେମାନଙ୍କୁ ଏକାଦଶରେ ନାମ ଲେଖାଇବା ପାଇଁ ସ୍ଥାନ ନାହିଁ’’, କହିଛନ୍ତି ଶିକ୍ଷାବିତ୍‌ ପ୍ରୀତିଶ ଆଚାର୍ଯ୍ୟ।

ପିଲାଙ୍କ ଆତ୍ମବିଶ୍ୱାସ କମିଲା

‘‘ମାଟ୍ରିକ ପରୀକ୍ଷା ଛାତ୍ର ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା। ଏହି ପରୀକ୍ଷାକୁ ଆଧାର କରି ପିଲାମାନେ ଆଗକୁ ବଢ଼ିଥାଆନ୍ତି। ସେମାନଙ୍କୁ ଭଲ କଲେଜରେ ପଢ଼ିବାକୁ ସୁଯୋଗ ମିଳିଥାଏ। ହେଲେ ସରକାରଙ୍କ ଏହି ନିଷ୍ପତ୍ତିରେ ପିଲାମାନଙ୍କ ଭବିଷ୍ୟତ ପ୍ରଭାବିତ ହେଲା। ପିଲାମାନଙ୍କ ଆତ୍ମବିଶ୍ୱାସ କମିଲା’’, କହିଛନ୍ତି ଜଣେ ଅଭିଭାବକ ଭରତ ପ୍ରଧାନ।

ମେଧାବୀ ଅସୁବିଧାରେ ପଡ଼ିବେ

‘‘ସରକାର ଜୀବନକୁ ଗୁରୁତ୍ୱ ଦେଇ ମାଟ୍ରିକ ପରୀକ୍ଷାକୁ ବାତିଲ କଲେ। କୋଭିଡ କାଳରେ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଏହାଦ୍ୱାରା ମେଧାବୀ ପିଲାମାନେ ଅସୁବିଧାରେ ପଡ଼ିବେ। କାରଣ ସରକାର ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ କେଉଁ ଆଧାରରେ କରିବେ ତାହା ସ୍ପଷ୍ଟ କରିନାହାନ୍ତି। ତେଣୁ ମାର୍କିଂ ନେଇ ଆମେ ଦ୍ୱନ୍ଦ୍ୱରେ ଅଛୁ।  ପରୀକ୍ଷା ବାତିଲ ନେଇ ମୁଁ ଦୁଃଖିତ’’, କହିଛନ୍ତି ଜଣେ ଛାତ୍ର ଆଶୁତୋଷ ପଲାଇ।

ପିଲାଙ୍କଠୁ ଅଭିଭାବକ ଅଧିକ ପରିଶ୍ରମ କରୁଥିଲେ

‘‘ପିଲାଙ୍କଠାରୁ ଆମେମାନେ ଅଧିକ ପରିଶ୍ରମ କରୁଥିଲୁ। ସେମାନେ କେମିତି ଭଲ ରେଜଲ୍ଟ କରିବେ, ଭଲ ମାର୍କ ପାଇବେ, ଭଲ କଲେଜରେ ପଢ଼ିବେ ସେଥିପାଇଁ ଆମେ ଦିନରାତି ଏକ କରି ଦେଇଥିଲୁ। ହେଲେ ସରକାର କିଛି ପିଲାଙ୍କ ଦାବି ଶୁଣି ଏତେ ବଡ଼ ନିଷ୍ପତ୍ତି ଶୁଣାଇ ଦେଲେ। ଏହାଦ୍ୱାରା ପିଲାଙ୍କ ପାଠପଢ଼ା ପ୍ରଭାବିତ ହେଲା, ସେମାନଙ୍କ ଇଚ୍ଛା ବି ମରିଗଲା’’, କହିଛନ୍ତି ଅନ୍ୟଜଣେ ଅଭିଭାବକ ଶଶିରେଖା ବେହେରା।

ଧୁଆ ମୂଳ ଅଧୁଆ ମୂଳା ସବୁ ସମାନ

‘‘ପରୀକ୍ଷା ଯେଭଳି ଭାବେ ବାତିଲ ହେଲା ତାହା ଗ୍ରହଣୀୟ ନୁହେଁ। କାରଣ ରାଜ୍ୟରେ ୬ ଲକ୍ଷ ପିଲା ପରୀକ୍ଷା ଦେଇଥାନ୍ତେ। କିନ୍ତୁ କିଛି ପିଲାଙ୍କ ପାଇଁ ସରକାର ନିଷ୍ପତ୍ତି ନେଲେ। ସେହି ୬ ଲକ୍ଷ ପିଲାଙ୍କ ଭିତରୁ ଯେଉଁମାନେ ମେଧାବୀ ଥିଲେ ସେମାନଙ୍କ କଥା ସରକାର ଚିନ୍ତା କଲେନି। ମାଟ୍ରିକ ପରିକ୍ଷା ଛାତ୍ର ଜୀବନର ପ୍ରଥମ ବୋର୍ଡ ପରୀକ୍ଷା। ଯାହାକି ସେମାନଙ୍କ ପାଇଁ ମାର୍ଗଦର୍ଶିକା ପାଲଟିଥାଏ। ହେଲେ ଚଳିତ ବର୍ଷ ସେମାନଙ୍କୁ ସେ ସୁଯୋଗ ମିଳିଲାନି। ଏବେ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଧୁଆ ମୂଳା ଅଧୁଆ ମୂଳା ସବୁ ସମାନ ହୋଇଗଲେ’’, କହିଛନ୍ତି ଶିକ୍ଷାବିତ୍‌ ନିରଞ୍ଜନ ପଣ୍ଡା।

ଏକାଦଶରେ ଆଡମିସନ ବେଳେ ଏଣ୍ଟ୍ରାନ୍ସ ହେଉ

‘‘ପରୀକ୍ଷା ବାତିଲ ହୋଇଗଲା। ଏବେ କେଉଁ ଆଧାରରେ ରେଜଲ୍ଟ ମିଳିବ ତାହା ଜଣାନାହିଁ। ଫଳରେ ମେଧାବୀ, ଅଣମେଧାବୀ ପିଲାଙ୍କୁ ବାଛି ହେବ ନାହିଁ। ଯେଉଁଥିପାଇଁ ଏକାଦଶରେ ନାମ ଲେଖାଇବା ସମୟରେ ସମସ୍ୟା ହେବ। ତେଣୁ ମୁଁ ଚାହୁଁଛି ଏକାଦଶରେ ନାମ ଲେଖାଇଲା ବେଳେ ଏଣ୍ଟ୍ରାନ୍ସ ହେଉ, ଯାହାଦ୍ୱାରା ଭଲ ପିଲା ଭଲ କଲେଜରେ ନାଁ ଲେଖାଇବାର ସୁଯୋଗ ପାଇବେ’’, କହିଛନ୍ତି ଜଣେ ଛାତ୍ର ଶୁଭମଶ୍ରୀ ପ୍ରଧାନ।

ଜୀବନ ଥିଲେ ତ ପାଠ ପଢ଼ିବୁ

‘‘ସରକାର ପିଲାଙ୍କ ଜୀବନକୁ ଗୁରୁତ୍ୱ ଦେଇ ପରୀକ୍ଷା ବାତିଲ ନିଷ୍ପତ୍ତି ନେଇଛନ୍ତି। ପରୀକ୍ଷା ହେବ ନାହିଁ ଏହା ଦୁଃଖ ଦେଇଥିଲେ ବି ସରକାରଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ। କାରଣ ଜୀବନ ଥିଲେ ଆମେ ଆଗକୁ ପାଠ ପଢ଼ିବୁ, ପରୀକ୍ଷା ଦେବୁ’’ କହିଛନ୍ତି ଜଣେ ଛାତ୍ରୀ ତୁଳସୀ ନାୟକ।

ପିଲାମାନେ ପରିଶ୍ରମ କରିଥିଲେ

‘‘କୋଭିଡ ସତ୍ତ୍ୱେ ଦଶମ ଶ୍ରେଣୀ ପିଲାମାନେ ବହୁ ପରିଶ୍ରମ କରିଥିଲେ। ସରକାର ସେମାନଙ୍କୁ ପରୀକ୍ଷା ଦର୍ପଣ ଯୋଗାଇଥିଲେ। ତାକୁ ମଧ୍ୟ ପିଲା ଅଭ୍ୟାସ କରିଥିଲେ। ଏତେ ପରିଶ୍ରମ ପରେ ପରୀକ୍ଷା ବାତିଲ ହୋଇଯିବା ଟା ସମସ୍ତଙ୍କୁ ନିରାଶ କରିଛି’’, କହିଛନ୍ତି ଜଣେ ଶିକ୍ଷୟିତ୍ରୀ ରଶ୍ମୀ ପଟ୍ଟନାୟକ।

ପିଲାଙ୍କ ଆଗ୍ରହ କମିଯିବ

‘‘ପରୀକ୍ଷା ପାଇଁ ପିଲା ଉତ୍ସାହର ସହିତ ପାଠ ପଢ଼ନ୍ତି। ପାଠପ୍ରତି ସେମାନଙ୍କର ଆଗ୍ରହ ଥାଏ। ଏବେ ପରୀକ୍ଷା ବାତିଲ ହୋଇଗଲା। ସେମାନେ ପାଠପ୍ରତି ଆଉ ଧ୍ୟାନ ଦେବେ ନାହିଁ। ସେମାନଙ୍କ ଆଗ୍ରହ କମିଯିବ’’, କହିଛନ୍ତି ଜଣେ ଶିକ୍ଷକ ନିର୍ମଳ ଚନ୍ଦ୍ର ପାଢ଼ୀ।

Comment