ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଚଳିତ ନିର୍ବାଚନରେ ନିଜ ଆସନରୁ ହାରିଛନ୍ତି ମମତା ବାନାର୍ଜୀ। ତଥାପି କେମିତି ସେ ମୁଖ୍ୟମନ୍ତ୍ରୀ ହେବେ ଜାଣନ୍ତୁ…

ପଶ୍ଚିମବଙ୍ଗରେ ତୃତୀୟ ଥର ପାଇଁ ସରକାର ଗଢ଼ିବ ତୃଣମୂଳ କଂଗ୍ରେସ (ଟିଏମ୍‌ସି)। ମେ’୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦଳର ସୁପ୍ରିମୋ ମମତା ବାନାର୍ଜୀ। କୋଭିଡ କଟକଣାରେ ଦିଦିଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ତେବେ ଗୋଟିଏ କଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ ମମତା ତାଙ୍କ ନିଜ ଆସନ ହରାଇବା ପରେ ବିଧାନସଭା ସଦସ୍ୟ ହୋଇନାହାନ୍ତି। ଏହାସତ୍ତ୍ୱେ ବି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ବିଧାୟକ ନହୋଇ ମଧ୍ୟ କେମିତି ହେବେ ମୁଖ୍ୟମନ୍ତ୍ରୀ?

ଜଣେ ବ୍ୟକ୍ତି ବିନା ବିଧାନସଭାର ସଦସ୍ୟ ନହୋଇ ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରିବେ। ଭାରତୀୟ ସମ୍ବିଧାନର ଧାରା ୧୬୪ (୪) ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ବିଧାନସଭାର ସଦସ୍ୟ ନୁହନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ ପଦରେ ଆସୀନ ହୋଇଛନ୍ତି ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଛଅ ମାସ ଭିତରେ ବିଧାନସଭା କିମ୍ବା ବିଧାନ ପରିଷଦକୁ ନିର୍ବାଚିତ ହୋଇ ଆସିବାକୁ ପଡ଼ିବ। ଏଥିପାଇଁ ତାଙ୍କ ଦଳ କିମ୍ବା ମେଣ୍ଟର କୌଣସି ବିଧାୟକ ତାଙ୍କ ଆସନରୁ ଇସ୍ତଫା ଦେବେ। ଏହାପରେ ସେହି ଆସନରେ ଉପ-ନିର୍ବାଚନ ହେବ। ଯଦି ଏହି ଉପନିର୍ବାଚନରେ ସେ ଜିତିଲେ ତେବେ ତାଙ୍କ ମୁଖ୍ୟମନ୍ତ୍ରୀ ପଦ ରହିବ।

ଯେହେତୁ ପଶ୍ଚିମବଙ୍ଗରେ ବିଧାନ ପରିଷଦ ନାହିଁ, ତେଣୁ ମମତାଙ୍କ ପାଇଁ ବିଧାନସଭା ଉପନିର୍ବାଚନ ଏକମାତ୍ର ବିକଳ୍ପ ହେବ। ତେବେ ମମତାଙ୍କ ପାଇଁ ଏହା ପ୍ରଥମ  ଥର ନୁହେଁ।  ୨୦୧୧ରେ ଟିଏମସି ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ମମତା ମୁଖ୍ୟମନ୍ତ୍ରୀ ଆସନ ମଣ୍ଡନ କରିଥିଲେ। ହେଲେ ସେତେବେଳେ ସେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିନଥିଲେ। ମୁଖ୍ୟମନ୍ତ୍ରୀ ହେବାର କିଛି ମାସ ପରେ ସେ ଭବାନୀପୁରରୁ ନିର୍ବାଚିତ ହୋଇଥିଲେ। ଫଳରେ ତାଙ୍କ ମୁଖ୍ୟମନ୍ତ୍ରୀ ପଦ ରହିଥିଲା।

 ନନ୍ଦିଗ୍ରାମରୁ ଲଢ଼ୁଥିଲେ ମମତା

କୋଭିଡ କଟକଣାରେ ମାର୍ଚ୍ଚ ୨୭ ତାରିଖରୁ ପଶ୍ଚିମବଙ୍ଗରେ ନିର୍ବାଚନ ଆରମ୍ଭ ହୋଇଥିଲା। ୮ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା। ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ସବୁଠାରୁ ଚର୍ଚ୍ଚିତ ଆସନ ନନ୍ଦିଗ୍ରାମରୁ ଲଢ଼ିଥିଲେ ମମତା। ଏହି ଆସନରେ ତାଙ୍କ ବିପକ୍ଷରେ ଥିଲେ ବିଜେପି ପ୍ରାର୍ଥୀ ତଥା ତାଙ୍କ ପୂର୍ବତନ ସହଯୋଗୀ ଶୁଭେନ୍ଦୁ ଅଧିକାରୀ। ଉଭୟଙ୍କ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିଥିଲା। ହେଲେ ଚଳିତ ଭୋଟରେ ନନ୍ଦିଗ୍ରାମ ଆସନରେ ମମତାଙ୍କୁ ମାତ୍‌ ଦେଇ ଶୁଭେନ୍ଦୁ ଅଧିକାରୀ ବିଜୟ ହୋଇଛନ୍ତି।

Comment