ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଦେଶରେ ଛୋଟପିଲାଙ୍କୁ ଦିଆଯିବ କରୋନା ଟିକା। ୧୮ ବର୍ଷରୁ କମ୍ ପିଲାଙ୍କ ଉପରେ କରୋନା ଟିକା ଟ୍ରାଏଲକୁ ଅନୁମତି ମିଳିଛି। କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ଛୋଟପିଲା ଓ ଯୁବପିଢ଼ି ଅଧିକ ପ୍ରଭାବିତ ହେଉଛନ୍ତି। ସଂକ୍ରମଣ ନିୟନ୍ତ୍ରଣ ପାଇଁ ଯୁବପିଢ଼ିଙ୍କୁ ଟିକା ଦିଆଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ୧୮ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ କୌଣସି ଟିକା ବାହାର କରାଯାଇନାହିଁ। ତେବେ ତୃତୀୟ ଲହର ସଂକ୍ରମଣ ଆସିବା ପୂର୍ବରୁ ଦେଶରେ ଛୋଟପିଲାଙ୍କ ପାଇଁ ଟିକା ଉପଲବ୍ଧ ଥିବା ନେଇ ଚର୍ଚ୍ଚା ହେଉଛି।ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଦେଶୀ ଟିକା କୋଭାକ୍ସିନର କ୍ଲିନିକାଲ ଟ୍ରାଏଲକୁ ଅନୁମତି ମିଳିଛି। ଏହି ଟିକାର ପ୍ରଥମ ପର୍ଯ୍ୟାୟ ଟ୍ରାଏଲ ସରିଥିବାବେଳେ, ଏବେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ କରାଯିବ। ୫୨୫ଟି ଅଲଗା ଅଲଗା ସ୍ଥାନରେ ଟ୍ରାଏଲ କରାଯିବା ନେଇ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଦିଲ୍ଲୀ ଏବଂ ପାଟନା ଏମ୍ସ ସହିତ ନାଗପୁରର ମେଡିଟ୍ରିନା ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସରେ ଏହାର କ୍ଲିନିକାଲ ଟ୍ରାଏଲ କରାଯିବ। ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ଆବେଦନକୁ ସେଣ୍ଟାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ପକ୍ଷରୁ ଗ୍ରୀନ ସିଗ୍‌ନାଲ ଦିଆଯାଇଛି।ନିକଟରେ ଆମେରିକାରେ ମଧ୍ୟ ୧୨ରୁ ୧୫ବର୍ଷ ପିଲାଙ୍କୁ କରୋନା ଟିକା ଦେବା ପାଇଁ ଅନୁମତି ମିଳିଛି। ଆମେରିକାରେ ଆଗକୁ ସ୍କୁଲ ଖୋଲିବାକୁ ଯାଉଛି। ତେଣୁ ପ୍ରଥମେ ସ୍କୁଲ ଯିବାକୁ ଥିବା ପିଲାମାନଙ୍କୁ ଟିକା ଦେବାକୁ ଆମେରିକା ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଆମେରିକାରେ ୧୬ରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦେବାକୁ ଅନୁମତି ମିଳି ସାରିଛି। ଏଥିସହ କାନାଡ଼ାରେ ମଧ୍ୟ ୧୨ରୁ ୧୮ ବର୍ଷ ପିଲାଙ୍କୁ ଟିକା ଦେବାକୁ ଅନୁମତି ମିଳିଛି।

Comment