ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ୟାସ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି। ଉପକୂଳ ଅତିକ୍ରମ କରିଛି ୟାସ୍। ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ମଧ୍ୟରେ ଏହା ଉପକୂଳ ଅତିକ୍ରମ କରିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।ବାତ୍ୟା ୟାସ୍ ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୫୦ କିଲୋମିଟର ରହିଥିଲା। ଆଗାମୀ ୩ ଘଣ୍ଟା ମଧ୍ୟରେ ବାତ୍ୟା ଦୁର୍ବଳ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ଲ୍ୟାଣ୍ଡଫଲ୍ ପରେ ସମୁଦ୍ରରେ ଜୁଆରର ଉଚ୍ଚତା କମିଛି। ଏବେ ବାଲେଶ୍ଵର ଏବଂ ଭଦ୍ରକରେ ସମୁଦ୍ର ଜୁଆରର ଉଚ୍ଚତା ୨ ମିଟର ରହିଛି। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ବିପଦ ଟଳି ନାହିଁ। ତେଣୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ନ ଦିଆଗଲା ପର୍ଯ୍ୟନ୍ତ ବାହାରକୁ ନ ବାହାରିବାକୁ ମୃତ୍ୟୁଞ୍ଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି।ବାଲେଶ୍ଵର ଅତିକ୍ରିମ କରିବା ପରେ ବାତ୍ୟା ଏବେ ମୟୂରଭଞ୍ଜ ମୁହାଁ ହୋଇଛି। ଏହା ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ୧୦୦ କିଲୋମିଟର ବେଗରେ ପବନ ବହିବ। ମଧ୍ୟରାତ୍ର ସୁଦ୍ଧା ଏହା କମି ୬୦ରୁ ୭୦ କିଲୋମିଟର ପ୍ରତିଘଣ୍ଟା ହେବ। ଏହାପରେ କାଲି ସକାଳ ସୁଦ୍ଧା ବାତ୍ୟା ଝାଡ଼ଖଣ୍ଡ ପାଖରେ କେନ୍ଦ୍ରୀଭୂତ ହେବ। ସେତେବେଳେ ସେଠାରେ ପବନର ବେଗ ୪୦ରୁ ୫୦ କିଲୋମିଟର ପ୍ରତିଘଣ୍ଟା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Comment