ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ଭାରତର ୫୯୪ଡାକ୍ତରଙ୍କ ମୃତ୍ୟୁ ହୋଇଛି।

ଦେଶରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ଧନୀ, ଗରୀବ, ନେତା, ମନ୍ତ୍ରୀ, ଅଭିନେତା, ଅଭିନେତ୍ରୀ ସମସ୍ତେ ଏହି ମହାମାରୀର ଶିକାର ହେଉଛନ୍ତି। ଏଭଳି ସଂଙ୍କଟ ସମୟରେ ଜନସାଧାରଣଙ୍କ ପାଇଁ ଭଗବାନ ପାଲଟିଥିବା ଡାକ୍ତରମାନେ ମଧ୍ୟ ଏହି ଭୂତାଣୁ କବଳରୁ ବାଦ ପଡ଼ିନାହାଁନ୍ତି। କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ପ୍ରାୟ ୫୯୪ଡାକ୍ତରଙ୍କ ଜୀବନ ନେଇଛି କରୋନା। ଏନେଇ ଭାରତୀୟ ଡାକ୍ତରୀ ସଂଘ(ଆଇଏମଏ) ପକ୍ଷରୁ ସୂଚନା ମିଳିଛି।ଭାରତର ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ଥିବା ୫ଶହରୁ ଅଧିକ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି। ଏମାନଙ୍କ ମଧ୍ୟରେ ଓଡ଼ିଶାର ୨୨ଜଣ ଡାକ୍ତର ରହିଛନ୍ତି। ସେହିପରି ଦିଲ୍ଲୀରେ ସର୍ବାଧିକ ୧୦୭ଜଣ, ବିହାରରେ ୯୬ଜଣ, ଉତ୍ତରପ୍ରଦେଶର ୬୭ଜଣ, ରାଜସ୍ଥାନର ୪୩ଜଣ ଓ ଝାଡ଼ଖଣ୍ଡର ୩୯ଜଣ ରହିଥିବା ଆଇଏମଏ ପକ୍ଷରୁ ସୂଚନା ରହିଛି।

ଭାରତରେ ସର୍ବପ୍ରଥମେ ଚିହ୍ନଟ ହୋଇଥିବା ବି.୧.୬୧୭ର ତିନୋଟି ଭାରିଏଣ୍ଟ ମଧ୍ୟରୁ ଗୋଟିଏ ଏବେ ଚିନ୍ତାର କାରଣ ହୋଇଛି ବୋଲି କହିଛି ଡବ୍ଲୁଏଚ୍‌ଓ। ଏହି ତିନୋଟି ମଧ୍ୟରୁ ବି.୧.୬୧୭.୨ ଭାରିଏଣ୍ଟ୍ ଅଧିକ ସଂକ୍ରାମକ ବୋଲି ଜଣାପଡିଛି। ଭାଇରସର ଅବଶିଷ୍ଟ ଦୁଇ ଭାରିଏଣ୍ଟର ସଂକ୍ରମଣ କ୍ଷମତା ତୁଳନାତ୍ମକ ଭାବେ କମ୍ ବୋଲି କୁହାଯାଇଛି।ଅନ୍ୟପଟେ ଦେଶରେ ସଂକ୍ରମଣ ଏଯାଏଁ କମିନାହିଁ। ପୂର୍ବାପେକ୍ଷା ଅପେକ୍ଷାକୃତ କମ୍‌ ରହିଛି। କେନ୍ଦ୍ର ମନ୍ତ୍ରାଳୟର ତଥ୍ୟ ଅନୁସାରେ କିଛି ଦିନ ପୂର୍ବରୁ ଦୈନିକ ସଂକ୍ରମଣ ୩ଲକ୍ଷରୁ ୪ଲକ୍ଷ ମଧ୍ୟରେ ରହୁଥିବାବେଳେ, ବର୍ତ୍ତମାନ ଏହା ଦେଢ଼ ଲକ୍ଷ ଭିତରେ ରହୁଛି। କିନ୍ତୁ ଏପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା କମିବାରେ ନାଁ ଧରୁନାହିଁ। ରିପୋର୍ଟ ଅନୁସାରେ, ଦେଶରେ ଗତ ୨୪ ଘଣ୍ଟାରେ ପୁଣି ୧ ଲକ୍ଷ ୩୨ ହଜାର ୭୮୮ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୩ ହଜାର ୨୦୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Comment