ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ପୌର ନିର୍ବାଚନ ଭଳି ଏବେ ପଞ୍ଚାୟତ ନିର୍ବାଚନକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି। ପୌର ନିର୍ବାଚନ ନେଇ ଏଯାଏଁ ଯେପରି କିଛି ଆୟୋଜନ ଦେଖିବାକୁ ମିଳୁନାହିଁ, ସେହିପରି ପଞ୍ଚାୟତ ନିର୍ବାଚନ ମଧ୍ୟ ସେଇ ବାଟ ଧରିବ ଏହା କ୍ରମେ ସ୍ପଷ୍ଟ ହୋଇଛି। ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନର୍ବାଚନ ୨୦୨୨, ଫେବ୍ରୁଆରି ମାସରେ ଅନୁଷ୍ଠିତ ହେବା କଥା। କିନ୍ତୁ ସରକାରଙ୍କ ଦ୍ୱାରା ଏଯାଏଁ ୱାର୍ଡ ପୁନର୍ଗଠନ ବା ଡିଲିମିଟେସନ ଓ ସ୍ଥାନ ସଂରକ୍ଷଣ କାମ ହୋଇ ପାରିନାହିଁ।

ରାଜ୍ୟ ନିର୍ବାଚନ କମିସନ ପକ୍ଷରୁ ୱାର୍ଡ ପୁନର୍ଗଠନ ଓ ସ୍ଥାନ ସଂରକ୍ଷଣ କାମ ୨୦୨୧, ଏପ୍ରିଲ ମାସ ମଧ୍ୟରେ ଶେଷ କରିବା ପାଇଁ ସରକାରଙ୍କୁ କୁହାସରିଛି। କିନ୍ତୁ ଏପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଆରମ୍ଭ ବି ହୋଇପାରି ନାହିଁ, ଫଳରେ ଆସନ୍ତା ବର୍ଷ ପଞ୍ଚାୟତ ନିର୍ବାଚନ କେମିତି ହେବ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨୦୧୭ ମସିହାରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହୋଇଥିଲା।ଅନ୍ୟପଟେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତରେ ସୀମିତ ରଖିବା ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏଥି ସକାଶେ ଉଭୟ କାମ ବାକି ପଡ଼ିଥିବା ଜଣାପଡ଼ିଛି। ଯଦି ପଞ୍ଚାୟତଗୁଡ଼ିକରେ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତକୁ କମାଇ ଦିଆଯିବ, ତେବେ ସେଥିପାଇଁ ୧୯୬୪ର ପଞ୍ଚାୟତ ଆଇନ, ୧୯୯୯ର ପଞ୍ଚାୟତ ସମିତି ଆଇନ ଓ ଜିଲ୍ଲା ପରିଷଦ ଆଇନରେ ସଂଶୋଧନ କରିବା ପାଇଁ ହେବ।

ସେହିପରି ପଞ୍ଚାୟତରେ ସ୍ଥାନ ସଂରକ୍ଷଣ ନହୋଇ ପାରିବା ପଛରେ ଆଉ ଗୋଟିଏ ବଡ଼ କାରଣ ହେଉଛି କୋଭିଡ ମହାମାରୀ।

Comment