ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): କରୋନା କାଳରେ ଠପ୍ ହୋଇଯାଇଛି ଜୀବିକା। ଅନେକ ଚାକିରି ହରାଇଛନ୍ତି, ତ’ ଅନେକ ଭୂତାଣୁ ସଂକ୍ରମଣ ଡରରେ ବାହାରକୁ ନଯାଇପାରି ଘରେ ବସିଛନ୍ତି, ଆଉ କିଏ କିଏ ଲକଡାଉନ୍ କଟକଣା ଯୋଗୁଁ ଖାଇବାକୁ ମୁଠାଏ ପାଉନାହାଁନ୍ତି। ଏଭଳି ପରିସ୍ଥିତିରେ ନବରଙ୍ଗପୁର ବସ୍ ଷ୍ଟାଣ୍ଡର ଖଲାସୀଙ୍କୁ ସହାୟତାର ହାତ ବଢ଼ାଇ ଆଗକୁ ଆସିଛନ୍ତି ସେଠାକାର ଔଷଧ ଦୋକାନୀ।

ରାଜ୍ୟରେ କରୋନାର ଦ୍ଵିତୀୟ ଲହର ସଂକ୍ରମଣ ଜାରି ରହିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ମହାମାରୀ ସମୟରେ ଗାଡି ଚଳାଚଳକୁ ବନ୍ଦ କରାଯାଇଛି। ଫଳରେ ନବରଙ୍ଗପୁର ସହରର ବସ୍ ଷ୍ଟାଣ୍ଡଗୁଡ଼ିକ ଜନଶୂନ୍ୟ ହୋଇଯାଇଛି। ଏହି ବସ୍ ଷ୍ଟାଣ୍ଡ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଖଲାସୀମାନେ ରୋଜଗାର ହରାଇ ଘରେ ବସିଛନ୍ତି। ପ୍ରାୟ ଦେଢ଼ ମାସରୁ ଊର୍ଦ୍ଧ୍ବ ସମୟ ସେମାନଙ୍କ କାମ ବନ୍ଦ ପଡ଼ିବା ଫଳରେ ପରିବାର ଚଳାଇବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଲାଣି। ଏଭଳି ସ୍ଥିତିରେ ସହରର ଔଷଧ ଦୋକାନୀମାନେ ସେମାନଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି।

ରାମ ମନ୍ଦିର, ଶାସ୍ତ୍ରୀ ଭବନ ଏବଂ ନୂଆଁ ବସ୍ ଷ୍ଟାଣ୍ଡରରେ କାମ କରୁଥିବା ପ୍ରାୟ ୪୦ଖଲାସୀଙ୍କ ପରିବାରକୁ ଔଷଧ ଦୋକାନୀମାନଙ୍କ ତରଫରୁ ୫କୁଇଣ୍ଟାଲ ଚାଉଳ ଓ ମାସ୍କ ପ୍ରଦାନ କରାଯାଇଛି। ଔଷଧ ଦୋକାନୀଙ୍କ ମଧ୍ୟରେ ବିଜୟ କୁମାର ମହାପାତ୍ର , ୟୁ ଅରୁଣ, ଭି ପ୍ରଭାକର ରାଓ, ଭି ଭେଙ୍କଟ ରାଓ, ଏନ କାଲା କ୍ରିଷ୍ଣା, ଏମ ଆନନ୍ଦ ରାଓ, ଜି ଅଶୋକ କୁମାର ପ୍ରମୁଖ ରହିଛନ୍ତି।

Comment