ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ କରୋନା ମହାମାରୀର ତୃତୀୟ ଲହର ଏତେଟା ପ୍ରଭାବ ପକାଇବ ନାହିଁ ବୋଲି ସରକାରୀ ସ୍ତରରେ ଆକଳନ କରାଯାଇଛି। କାରଣ ଇତି ମଧ୍ୟରେ ଟିକାକରଣ ଯୋଗୁଁ ଲୋକଙ୍କ ଶରୀରରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବାରେ ଲାଗିଛି।

ବୟସ୍କଙ୍କ କ୍ଷେତ୍ରରେ ୮୨ ପ୍ରତିଶତ ଓ ଶିଶୁଙ୍କ କ୍ଷେତ୍ରରେ ୫୪ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି। ଅଧିକାଂଶ ଲୋକଙ୍କ ଶରୀରରେ ହର୍ଡ ଇମ୍ୟୁନିଟି ବା ସମୂହ ପ୍ରତିରୋଧକ ଶକ୍ତି  ସୃଷ୍ଟି ହୋଇଥିବାରୁ ରାଜ୍ୟକୁ ତୃତୀୟ ଲହର ଆସିବା ସମ୍ଭାବନା କମ୍ ରହିଛି।

ଏହି  ଆକଳନ ନିଶ୍ଚିତଭାବେ ସ୍ୱାଗତଯୋଗ୍ୟ। ଆସନ୍ତା ୩ରୁ ୪ ମାସ ସଚେତନ ରହିଲେ ଓ କୋଭିଡର ସମସ୍ତ ନିୟମ ମାନିଲେ ଆଉ ସଂକ୍ରମଣ ଆସିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

ଅନ୍ୟପଟେ ଏହି ଆକଳନ ସତ୍ତ୍ୱେ ଯଦି ତୃତୀୟ ଲହର ଆସେ ତେବେ ୧୫ ପ୍ରତିଶତ ଶିଶୁ ଆକ୍ରାନ୍ତ ହେବାର ଆଶଙ୍କା ରହିଛି ବୋଲି ଡାକ୍ତର କହୁଛନ୍ତି। ଏଥିପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମି, ମାନବ ସମ୍ବଳ ଓ ତାଲିମ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଆଗଧାଡ଼ିର ଯୋଦ୍ଧା ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କୁ ତାଲିମ ଦିଆଯାଇଛି।

ଏବେ ୬ଟି ବ୍ୟାଚରେ ଶିଶୁ ଚିକିତ୍ସକଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ସେପଟେ ଟିକାକରଣ ଉପରେ ଅଧିକରୁ ଅଧିକ ଫୋକସ୍ କରାଯାଉଛି। ବିଶେଷକରି ଗ୍ରାମାଞ୍ଚଳରେ ବ୍ୟାପକ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ଓଡ଼ିଶା ସରକାର।ସରକାରୀ ପ୍ରଚେଷ୍ଟା ସହ ଜନସାଧାରଣ ବି ଯଦି ସତର୍କ ରହିବେ କରୋନାକୁ ମୁକାବିଲା କରାଯାଇ ପାରିବ ଏଥିରେ ଦ୍ୱିମତ ନାହିଁ।

Comment