ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରି ପରେ ହସ୍ପିଟାଲରେ ପ୍ରାଣ ହରାଇଥିବା ଦୁଷ୍ମନ୍ତଙ୍କ ପରିବାରକୁ ରାଜ୍ୟ ସରକାର ୩୦ ଲକ୍ଷ ଟଙ୍କା ଆର୍ଥିକ ରାଶି ଦିଅନ୍ତୁ ବୋଲି ବିଜେପି ଦାବି କରିଛି। ସେହିପରି ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରି ବରିଷ୍ଠ ବିଜେପି ନେତା ମନମୋହନ ସାମଲ ଏଭଳି ଦାବି କରିଛନ୍ତି।

‘‘ଦୁଷ୍ମନ୍ତଙ୍କ ପରିବାର ନିକଟରେ ଚାଷ ଜମି ମଧ୍ୟ ନାହିଁ। ତାଙ୍କ ଉପରେ ପୂରା ପରିବାର ନିର୍ଭର କରୁଥିଲା। ତାଙ୍କ ଘରେ ସ୍ତ୍ରୀ, ଛୋଟ ଝିଅ ଓ ତାଙ୍କ ବାପା ଓ ମା’ ଅଛନ୍ତି। ତେଣୁ ଦୁଷ୍ମନ୍ତଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରନ୍ତୁ ରାଜ୍ୟ ସରକାର। ଏହାସହିତ ଦୁଷ୍ମନ୍ତଙ୍କ ସ୍ତ୍ରୀଙ୍କୁ କର୍ମନିଯୁକ୍ତି ଯୋଗାଇ ଦିଅନ୍ତୁ’’, କହିଛନ୍ତି ବିଜେପି।

ଜଗତସିଂପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳ ପଙ୍କପାଳ ପଞ୍ଚାୟତ ମନ୍ତ୍ରୀପାଟଣା ଗାଁର ଜଣେ ଯୁବକ ହେଉଛନ୍ତି ଦୁଷ୍ମନ୍ତ ଦାସ। ୨୦୨୦ ବର୍ଷ ମାର୍ଚ୍ଚ ୨୨ ତାରିଖରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗିଥିବାରୁ ଡାକ୍ତର ଅସ୍ତ୍ରୋପଚାର ହୋଇଥିଲା। କିଛି ଦିନ ସେଠାରେ ରହିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା।

ଘରକୁ ଆସିବାପରେ ଗୋଡ଼ରେ ଯନ୍ତ୍ରଣା ହେବାରୁ ଦୁଷ୍ମନ୍ତ ପୁଣିଥରେ ଡାକ୍ତରଖାନାକୁ ଯାଇଥିଲେ। କରୋନା ସମୟ ଚାଲିଥିବାରୁ ତାଙ୍କର ସଠିକ୍ ଚିକିତ୍ସା ହୋଇପାରିନଥିବା ମୃତ୍ୟୁ ପୂର୍ବରୁ କହିଥିଲେ ଦୁଷ୍ମନ୍ତ। ଏଥିସହ ସେ ଆଉ ମଧ୍ୟ କହିଥିଲେ ତାଙ୍କ ପାଖରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ଥିଲେ ମଧ୍ୟ ତା’ର କୌଣସି ଫାଇଦା ମିଳିନଥିଲା।

ଶେଷରେ ବାଧ୍ୟ ହୋଇ ସ୍ଵାସ୍ଥ୍ୟ ସଚିବଙ୍କୁ ଭେଟି ନିଜର ଦୁଃଖ ଜଣାଇଥିଲେ। ସେଥିରେ ବି ଫେଲ ମାରିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସ୍ଵାସ୍ଥ୍ୟ ସଚିବକଙ୍କୁ ଇଚ୍ଛା ମୃତ୍ୟୁ ପାଇଁ ଚିଠି ଲେଖିଥିଲେ ହେଁ କେଉଁଠାରୁ କିଛି ସହଯୋଗ ନ ମିଳିବାରୁ ବୁଧବାର ବିଧାନସଭା ନିକଟରେ ବିଷ ପିଇ, ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here