ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଜଳ ନିଷ୍କାସନ ପାଇଁ ଡ୍ୟାମର ୨୮ଟି ଗେଟ୍ ଖୋଲାଯାଇଛି। ଏହା ଫଳରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ଦେଖା ଦେଇଛି। ଏଥିସହ ଏହାର ତଳିଆ ଅଞ୍ଚଳଗୁଡ଼ିକରେ ଛୋଟ ଧରଣର ବନ୍ୟା ଆଶଙ୍କା କରାଯାଇଛି। ତେଣୁ ଏହି ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରି ୬ ଜିଲ୍ଲାକୁ ସତର୍କ କରାଇଛନ୍ତି ଏସଆରସି ପ୍ରଦୀପ ଜେନା।

ସେ କହିଛନ୍ତି, “ବର୍ଷା ଯୋଗୁଁ ସମସ୍ତ ନଦୀରେ ଜଳସ୍ତର ବଢ଼ିଛି। ଏହାର ପ୍ରଭାବ ତଳିଆ ଅଞ୍ଚଳରେ ଅଧିକ ପଡ଼ିପାରେ। ତେବେ କୌଣସି ବଡ଼ ଧରଣର ବନ୍ୟା ଆଶଙ୍କା କରାଯାଉନଥିଲେ ମଧ୍ୟ ଆମକୁ ସତର୍କ ରହିବାକୁ ପଡ଼ିବ। ଏଥିପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।”

୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ

ଲଗାଣ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବୃଦ୍ଧି ପାଇଛି। ତେଣୁ ଗୁରୁବାର ଦିନ ୧୨ଟା ସୁଦ୍ଧା ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ପ୍ରତି ସେକେଣ୍ଡରେ ୫ ଲକ୍ଷ ୨୦ ହଜାର ୪୫୭ କ୍ୟୁସେକ ଜଳ ଡ୍ୟାମରେ ପ୍ରବେଶ କରୁଥିବାବେଳେ ୪ଲକ୍ଷ ୮୦ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ବୁଧବାର ଦିନ ଡ୍ୟାମର ଜଳସ୍ତରକୁ ଦେଖି ମାତ୍ର ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିଲା। ପରେ ଜଳସ୍ତର ବୃଦ୍ଧି କାରଣରୁ ଅଧିକ ଗେଟ୍ ଖୋଲାଯାଇଛି।ମୁଣ୍ଡୁଳୀରେ ପ୍ରବାହିତ ହେବ ୮ ଲକ୍ଷ କ୍ୟୁସେକ ଜଳ

ଏସଆରସିଙ୍କ ତଥ୍ୟ ଅନୁସାରେ ହୀରାକୁଦରୁ ଆସୁଥିବା ଜଳ ଶନିବାର ସକାଳ ସୁଦ୍ଧା ମୁଣ୍ଡୁଳୀରେ ବଢ଼ିବ। ତେଣୁ ଶନିବାର ଦିନ ମୁଣ୍ଡୁଳୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଏତେ ମାତ୍ରାରେ ଜଳ ପ୍ରବାହିତ ହେବା ଫଳରେ କେନ୍ଦ୍ରାପଡ଼ା ଏବଂ ପୁରୀ ଜିଲ୍ଲାରେ ଶନିବାର ରାତି ସୁଦ୍ଧା ଛୋଟ ଏବଂ ମଧ୍ୟମ ଧରଣର ବନ୍ୟା ପାସ୍ କରିବ। ସେଥିପାଇଁ ପୂର୍ବରୁ ଜିଲ୍ଲା ପ୍ରଶାସନଙ୍କୁ ସତର୍କ କରାଇ ଦିଆଯାଇଛି କହିଛନ୍ତି ଏସଆରସି ପ୍ରଦୀପ ଜେନା। ବର୍ତ୍ତମାନ ମୁଣ୍ଡୁଳୀରେ ୫ ଲକ୍ଷରୁ ୬ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେଉଛି।

ସମ୍ଭାବ୍ୟ ବନ୍ୟା ପାଇଁ ସତର୍କତା ମୂଳକ ପଦକ୍ଷେପ

ଶନିବାର ରାତିରେ ତଳିଆ ଅଞ୍ଚଳରେ ଏକ ଛୋଟ ଓ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ଉପୁଜିବ ବୋଲି ଏସଆରସି କହିଛନ୍ତି। ତେଣୁ ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ  ୬ଟି ଜିଲ୍ଲା ପୁରୀ, କଟକ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁରରେ ୩୦ଟି ଓଡ୍ରାଫ ଟିମ୍, ୧୨ଟି ଏନଡିଆରଏଫ ଟିମ୍ ଓ ଦମକଳ ବାହିନୀଙ୍କୁ ମୂତୟନ କରାଯାଇଛି। ଓଡ୍ରାଫର ପ୍ରତି ଟିମରେ ୧୦ ଜଣ ଲେଖାଏଁ ରହିଥିବାବେଳେ ଏନଡିଆରଏଫ ଟିମରେ ୧୨ ଜଣ ଲେଖାଏଁ ରହିଛନ୍ତି। ଯଦି ଆବଶ୍ୟକ ପଡ଼େ ଏହି କର୍ମୀମାନେ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବେ।

ମହାନଦୀ ବ୍ୟତୀତ ଅନ୍ୟ ନଦୀରେ ବଢ଼ୁଛି ଜଳସ୍ତର

ମହାନଦୀକୁ ଛାଡ଼ି ଦେଲେ ଅନ୍ୟ ନଦୀମାନଙ୍କରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ତେବେ ଏହାକୁ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା।

ସେ ଆଉ ମଧ୍ୟ କହିଛନ୍ତି, “କେନ୍ଦୁଝର ଜିଲ୍ଲାରେ ବୁଧବାର ୫୦ ମିଲିମିଟରରୁ ଅଧିକ ବର୍ଷା ହେବା ଫଳରେ ବୈତରଣୀ ନଦୀର ଜଳସ୍ତର ପୂର୍ବ ଅପେକ୍ଷା ବୃଦ୍ଧି ପାଇଛି। ସେହିପରି ମଙ୍ଗଳବାର ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ବର୍ଷା ହେବା ଫଳରେ ବ୍ରାହ୍ମଣୀ ନଦୀରେ ପାଣି ଆସିଥିଲା।”

Comment