ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ସାରା ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ। ପ୍ରତିଥର ଭଳି ଏଥର ମଧ୍ୟ ତ୍ରିରଙ୍ଗା ପତାକା ଉତ୍ତୋଳନ ହୋଇଛି। ବର୍ତ୍ତମାନ ତ୍ରିରଙ୍ଗାର ଯେଉଁ ସ୍ୱରୂପ ରହିଛି, ତାହା ପ୍ରଥମ ନୁହେଁ ବରଂ ତ୍ରିରଙ୍ଗାର ଏହା ଷଷ୍ଠ ସ୍ୱରୂପ। ଦେଶ ସ୍ୱାଧୀନ ପାଇବାର ୪୧ ବର୍ଷ ପୂର୍ବରୁ ୧୯୦୬ ମସିହାରେ ଦେଶରେ ପ୍ରଥମ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା। ଏହା ପରେ ଧୀରେ ଧୀରେ କିପରି ତ୍ରିରଙ୍ଗାର ସ୍ୱରୂପ ବଦଳିଥିଲା, ଆସନ୍ତୁ ଜାଣିବା।

ପ୍ରତ୍ୟେକ ସ୍ୱାଧୀନ ରାଷ୍ଟ୍ରର ସ୍ୱତନ୍ତ୍ର ଜାତୀୟ ପତାକା ରହିଛି। ବର୍ତ୍ତମାନ ଆମ ଦେଶରେ ଯେଉଁ ଜାତୀୟ ପତାକା ଉତ୍ତୋଳନ ହେଉଛି ତାହାର ସ୍ଵରୂପ ୧୯୪୭ ଜୁଲାଇ ୨୨ ତାରିଖରେ ଆୟୋଜିତ ଭାରତୀୟ ସମ୍ବିଧାନ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ୧୯୪୭ ଅଗଷ୍ଟ ୧୫ରେ ଇଂରେଜମାନେ ଦେଶ ଛାଡ଼ିବାର କିଛି ଦିନ ପୂର୍ବରୁ ଏହି ବୈଠକ ବସିଥିଲା। ୧୯୪୭ ଅଗଷ୍ଟ ୧୫ରୁ ୧୯୫୦ ଜାନୁଆରି ୨୬ ମଧ୍ୟରେ ଏହାକୁ ଭାରତର ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା।ପ୍ରଥମ ଜାତୀୟ ପତାକା

୧୯୦୬ ମସିହା ଅଗଷ୍ଟ ୭ ତାରିଖରେ କୋଲକାତାର ଗ୍ରୀନ ପାର୍କରେ ପ୍ରଥମ ପତାକା ଉତ୍ତୋଳନ ହୋଇଥିଲା। ଏହି ପତାକାର ରଙ୍ଗ ଲାଲ, ହଳଦୀ ଏବଂ ସବୁଜ ରଙ୍ଗର ଥିଲା। ପତାକାରେ ବନ୍ଦେ ମାତରମ ଲେଖାଯିବା ସହିତ ଉପରପାଶ୍ୱର୍ରେ ପଦ୍ମଚିହ୍ନ ରହିଥିଲା।

ଦ୍ୱିତୀୟ ଜାତୀୟ ପତାକା

୧୯୦୭ରେ ଦ୍ୱିତୀୟ ପତାକା ଆସିଥିଲା। ଏହି ପତାକାକୁ ପ୍ୟାରିସରେ ମ୍ୟାଡମ କାମା ଉତ୍ତୋଳନ କରିଥିଲେ। ପୂର୍ବ ପତାକା ତୁଳନାରେ ଏଥିରେ ଗୋଟିଏ ରଙ୍ଗ ଅଲଗା ରହିଥିଲା। ଏହି ପତାକା ବର୍ଲିନରେ ହୋଇଥିବା ସମାଜବାଦୀ ସମ୍ମିଳନୀରେ ପ୍ରଦର୍ଶିତ କରାଯାଇଥିଲା।

ତୃତୀୟ ଜାତୀୟ ପତାକା

୧୯୧୭ ମସିହାରେ ଦେଶରେ ଯେତେବେଳେ ରାଜନୈତିକ ସଂଘର୍ଷ ଚାଲିଥିଲା ସେତେବେଳେ ଏହି ପତାକା ଉତ୍ତୋଳନ କରାଯାଇଥିଲା। ଡକ୍ଟର ଆନି ବେସାନ୍ତ ଏବଂ ଲୋକମାନ୍ୟ ତିଳକ ଘରୋଇ ଶାସନ ଆନ୍ଦୋଳନ ସମୟରେ ପତାକା ଉତ୍ତୋଳନ କରିଥିଲେ। ଏହି ପତାକାରେ ୫ଟି ଲାଲ ଏବଂ ୪ଟି ସବୁଜ ଗାର ସହିତ ସପ୍ତଋଷି ଭଳି ୭ଟି ଷ୍ଟାର ରହିଥିଲା। ପତାକାର ବାମ ପାଶ୍ୱର୍ର ଉପରେ ୟୁନିୟନ ଜ୍ୟାକ୍ ଥିଲାବେଳେ ଡାହାଣ ପାଶ୍ୱର୍ର ଉପରେ ଅର୍ଦ୍ଧଚନ୍ଦ୍ର ସହିତ ଷ୍ଟାର ରହିଥିଲା।

ଚତୁର୍ଥ ଜାତୀୟ ପତାକା

୧୯୨୧ରେ ବିଜୟୱାଡାରେ ଆନ୍ଧ୍ରପ୍ରଦେଶର ଏକ ଯୁବକ ପତାକା ତିଆରି କରି ଗାନ୍ଧିଜୀଙ୍କୁ ଦେଇଥିଲେ। ଏହା ଦୁଇଟି ରଙ୍ଗର ଯଥା ଲାଲ ଏବଂ ସବୁଜ ଥିଲା। ଲାଲ ଏବଂ ସବୁଜ ଦୁଇ ସମ୍ପ୍ରଦାୟ ଅର୍ଥାତ ହିନ୍ଦୁ ଏବଂ ମୁସଲମାନଙ୍କୁ ପ୍ରତିନିଧିତ୍ୱ କରଥାଏ। ଗାନ୍ଧିଜୀ କିନ୍ତୁ ଯୁବକଙ୍କୁ ପତାକାର ଉପର ପାଶ୍ୱର୍ରେ ଧଳା ରଙ୍ଗର ପଟି ସହ ଚରଖା ଚିତ୍ର ରଖିବାକୁ ପ୍ରସ୍ତାବ ଦେଇଥିଲେ।

ପଞ୍ଚମ ଜାତୀୟ ପତାକା

୧୯୩୧ ମସିହା ଜାତୀୟ ପତାକା ଇତିହାସରେ ଏକ ସ୍ମରଣୀୟ ବର୍ଷ ଥିଲା। କାରଣ ଜାତୀୟ ପତାକାକୁ ରାଷ୍ଟ୍ରୀୟ ପତାକା ଭାବେ ଗ୍ରହଣ କରିବା ପାଇଁ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଏହି ପତାକା ଯାହା ବର୍ତ୍ତମାନର ପତାକାର ପୂର୍ବଜ ଅଟେ। ଏହା ଧଳା, ସବୁଜ ଏବଂ କମଳା ରଙ୍ଗର ଥିଲା। ଏଥିରେ କେବଳ ଚରଖା ଚିହ୍ନ ରହିଥିଲା। ଏହି ପତାକା ସ୍ପଷ୍ଟ କରୁଥିଲା ଏଥିରେ କୌଣସି ସାମ୍ପ୍ରଦାୟିକ ମହତ୍ୱ ନାହିଁ।

୧୯୪୭ ଜୁଲାଇ ୨୨ରେ ଭାରତୀୟ ସମ୍ବିଧାନ ସଭାରେ ତ୍ରିରଙ୍ଗାକୁ ସ୍ୱାଧୀନ ଭାରତର ପ୍ରଥମ ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ପୂର୍ବ ପତାକାରେ ଚରଖା ଚିହ୍ନ ଥିବା ବେଳେ ତ୍ରିରଙ୍ଗାରେ ଅଶୋକ ଚକ୍ରକୁ ସ୍ଥାନିତ କରାଯାଇଥିଲା।

Comment