ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ଶୁଣିବାକୁ ମିଳିବନି ସ୍ଵର ସମ୍ରାଜ୍ଞୀଙ୍କ ମଧୁର ଗୁଞ୍ଜନ। ଚିରଦିନ ପାଇଁ ନୀରବିଗଲେ ବାଣୀକନ୍ୟା ଲତା ମଙ୍ଗେସକର । କୋଟି କୋଟି ଜନତାଙ୍କ ହୃଦୟକୁ ଭାଙ୍ଗି ଦେଇ ଚାଲିଗଲେ ଅପହଞ୍ଚ ଦୁନିଆଁକୁ।

ଲତା ମଙ୍ଗେସକରଙ୍କ ସମ୍ମାନାର୍ଥେ ଆଗାମୀ ଦୁଇଦିନ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଛି। ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇଛି। ୩୬ରୁ ଅଧିକ ଭାଷାରେ ଏବଂ ୫୦ ହଜାରରୁ ଅଧିକ ଗୀତ ଗାଇଛନ୍ତି। ଏଥିପାଇଁ ତାଙ୍କର ନାମ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ ହୋଇଛି। ସଙ୍ଗୀତ ଦୁନିଆଁ ପ୍ରତି ଉଲ୍ଲେଖନୀୟ ଅବଦାନ ଯୋଗୁଁ ୧୯୬୯ରେ ତାଙ୍କୁ ପଦ୍ମଭୂଷଣ, ୧୯୯୯ରେ ପଦ୍ମବିଭୂଷଣ, ୨୦୦୧ରେ ସର୍ବୋଚ୍ଚ ବେସାମରିକ ପୁରସ୍କାର ଭାରତ ରତ୍ନ ଓ ୧୯୮୯ରେ ଦାଦା ସାହେବ ଫାଲ୍‌କେ ପୁରସ୍କାରର ଅଧିକାରୀଣି ହୋଇପାରି ଥିଲେ ସେ। ଏହା ବ୍ୟତୀତ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ତାଙ୍କୁ ଏକାଧିକ ପୁରସ୍କାର ପ୍ରାପ୍ତ ହୋଇଛି।

ପିତା ପ୍ରଖ୍ୟାତ ସଙ୍ଗୀତଜ୍ଞ ଦୀନାନାଥ ମଙ୍ଗେସକର ଓ ମାତା ସେବନ୍ତୀଙ୍କ ଔରସରୁ ଲତା ୧୯୨୯ ସେପ୍ଟେମ୍ବର ୨୮ରେ ତତ୍କାଳୀନ ବ୍ରିଟିଶ ସରକାରଙ୍କ ଇନ୍ଦୋର(ବର୍ତ୍ତମାନର ମଧ୍ୟପ୍ରଦେଶ)ରେ ଜନ୍ମଗ୍ରହଣ କରିଥିଲେ। ପାଞ୍ଚ ଭାଇଭଉଣୀଙ୍କ ମଧ୍ୟରେ ଲତା ସବୁଠାରୁ ବଡ଼ ଥିଲେ। ତାଙ୍କର ତିନି ଭଉଣୀ ମୀନା, ଆଶା ଓ ଉଷା ଏବଂ ଏକମାତ୍ର ଭାଇ ହେଉଛନ୍ତି ହ୍ରିଦୟନାଥ ମଙ୍ଗେସକର। ୧୯୪୨ରେ ଲତାଙ୍କୁ ୧୩ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ପିତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା।

ଆଉ ଶୁଭିବନୀ କୋକିଳ କଣ୍ଠୀଙ୍କ ସ୍ଵର। ୩୬ରୁ ଅଧିକ ଭାଷାରେ ଏବଂ ୪୦ ହଜାରରୁ ଊର୍ଦ୍ଧ୍ଵ ଗୀତ ଗାଇ ଗିନିଜ ବୁକ୍ ଅଫ୍ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ଲତା ମଙ୍ଗେସକର। ଓଡ଼ିଆ ଭାଷରେ ମଧ୍ୟ ସେ ଗୀତ ଗାଇ ଶ୍ରୋତାଙ୍କ ମନରେ ସ୍ଵତନ୍ତ୍ର ଛାପଛାଡ଼ି ଯାଇଛନ୍ତି। ୧୯୬୩ ମସିହାରେ ମୁକ୍ତି ଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ସୂର୍ଯ୍ୟମୁଖୀ’ର ଗୀତ ‘ସେଇ ଚୁନା ଚୁନା ତାରା ଫୁଲେ..’ ଏବଂ ୧୯୬୮ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ‘ଅରୁନ୍ଧତୀ’ ପାଇଁ ‘ଆଜି ମୁଁ ଶ୍ରାବଣୀ ଲୁହର ହରିଣୀ’ ଗୀତ ପାଇଁ କଣ୍ଠ ଦାନ କରିଥିଲେ। ଆଜି ବି ଏହି ଗୀତ ଚିର ସବୁଜ ହୋଇ ରହିଛି।

ହେଇ ପାରିଲାନି ଚକାନୟଙ୍କ ସଂନ୍ଧ୍ୟା ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ପାଇଁ ଏକ ଜଣାଣ ଗାଇବାକୁ ଲତା ମଙ୍ଗେସକର ଆଶା ରଖିଥିଲେ ମଧ୍ୟ ତାଙ୍କ ଆଶା ଅଧୁରା ରହିଗଲା। କୋଭିଡ ପୂର୍ବରୁ ଜଗନ୍ନାଥଙ୍କ ପାଇଁ ଭଜନ ଗାଇବାକୁ ସବୁ ପ୍ରସ୍ତୁତି ସରିଥିଲା। କିନ୍ତୁ ଲକଡାଉନ ଯୋଗୁଁ ଓଡ଼ିଶା ଆସିବା ସମ୍ଭବ ହୋଇପାରି ନଥିଲା। ୨୦୨୦ ଫେବ୍ରୁଆରିରେ ଗୀତିକାର ମୋହିତ ଚକ୍ରବର୍ତ୍ତୀ, ସଂଗୀତକାର ଦେବୀତୋଷ ଆଚାର୍ଯ୍ୟ ଏବଂ ସଂଯୋଜକ ହେମରାଜ ଅଗ୍ରଓ୍ଵାଲ ମୁମ୍ବାଇ ଯାଇ ଲତା ମଙ୍ଗେସରଙ୍କୁ ସାକ୍ଷାତ କରିଥିଲେ। ଲତାଜୀଙ୍କୁ ଚାରିଟି ଜଗନ୍ନାଥ ଭଜନ ଜଣାଇବା ପରେ ସେ ମୋହିତ ଚକ୍ରବର୍ତ୍ତୀ ଲେଖିଥିବା ‘ତୋ ସଂନ୍ଧ୍ୟା ଧର୍ଶନ ଲାଗି ବଳିଛି ମନ, ହେ ଚକାନୟନ..’ଗୀତଟିକୁ ପସନ୍ଦ କରିଥିଲେ। ଗୀତର ଟ୍ରାକ୍ ତିଆରି କରି ଆଣିବାକୁ କହିଥିଲେ। ଏହା ପରେ ବାରମ୍ବାର ତାଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବା କାରଣରୁ ଗୀତ ରେକର୍ଡ ହୋଇପାରି ନଥିଲା। ଲତାଙ୍କ ସ୍ଵପ୍ନ ଅଧୁରା ରହିଗଲା।

ମରାଠୀ ଫିଲ୍ମରୁ ପ୍ରଚ୍ଛଦପଦ ଗାୟିକା ଭାବେ କ୍ୟାରିୟର ଆରମ୍ଭ

ପରିବାରର ବଡ ଭଉଣୀ ହିସାବରେ ଲତାଙ୍କ ଉପରେ ସବୁ ବୋଝ ପଡ଼ିଥିଲା। ଗୀତ ଗାଇ ପରିବାର ପୋଷିବାକୁ ଲତା ପ୍ରଥମେ ଏକ ମରାଠୀ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ସେହିଦିନଠାରୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ୧୯୪୭ରେ ହିନ୍ଦୀ ଚଳଚ୍ଚିତ୍ର ‘ଆପ୍ କି ସେବା’ ଜରିଆରେ ତାଙ୍କର ବଲିଉଡ୍‌ରେ ଏଣ୍ଟ୍ରି ହୋଇଥିଲା। ପଚାଶ ଦଶକରୁ ବଲିଉଡ୍‌ରେ ଲତାଙ୍କର ଆଧିପତ୍ୟ ଆରମ୍ଭ ହୋଇଥିଲା। ତତ୍କାଳୀନ ବହୁ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ ଲତା ଗୀତ ଗାଇ ବେଶ ସୁନାମ ଅର୍ଜନ କରିଥିଲେ। ତାଙ୍କର କଣ୍ଠର ଲାଳିତ୍ୟ ଏତେ ମଧୁର ଥିଲା ଯେ ସଙ୍ଗୀତ ନିର୍ଦ୍ଦେଶକମାନେ ଲତାଙ୍କ ବିକଳ୍ପ ଆଦୌ ଖୋଜୁନଥିଲେ।

ଲତାଙ୍କୁ ଦେଶ ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି। ଲତାଙ୍କ ଉପରେ ଉଭୟ ଲକ୍ଷ୍ମୀ ଓ ସରସ୍ୱତୀଙ୍କର ଅସୀମ କୃପା ରହିଥିଲା। ଦିନେ ମାତ୍ର ୨୫ ଟଙ୍କା ରୋଜଗାର କରିଥିବା ଲତା ମୃତ୍ୟୁ ବେଳକୁ ୩୭୦ କୋଟି ଟଙ୍କାର ମାଲିକାଣି ହୋଇପାରିଥିଲେ।

ବିଜ୍ଞାପନ ପ୍ରତି ଲତାଙ୍କର କୌଣସି ମୋହ ନଥିଲା। ଜୀବନରେ ଥରେ ସେ କଫ ସିରପ ପାଇଁ ବିଜ୍ଞାପନରେ ଅଭିନୟ କରିଥିଲେ। ମଦନ ମୋହନ ତାଙ୍କର ସବୁଠାରୁ ପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ବୋଲି ଲତା ସ୍ୱୀକାର କହିଥିଲେ।କୁହାଯାଉଥିଲା ଲତା ଓ ତାଙ୍କ ଭଉଣିମାନଙ୍କ ଯୋଗୁଁ ବଲିଉଡ୍‌ରେ ଅନ୍ୟ କୌଣସି ଗାୟିକାଙ୍କୁ ଏଣ୍ଟ୍ରି ମିଳୁନଥିଲା ପରେ ଲତା ଏହି ଅଭିଯୋଗକୁ ଖଣ୍ଡନ କରିଆସୁଥିଲେ।

ବିଶ୍ୱକପ୍ ପାଇଁ ଉପବାସ ରହିଥିଲେ ଲତାଜୀ

କ୍ରିକେଟ ପାଇଁ ଲତାଜୀଙ୍କର ଭଲ ପାଇବା ରହିଥିଲା। ତେଣୁ ସେ ୨୦୧୧ ବିଶ୍ୱକପରେ ଭାରତ-ପାକିସ୍ତାନ ସେମିଫାଇନାଲ ମ୍ୟାଚ ଦିନ ଉପବାସ ରଖିଥିଲେ। ଷ୍ଟାଡିୟମରେ ବସି ଅନ୍ତର୍ଜାତୀୟ ମ୍ୟାଚ ଦେଖିବା ତାଙ୍କର ଅନ୍ୟତମ ସଉକ୍ ଥିଲା।

୧୯୪୨ରୁ ସେ କ୍ୟାରିଅର ଆରମ୍ଭ କରିଥିଲେ ଓ ତାଙ୍କର ପ୍ରଥମ ଗୀତ ଥିଲା ’ମାତା ଏକ ସପୁତ କି ଦୁନିଆ ବଦଲ ଦେ ତୁ’। ୧୯୪୮ରେ ନିର୍ମିତ ଚଳଚ୍ଚିତ୍ର ’ମଜବୁର’ରେ ଲତା ଗାଇଥିବା ’ଦିଲ୍‍ ମେରା ତୋଡା, ମୁଝେ କହିଁକା ନା ଛୋଡା’ ତାଙ୍କ କ୍ୟାରିଅରରେ ବଡ଼ ବ୍ରେକ୍‍ ଆଣିଥିଲା। ଲତା ମଙ୍ଗେସକରଙ୍କ ନାମ ଥିଲା ଲତା ହାର୍ଦ୍ଦିକର। ପରେ ତାଙ୍କ ବାପା ଦିନାନାଥ ଗୋଆରେ ଥିବା ତାଙ୍କ ପୈତୃକ ସ୍ଥାନ ମଙ୍ଗେସକରକୁ ଦୃଷ୍ଟିରେ ରଖି ଲତାଙ୍କ ନାମ ବଦଳାଇ ଲତା ମଙ୍ଗେସକର କରାଯାଇଥିଲା।

ପ୍ରଥମେ ଗୀତ ଗାଇବାକୁ ମିଳୁନଥିଲା ସୁଯୋଗ

ଲତା ମଙ୍ଗେସକର କ୍ୟାରିଅର ଆରମ୍ଭ କଲାବେଳକୁ ନୁର୍‌ ଜାହାଁ ଓ ସମସଦ ବେଗମ୍‍ ଭଳି ଗାୟିକାଙ୍କର ରାଜ୍‍ ଚାଲିଥିଳା। ଏଣୁ ପ୍ରଥମେ ପ୍ରଥମେ ଲତାଙ୍କୁ ଗୀତ ଗାଇବାର ସୁଯୋଗ ମିଳୁନଥିଲା। ୧୯୪୨ରୁ ୧୯୪୮ ମଧ୍ୟରେ ସେ କିଛି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। କିନ୍ତୁ ଅଭିନୟରେ ତାଙ୍କର ଆଗ୍ରହ ନଥିଲା। ସଙ୍ଗୀତ ପ୍ରତି ସେ ସବୁବେଳେ ଆକୃଷ୍ଟ ଥିଲେ। କୁହାଯାଏ ୧୯୬୨ରେ ଭାରତ-ଚୀନ ଯୁଦ୍ଧ ସମୟରେ ଯେତେବେଳେ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁ ଲତା ମଙ୍ଗେସକର କଣ୍ଠଦାନ କରିଥିବା ଗୀତ ’ଏ ମେରେ ବତନ୍‍ କେ ଲୋଗୋଁ’ ଶୁଣିଲେ ନେହେରୁଙ୍କ ଆଖିରୁ ଲୁହ ଝରି ପଡ଼ିଥିଲା।

୧୯୭୪ରେ ଲତା ମଙ୍ଗେସକର ଲଣ୍ଡନର ରୟାଲ ଆଲବର୍ଟ ହଲ୍‌ରେ ପ୍ରଥମ ଭାରତୀୟ ଭାବେ ସଂଗୀତ ପରିବେଷଣ କରିଥିଲେ। ୧୯୭୪ରୁ ୧୯୯୧ ମଧ୍ୟରେ ଲତା ସବୁଠାରୁ ଅଧିକ ସଂଖ୍ୟକ ଗୀତ ଗାଇ ଗିନିଜ୍‍ ୱାର୍ଲ୍‌ଡ୍‍ ରେକର୍ଡରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ।ବିଶିଷ୍ଟ ଅଭିନେତ୍ରୀ ମଧୁବାଲାଙ୍କର ଲତାଙ୍କ କଣ୍ଠ ପ୍ରତି ଏତେ ଦୁର୍ବଳତା ଥିଲା, ସବୁ ଫିଲ୍ମରେ ଲତାଜୀ ଗୀତ ଗାଇବେ ବୋଲି କଣ୍ଟ୍ରାକ୍ଟ ସାଇନ କରୁଥିଲେ ମଧୁବାଲା।

କାହିଁକି ଅବିବାହିତ ରହିଥିଲେ ଲତା?

ଲତା ମଙ୍ଗେସକର ଡୁଙ୍ଗରପୁର ରାଜ ପରିବାରର ମହାରାଜା ରାଜ୍ ସିଂହଙ୍କ ପ୍ରେମରେ ପଡ଼ିଥିଲେ। ଲତାଙ୍କ ଭାଇ ହୃଦୟନାଥ ମଙ୍ଗେସକରଙ୍କ ସହ ମହାରାଜା ରାଜ୍ ସିଂହ ସାଙ୍ଗ ହୋଇ କ୍ରିକେଟ୍ ଖେଳୁଥିଲେ। ହୃଦୟନାଥଙ୍କ ସହିତ ରାଜଙ୍କର ବନ୍ଧୁତା ହୋଇଥିଲା। ଲତା ମଙ୍ଗେସକର୍ ଥରେ ରାଜ୍‌ଙ୍କୁ ନିଜ ଘରେ ପ୍ରଥମେ ଦେଖିବାକୁ ପାଇଥିଲେ। ହୃଦୟନାଥ ରାଜ୍‌ଙ୍କୁ ନିଜ ଘରକୁ ଡାକି ଆଣିଥିଲେ। ଭଉଣୀ ଲତା ଚା’ ଦେବା ପାଇଁ ରାଜ୍‌ଙ୍କ ପାଖକୁ ଯାଇଥିବା ବେଳେ ଉଭୟଙ୍କର ପ୍ରଥମ ଦେଖାରେ ମନ ମିଶିଥିଲା। ରାଜ୍‌ ଲତାଙ୍କଠାରୁ ବୟସରେ ୬ ବର୍ଷ ବଡ଼ ଥିଲେ ମଧ୍ୟ ବୟସ ସେମାନଙ୍କ ପ୍ରେମର ନିବିଡ଼ତାକୁ ଭାଙ୍ଗି ପାରିନଥିଲା। କିନ୍ତୁ ରାଜଙ୍କ ପରିବାର ଲୋକଙ୍କ ବିରୋଧ ଯୋଗୁଁ ଲତାଜୀ ଏବଂ ରାଜଙ୍କର ବିବାହ ହୋଇପାରି ନଥିଲା। ଉଭୟ ଆଜୀବନ ଅବିବାହିତ ରହିଥିଲେ।

Comment