ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ସକାଳ ୧୦ଟା ପରେ ଘରୁ ବାହାରିବାକୁ ଲୋକଙ୍କୁ ଡର ଲାଗୁଛି। ଅସହ୍ୟ ଗରମରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ପାରଦ ଅଧିକ ରହିଥିବାରୁ ଏଠାରେ ଅସହ୍ୟ ହୋଇପଡ଼ିଲେଣି ଲୋକେ। ତାପମାତ୍ରାରେ ଆହୁରି ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଭୁବନେଶ୍ଵରରେ ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ରହିବ ବୋଲି ଆକଳନ କରାଯାଇଛି।

ଗତ ରବିବାର ରାଜ୍ୟର ୧୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା। ୨ଟି ସହରରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା। ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା ସୋନପୁର। ଏଠାରେ ତାପମାତ୍ରା ୪୩.୨ ଡିଗ୍ରୀ ରହିଥିଲା। ଏହା ସହିତ ଅନୁଗୁଳରେ ୪୩.୧ ଡିଗ୍ରୀ ରେକର୍ଡ ହୋଇଥିଲା। ସେହିପରି ଝାରସୁଗୁଡ଼ାରେ ୪୨.୯ ଡିଗ୍ରୀ, ବଲାଙ୍ଗିରରେ ୪୨.୪ ଡିଗ୍ରୀ, ବୌଦ୍ଧରେ ୪୨ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୨ ଡିଗ୍ରୀ ଏବଂ ସମ୍ବଲପୁରରେ ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ କରାଯାଇଛି।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆଭ୍ୟନ୍ତରିଣ ତଥା ପଶ୍ଚିମ ଓଡ଼ିଶାରେ ମାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆବଶ୍ୟକ ନଥିଲେ ଖରା ସମୟରେ ବାହାରକୁ ନଯିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Tags: #HeatWave #Summer #Odisha #MetrologyDepartment

Comment