ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଅସହ୍ୟ ଗରମରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। ଉପାନ୍ତରୁ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ଲୋକଙ୍କୁ ଗରମରୁ ନିସ୍ତାର ମିଳୁନାହିଁ। ଏଣେ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ପରିସ୍ଥିତି ଆହୁରି ଅସହ୍ୟ ହୋଇପଡ଼ିଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହୁଥିବା ରେକର୍ଡ କରାଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ନେଇ ୫ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଓଡ଼ିଶାକୁ ଆସୁଥିବା ସାମୁଦ୍ରିକ ପବନର ପ୍ରବାହ କମିଥିବାରୁ ତାତି ବଢ଼ିବାକୁ ଲାଗିଛି। ରାଜ୍ୟରେ ସ୍ଵଭାବିକଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରାରେ ବୃଦ୍ଧି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ବିଶେଷ କରି ବଲାଙ୍ଗିର, ଟିଟିଲାଗଡ଼, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ଅନୁଗୁଳ ଏବଂ ଭବାନୀପାଟଣାରେ ତାପମାତ୍ରା ୪୫ ଡିଗ୍ରୀ ଟପିବ ବୋଲି ଆକଳନ କରାଯାଇଛି। ଆସନ୍ତା ଏପ୍ରିଲ ୨୫ ତାରିଖ ବେଳକୁ ତାପମାତ୍ରା ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଗତ ୧୮ ତାରିଖର ରେକର୍ଡ ଅନୁସାରେ ରାଜ୍ୟର ୨୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା ଅନୁଗୁଳ। ଏଠାରେ ତାପମାତ୍ରା ରହିଥିଲା ୪୩.୭ ଡିଗ୍ରୀ। ଅନୁଗୁଳ ତଳକୁ ରହିଛି ବଲାଙ୍ଗିର ଜିଲ୍ଲା। ବଲାଙ୍ଗିରରେ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଥିଲା।

Tags: #Summer #HeatWave #Odisha #Weather

Comment