ଓଡ଼ିଶାଲାଇଭ୍ ବ୍ୟୁରୋ

ଧୀରେ ଧୀରେ ଅଶାନ୍ତ ହେଉଛି ଦକ୍ଷିଣ ଆଣ୍ଡାମାନ ସାଗର। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ଆଜି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ମେ’ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଅମ୍ଭାବନା ରହିଥିବା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଲଘୁଚାପ କେତେ ଘନୀଭୂତ ହେଉଛି ଏବଂ ତାହାର ତୀବ୍ରତା କେତେ ରହିବ ତାହା ଆସନ୍ତା ୬ ତାରିଖ ବେଳକୁ ସ୍ପଷ୍ଟ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଲଘୁଚାପ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ବୋଲି ପାଣିପାଗ ସଂସ୍ଥା ଓ୍ୱିଣ୍ଡ୍ ମଡେଲରୁ ଜଣାପଡ଼ିଛି। ବାତ୍ୟା ସୃଷ୍ଟି ହେବା ପରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରାଯାଇଛି।

ବୁଧବାରଠାରୁ ରାଜ୍ୟରେ କାଳବୈଶାଖୀ ଅଧିକ ସକ୍ରିୟ ହେବ। ଉପକୂଳ ଓଡ଼ିଶା ସମେତ ୧୬ଟି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗତ ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ପବନ, ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ତୁହାକୁ ତୁହା ବର୍ଷା ହୋଇଥିଲା। ଗତ କିଛି ଦିନ ହେଲା ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଥିବା ରାଜ୍ୟବାସୀ ବର୍ଷା ଯୋଗୁଁ ସାମାନ୍ୟ ଆସ୍ଵସ୍ତି ପାଇଛନ୍ତି।

Tags: #Weather #Cyclone #LowPressure

Comment