ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟାକୁ ନେଇ ଲାଗି ରହିଥିବା ଭୟ ଏବେ ଟଳିଛି। ଓଡ଼ିଶା ଉପରେ ବାତ୍ୟା ‘ଅସାନି’ର ପ୍ରଭାବ ପଡ଼ିବ ନାହିଁ ବୋଲି ପାଣିପାଗ ବିଭାଗର ସୂଚନା ପରେ ଆଶ୍ଵସ୍ତ ହୋଇଛନ୍ତି ରାଜ୍ୟବାସୀ। ବାତ୍ୟା ଏବେ ଗଭୀର ଅବପାତରେ ପରିଣତ ହୋଇଛି।

ଘଣ୍ଟାକୁ ୭ କିଲୋମିଟର ବେଗରେ ଆନ୍ଧ୍ର ଉପକୂଳ ଦେଇ ‘ଅସାନି’ ଗତି କରୁଛି। ଏହା ମଚ୍ଛଲିପଟ୍ଟନମରୁ ନରସପୁର ମଧ୍ୟରେ ଗତି କରୁଛି। ବାତ୍ୟା ‘ଅସାନି’ ସମୁଦ୍ର ମଧ୍ୟରେ ହିଁ ରହିବ। ପରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇ ବଙ୍ଗୋପସାଗରରେ ଗତି କରିବ।

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବାତ୍ୟା ‘ଅସାନି’ ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟା ‘ଅସାନି’ର ପ୍ରଭାବ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ଉପରେ ପଡ଼ିବ। ଗଞ୍ଜାମ, ଗଜପତି ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସମସ୍ତ ବନ୍ଦରଗୁଡ଼ିକରୁ ବିପଦ ସଙ୍କେତ ପ୍ରତ୍ୟାହାର କରାଯାଇଛି। ଆଗକୁ ମୌସୁମୀ ଆସିବା ନେଇ ଆକଳନ କରାଯାଇନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Tags: #Cyclone #Asani #Rainfall #HeavyRainfall #Odisha #LowPressure

Comment