ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଜାଗନୀଗୁଡ଼ା ଗାଁର ସ୍ଵର୍ଗତ ପୁରନ ଭାତନାୟକଙ୍କ ପତ୍ନୀ ସୁନାମଣୀ ଭାତନାୟକ(୮୦) ଆବାସ ଘରେ ରହିବାକୁ ଚାହିଁ ହରିଛନ୍ତି। କିନ୍ତୁ ଅଧାରେ ଅଟକିଛି ତାଙ୍କର ଘର କାମ।

୨୦୧୯-୨୦ ବର୍ଷରେ ହିତାଧିକାରୀ ଚୟନ ସମୟରେ ସୁନାମଣୀଙ୍କୁ ଚୟନ କରାଯାଇଥିଲା। ଏହା ପରେ ତାଙ୍କୁ କାର୍ଯ୍ୟାଦେଶ ସହ ଆବାସ ଗୃହ ନିର୍ମାଣ ପାଇଁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟରେ ୧ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିଲା। ବାର୍ଦ୍ଧକ୍ୟ ଅବସ୍ଥା ଯୋଗୁଁ ସୁନାମଣୀ କର୍ଚ।ମାଳ ଗାଁର ବିନୋଦ ମାଳିଙ୍କୁ ଘର ନିର୍ମାଣ ପାଇଁ କହିଥିଲେ। ଏଥିରେ ବିନୋଦ ସହମତି ପ୍ରକାଶ କରିଥିଲେ। ଘର ନିର୍ମାଣ କରିବାକୁ କହି ସୁନାମଣୀଙ୍କ ପାସବୁକ, ଆଧାର କାର୍ଡ ଓ ଭୋଟ ପରିଚୟପତ୍ର ନେବା ପରେ ଘର କାମ ଆରମ୍ଭ କରିଥିଲେ ବିନୋଦ। ଫାଉଣ୍ଡେସନ ସହ ଝରକା ଲେବଲ ପର୍ଯ୍ୟନ୍ତ ଘର କାମ ହେଲା। ଆଜିକୁ ଦୁଇ ବର୍ଷ ବିତି ଥିଲେ ମଧ୍ୟ ଆଉ ଘରକାମ ଆଗେଇ ପାରିନାହିଁ।

କାରଣ ଅଧାକାମ ଛାଡ଼ି ବିନୋଦ କୁଆଡ଼େ ଯାଇଛନ୍ତି ଯେ ତାଙ୍କ ସହ ଯୋଗାଯୋଗ କରିବାକୁ ସକ୍ଷମ ହୋଇପାରୁ ନାହାନ୍ତି ସୁନାମଣୀ। ଘର କାମ ପାଇଁ ରହିଥିବା ସିମେଣ୍ଟ ବସ୍ତା ସବୁ ଏବେ ପଥର ସଦୃଶ ହୋଇଗଲାଣି। ମୁଣ୍ଡ ଗୁଞ୍ଜିବାକୁ ସୁନାମଣୀଙ୍କର ନିଜସ୍ୱ ଘର ନଥିବାରୁ ଦୀର୍ଘ ୨୦ ବର୍ଷ ହେବ ପର ଘର ବାରଣ୍ଡାରେ ଆଶ୍ରୟ ନେଉଛନ୍ତି ସେ। ଦୁଇ ବର୍ଷ ହେଲା ଏବେ ଜାଗନୀଗୁଡ଼ାର ଲମ୍ବୋଦର କୁମଝରିଆ ସୁନାମଣୀଙ୍କୁ ନିଜ ଘରେ ଆଶ୍ରୟ ଦେଇଛନ୍ତି।

ସୁନାମଣୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ୫ଶହ ଟଙ୍କା ସହ ରାସନ କାର୍ଡର ୫ କିଲୋଗ୍ରାମ ଚାଉଳ ସରକାରୀ ସହାୟତା ମିଳୁଛି। କେବଳ ସୁନାମଣୀ ନୁହନ୍ତି ନବରଙ୍ଗପୁର ଜିଲ୍ଲାର ଅନେକ ପଞ୍ଚାୟତରେ ସୁନାମଣୀଙ୍କ ପରି ବହୁ ବୃଦ୍ଧବୃଦ୍ଧା ଘର ଅଭାବରୁ ନିରାଶ୍ରୟ ଭାବେ ରହିଛନ୍ତି। ସୁନାମଣୀଙ୍କ ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଦଶମୀ ଚାଲାଣଙ୍କୁ ଜଣାଇବା ପରେ ସେ କହିଛନ୍ତି ବିନୋଦ ମାଳିଙ୍କ ସହ ଆଲୋଚନା ହୋଇଛି। ମେ’ ମାସ ସୁଦ୍ଧା ସେ ଘର କାମ ଆରମ୍ଭ କରିବେ। ନଚେତ ତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ।

Tags: #Nabaranpur #JaganigudaVillage #SunamaniBharatinayak #AbasYojana

Comment