ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କ୍ରସ୍ ଭୋଟିଂ କରି ଏନ୍‌ଡିଏ ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ସପକ୍ଷରେ ମତଦାନ କରିଛନ୍ତି। ଏହି ଘଟଣାକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି। ଦଳୀୟ ନିଷ୍ପତ୍ତିକୁ ଅମାନ୍ୟ କରି ମୋକିମଙ୍କ ଏଭଳି ପଦକ୍ଷେପ ପରେ ତାଙ୍କ ପାର୍ଟି ବଦଳେଇବା ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

‘ପାର୍ଟି ନୁହେଁ, ମାଟି ବଡ଼’

ଦେଶର ପଞ୍ଚଦଶ ରାଷ୍ଟ୍ରପତି ଲାଗି ସୋମବାର ବିଧାନସଭାର ୫୪ ନମ୍ଵର ପ୍ରକୋଷ୍ଠରେ ଭୋଟିଂ ହୋଇଥିଲା। ଏଥିରେ ଓଡ଼ିଶାର ସମସ୍ତ ବିଧାୟକ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି। ତେବେ କଟକ-ବାରବାଟୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ କଂଗ୍ରେସ ବିଧାୟକଙ୍କ ଭୋଟ୍ ସମସ୍ତଙ୍କୁ ଚକିତ କରିଛି। ମିଳିତ ବିରୋଧୀ ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନାଙ୍କୁ କଂଗ୍ରେସ ଦଳ ସମର୍ଥନ କରୁଥିବା ବେଳେ ଦଳର ନିଷ୍ପତ୍ତି ବାହାରକୁ ଯାଇ କ୍ରସ୍ ଭୋଟିଂ କରିଛନ୍ତି ମୋକିମ। ସେ ବିଜେପି ନେତୃତ୍ଵ ଏନ୍‌ଡିଏ ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି।

ମତଦାନ ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ମହମ୍ମଦ ମୋକିମ କହିଛନ୍ତି ଯେ, “ରାଷ୍ଟ୍ରପତି ନିର୍ବାଚନ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ। ଏହା ସମ୍ବିଧାନର ସର୍ବୋଚ୍ଚ ପଦ। ଏହା ଉପରେ ଦଳର କିଛି ହୁଇପ୍ ନ ଥାଏ। ସାଂସଦ କିମ୍ବା ବିଧାୟକ ନିଜ ମନୋନୀତ ପ୍ରାର୍ଥୀଙ୍କୁ ନିର୍ବାଚିତ କରନ୍ତି। ଓଡ଼ିଶାର ଜଣେ ଆଦିବାସୀ ମହିଳା ଭାରତର ସର୍ବୋଚ୍ଚ ପଦ ପାଇଁ ଛିଡ଼ା ହୋଇଛନ୍ତି। ଜଣେ ଓଡ଼ିଆ ମହିଳା ସର୍ବୋଚ୍ଚ ପଦରେ ବସନ୍ତୁ ବୋଲି ସବୁ ଓଡ଼ିଆଙ୍କର ଇଚ୍ଛା ରହିଛି। ମୋ ପାଇଁ ପାର୍ଟି ନୁହେଁ, ମାଟି ବଡ଼। ତେଣୁ ଜଣେ ଓଡ଼ିଆ ହିସାବରେ ନିଜ ବିବେକ ଅନୁଯାୟୀ ମୁଁ ମୋ ମୂଲ୍ୟବାନ ଭୋଟ୍‌ ଦ୍ରୌପଦୀ ମୁର୍ମୁଙ୍କୁ ଦେଇଛି। ଏଥିନିମନ୍ତେ ମତେ ବହୁ ବୁଦ୍ଧିଜୀବୀ ଅନୁରୋଧ କରିଥିଲେ। ଜଣେ ଓଡ଼ିଆ ହିସାବରେ ଏପରି ପଦକ୍ଷେପ ନେଇଥିବାରୁ ଦଳ ଏହାକୁ ଭୁଲ୍‌ ଅର୍ଥରେ ବୁଝିବ ନାହିଁ ବୋଲି ମୋର ବିଶ୍ଵାସ।”ମୋକିମଙ୍କ କ୍ରସ୍ ଭୋଟିଂ ପରେ କଂଗ୍ରେସରେ କମ୍ପନ

ରାଷ୍ଟ୍ରପତି ନିର୍ବାଚନରେ ବିଧାୟକ ମହମ୍ମଦ ମୋକିମଙ୍କ ଏଭଳି ପଦକ୍ଷେପ ପରେ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଅନ୍ୟ କଂଗ୍ରେସ ବିଧାୟକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜ୍ୟ କଂଗ୍ରେସରେ ଏକ ପ୍ରକାର କମ୍ପନ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଦଳ ଯାହା ବିଚାର କରିବ, ସେହି ଅନୁସାରେ ନିଷ୍ପତ୍ତି ନିଆଯିବ। ସେହିପରି ଦଳୀୟ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଯେ, ଜଣେ ଶୃଙ୍ଖଳିତ ସଭ୍ୟ ଭାବେ ମୋକିମ ଦଳର ନିଷ୍ପତ୍ତି ପ୍ରକାରେ ଭୋଟ୍‌ ଦେବା କଥା। କିନ୍ତୁ ଯାହା ଘଟିଲା, ତାହା ଦୁର୍ଭାଗ୍ୟଜନକ ଘଟଣା। ହାଇକମାଣ୍ଡଙ୍କୁ ଏ ବିଷୟରେ ଅବଗତ କରାଯିବ।

ଅନ୍ୟପକ୍ଷେ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ମୋକିମଙ୍କ ଏହି ପଦକ୍ଷେପକୁ ନିନ୍ଦା କରି କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା।ମୋକିମ ପାର୍ଟି ଛାଡ଼ିବେନି ତ?

ରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟ କଂଗ୍ରେସ ୯ ଜଣ ବିଧାୟକଙ୍କ ମଧ୍ୟରୁ ୮ ଜଣ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନାଙ୍କୁ ଭୋଟ୍ ଦେଇଛନ୍ତି। କିନ୍ତୁ ଏକା ମହମ୍ମଦ ମୋକିମ ଏନ୍‌ଡିଏ ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ସପକ୍ଷରେ ନିଜର ମତଦାନ କରିଛନ୍ତି। ଏହି ଘଟଣା ପରେ ରାଜ୍ୟ କଂଗ୍ରେସରେ ଥିବା ଭିତିର ଫାଟ ସାମ୍ନାକୁ ଆସିଥିବା କୁହାଯାଉଛି।

ଅନ୍ୟପକ୍ଷେ ଦଳୀୟ ନିଷ୍ପତ୍ତିକୁ ଅମାନ୍ୟ କରି ମୋକିମ କାହିଁକି ଏହି ପଦକ୍ଷେପ ନେଲେ ତାକୁ ରାଜ୍ୟ ରାଜନୀତି ମହଲରେ ବିଭିନ୍ନ କଥା ଉଠିଲାଣି। ମୋକିମଙ୍କ ଏହି କ୍ରସ୍ ଭୋଟିଂ ପରେ ସେ ଯେ ଆଉ କଂଗ୍ରେସ ଦଳରେ ସନ୍ତୁଷ୍ଟ ନାହାନ୍ତି ତାହା ସ୍ପଷ୍ଟ ବାରି ହୋଇ ପଡୁଥିବା ରାଜନୀତି ପଣ୍ଡିତମାନେ ମତ ରଖିଛନ୍ତି। ତେଣୁ ମୋକିମ କଂଗ୍ରେସକୁ ବାଏ ବାଏ କରିପାରନ୍ତି ବୋଲି ଏବେ ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।

ଏଭଳି ଚର୍ଚ୍ଚା ପଛରେ କାରଣ ମଧ୍ୟ ରହିଛି। ନିକଟରେ ରାଜ୍ୟ କଂଗ୍ରେସର ମୁଖିଆ ପଦ ପାଇଁ ରେସ୍‌ରେ ଥିଲେ ମହମ୍ମଦ ମୋକିମ। ନିରଞ୍ଜନ ପଟ୍ଟନାୟକଙ୍କ ପରେ ହାଇକମାଣ୍ଡ ମୋକିମଙ୍କୁ ପିସିସି ସଭାପତି କରିବେ ବୋଲି ମୋକିମଙ୍କ ସମର୍ଥକମାନେ ଆଶା ରଖିଥିଲେ। ହେଲେ ଶରତ ପଟ୍ଟନାୟକଙ୍କୁ ପିସିସି ପଦରେ ବସାଇଲେ ହାଇକମାଣ୍ଡ। ଏହାପରେ ଦଳ ପ୍ରତି ମୋକିମ ବିମୁଖ ଥିବା କୁହାଯାଉଛି। ଏଣୁ ନୂଆ ପିସିସି ସଭାପତିଙ୍କ ପ୍ରଥମ ବୈଠକ ‘ନବ ସଂକଳ୍ପ ସମାବେଶ’ରେ ମୋକିମ ଉପସ୍ଥିତ ନଥିଲେ। ଏପରିକି କଂଗ୍ରେସ ଭବନରେ ଅନୁଷ୍ଠିତ ସଭାପତି ସମ୍ବର୍ଦ୍ଧନା ଉତ୍ସବରେ ମଧ୍ୟ ମୋକିମଙ୍କୁ ଦେଖିବାକୁ ମିଳିନଥିଲା। ସେହିପରି କିଛିଦିନ ତଳେ କଂଗ୍ରେସ ବିଧାୟକ ଦଳ ସମ୍ପାଦକ ପଦରୁ ମଧ୍ୟ ସେ ଇସ୍ତଫା ଦେଇଥିଲେ। ଏଭଳି ଏକାଧିକ ଘଟଣା ପରେ ମୋକିମ ଆଉ କଂଗ୍ରେସ ମଧ୍ୟରେ ଯେ କିଛି ଗୋଳମାଳିଆ ଚାଲିଛି ତାହା ସ୍ପଷ୍ଟ ହୋଇଛି, ଯାହା ତାଙ୍କ ଦଳ ବଦଳ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ନବୀନଙ୍କ ଅପିଲ୍ ରଖିଲେ କି ମୋକିମ?

ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁ ଜଣେ ଓଡ଼ିଆ ଝିଅ ହୋଇଥିବାରୁ ତାଙ୍କୁ ଦଳଗତ ନିର୍ବିଶେଷରେ ସମର୍ଥନ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ବିଧାୟକଙ୍କୁ ଅପିଲ୍ କରିଥିଲେ। ଏଥିଲାଗି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ କଂଗ୍ରେସର ସମସ୍ତ ୯ ବିଧାୟକଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ ମଧ୍ୟ କରାଯାଇଥିଲା। ତେଣୁ ନବୀନଙ୍କ ଅପିଲ୍‌କୁ ସମ୍ମାନ ଦେଇ ମାଟିର ଝିଅ ଦୌପଦୀ ମୁର୍ମୁଙ୍କୁ ମୋକିମ ସମର୍ଥନ ଜଣାଇଛନ୍ତି ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି।

ଦୌପଦୀଙ୍କୁ ଭୋଟ୍ ଦେବାକୁ ମୋକିମଙ୍କୁ ମନାଇଲେ ଝିଅ ସୋଫିଆ!

ଗୋଟିଏ ପଟେ ରାଷ୍ଟ୍ରପତି ନିର୍ବାଚନରେ ବିଧାୟକ ମହମ୍ମଦ ମୋକିମଙ୍କ ଏଭଳି ଅପ୍ରତ୍ୟାଶିତ ପଦକ୍ଷେପକୁ ନେଇ ରାଜନୀତିକ ବୟାନବାଜି ଚାଲିଥିବା ବେଳେ ତେଣେ ସୋସିଆଲ ମିଡିଆରେ ଆଉ ଏକ ଚର୍ଚ୍ଚାର ସୁତ୍ରପାତ ହୋଇଛି। ଏନ୍‌ଡିଏ ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ୍ ଦେବା ଲାଗି ଝିଅ ସୋଫିଆ ଫିର୍ଦୁସ ମୋକିମଙ୍କୁ ମନାଇଛନ୍ତି ବୋଲି କୁହାଯାଉଛି।

ନିକଟରେ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦୁସ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏକ ପୋଷ୍ଟ କରିଥିଲେ। ଏଥିରେ ସେ ଲେଖିଥିଲେ ଯେ, “ଦୌପଦୀ ମୁର୍ମୁଙ୍କୁ ଆଗାମୀ ରାଷ୍ଟ୍ରପତି ଭାବେ ଦେଖିବାକୁ ସମସ୍ତ ଓଡ଼ିଆ ଅପେକ୍ଷା କରିଛନ୍ତି।”

ସୋଫିଆଙ୍କ ଏହି ପୋଷ୍ଟରେ ଉତ୍ତର ଦେଇ ଜଣେ ବ୍ୟକ୍ତି କହିଥିଲେ, ଦୌପଦୀଙ୍କୁ ଭୋଟ୍ ଦେବାପାଇଁ ଆପଣ ଆପଣଙ୍କ ବାପାଙ୍କୁ କାହିଁ କହୁନାହାନ୍ତି। ଏହାର ଉତ୍ତରରେ ସୋଫିଆ ଲେଖିଥିଲେ, ‘ଆଇ ଓ୍ଵିଲ୍’।

Tags: #MohammedMoquim #Congress #PresidentElection2022 #PresidentofIndia #OdishaPolitics #ମହମ୍ମଦମୋକିମ #କଂଗ୍ରେସ #ରାଷ୍ଟ୍ରପତିନିର୍ବାଚନ

Comment