ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏମିତି କିଛି ଗାଁ ରହିଛି ଯାହାର ପରାମ୍ପରା ଏବଂ ଇତିହାସ ଶୁଣିଲେ ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ବୌଦ୍ଧ ଜିଲ୍ଲାରେ ସେମିତି କିଛି ନିଆରା ପରମ୍ପରାର ଗାଁ ରହିଛି। ଏହି ଗାଁଗୁଡ଼ିକରେ ରହିଥିବା ପରମ୍ପରା ବିସ୍ମୟ କରେ ସତ, ହେଲେ ସେଠାକାର ଲୋକେ ଏହାକୁ ବର୍ଷ ବର୍ଷ ଧରି ସମ୍ମାନ ଦେଇ ଆସୁଛନ୍ତି।

(ବୌଦ୍ଧରୁ ଶାଶ୍ଵତ ଦେବବ୍ରତ ଦାଶ): ଗାଁକୁ ସମ୍ପୂର୍ଣ୍ଣ ମନା କଳା ରଙ୍ଗ। ଏଠି ଲୋକେ ନା କଳା ରଙ୍ଗ ବ୍ୟବହାର କରନ୍ତି, ନା ଗାଁ ଭିତରକୁ ଆଣନ୍ତି। କେବଳ ଏତିକି ନୁହେଁ ଏହି ଗାଁର ଝିଅ ବୋହୂଙ୍କୁ କାଚ ଚୁଡ଼ି ପିନ୍ଧିବାକୁ ବାରଣ କରାଯାଇଛି। କାହିଁ କେତେ ବର୍ଷରୁ ଚାଲିଆସୁଛି ଏହି ପରମ୍ପରା। ଏଠାକାର ଲୋକଙ୍କ ବିଶ୍ଵାସ ରହିଛି, ଯିଏ ନିୟମ ଭାଙ୍ଗେ ତାକୁ ଭଗବାନ ଦଣ୍ଡ ଦିଅନ୍ତି। ଏହିଭଳି ନିଆରା ପରମ୍ପାରା ଏବଂ ଇତିହାସ ଦେଖିବାକୁ ମିଳେ ବୌଦ୍ଧ ଜିଲ୍ଲା ପାଡ଼େଣୀଗଡ଼ ପଞ୍ଚାୟତ ଅନ୍ତର୍ଗତ କଣ୍ଡରା, ବାଙ୍କପାଜୁ, କାଚପାଜୁ, ସୁଲୁକେଟି ଏବଂ କଣ୍ଡପାଜୁ ଗାଁରେ।

ବୌଦ୍ଧ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକରେ ଏବେ ବି ରହିଛି ଅନେକ ଆଦିମ ପରମ୍ପରା ଓ ଇତିହାସ। ସମ୍ପ୍ରଦାୟ ଅନୁଯାୟୀ ଦେବଦେବୀ ଭିନ୍ନ ଭିନ୍ନ ହୋଇଥାନ୍ତି ଏବଂ ପୂଜା ପଦ୍ଧତିରେ ମଧ୍ୟ ଭିନ୍ନତା ଓ ସ୍ଵତନ୍ତ୍ରତା ଦେଖିବାକୁ ମିଳେ। ଏଠି ଆଦିବାସୀମାନଙ୍କ ବିଶ୍ୱାସର ପ୍ରତୀକ ସାଜିଛନ୍ତି ମା’ ପିତାବଳୀ ଠାକୁରାଣୀ। ବୌଦ୍ଧ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ୫ ଖଣ୍ଡ ଗାଁରେ ରହିଛି ଲୋକଙ୍କୁ ଚକିତ କରିବା ଭଳି ନିଆରା ପରମ୍ପରା ଓ ବିଶ୍ୱାସ। ଆଜି ବି ଏହି ଗାଁଗୁଡ଼ିକରେ ଲୋକମାନେ କଳା ରଙ୍ଗର କାଚ ଚୁଡ଼ି, କଳା ପଶୁପକ୍ଷୀ, କଳାବସ୍ତ୍ର, ଏପରିକି କଳା ଛତା ମଧ୍ୟ ଘରେ ରଖନ୍ତି ନାହିଁ।

ଘଞ୍ଚ ଜଙ୍ଗଲ ମଝିରେ ପାଦଚଲା ରାସ୍ତା ଦେଇ ପ୍ରାୟ ୮ଟି ପାହାଡ଼ ଓ ୫ଟି ଜଙ୍ଗଲ ଏବଂ ନାଳ ଡେଇଁ ଯିବାକୁ ପଡ଼େ ଆଡ଼େଣୀଗଡ଼ ପଞ୍ଚାୟତର କଣ୍ଡରା, ବାଙ୍କପାଜୁ, କାଚପାଜୁ, ସୁଲୁକେଟି ଓ କଣ୍ଡପାଜୁ ଗାଁକୁ। ଏହି ଗାଁଗୁଡ଼ିକ ବଡ଼ ହୋଇନଥିଲେ ମଧ୍ୟ ଏଠାକାର ପରମ୍ପରାକୁ ନେଇ ବେଶ ପରିଚିତ। ବର୍ଷ ବର୍ଷର ପରମ୍ପରାକୁ ସାଇତି ରଖିଛନ୍ତି ଗ୍ରାମବାସୀ। ଗାଁ ମୁଣ୍ଡରେ ଥିବା ବରଗଛ ମୂଳେ ଗ୍ରାମଦେବତୀ ଭାବେ ପୂଜା ପାଆନ୍ତି ମା’ ପିତାବଳୀ।

“ଜନବସତି ଆରମ୍ଭ ହେବା ଦିନଠାରୁ ଏଠାରେ ଝିଅ ବୋହୁମାନେ କାଚ ଚୁଡ଼ି ପିନ୍ଧନ୍ତି ନାହିଁ। ଯିଏ ପରମ୍ପରା ନମାନି କାଚର ଚୁଡ଼ି ପିନ୍ଧିଥାନ୍ତି, ରାତିରେ ଶୋଇବା ସମୟରେ ଏହି ଚୁଡ଼ି ଭାଙ୍ଗିଯାଇ ମୁଣ୍ଡ ପାଖରେ ପଡ଼ିଥାଏ। ଘରକୁ ବିପଦ ମଧ୍ୟ ଆସିଥାଏ। ମା’ ପିତାବଳୀଙ୍କୁ ସମ୍ମାନ ଦେଇ ଆଜି ବି ଗାଁର ଝିଅ ବୋହୂ କାଚ ଚୁଡ଼ି ପିନ୍ଧନ୍ତି ନାହି”, କୁହନ୍ତି କାଚପାଜୁ ଗ୍ରାମର ସଭାପତି ଅଗସ୍ତି ମଲ୍ଲିକ।

ଗ୍ରାମର ନଟବର ମଲ୍ଲିକ କୁହନ୍ତି, “ଆମ ଦେବତା ମା’ ପିତାବଳୀଙ୍କୁ ମାନି ଆମେ ଯାହାକୁ ବିବାହ କରିଥାଉ ତାଙ୍କୁ କାଚ ଚୁଡ଼ି ବଦଳରେ ଧାତୁ କିମ୍ବା ଶିଙ୍ଘରେ ତିଆରି ହୋଇଥିବା ଚୁଡ଼ି ପିନ୍ଧାଇ ଘରକୁ ଆଣିଥାଉ। ଏହି ପରମ୍ପରା କାହିଁ କେଉଁ କାଳରୁ ରହି ଆସୁଛି।”

ଗ୍ରାମରେ  ଚାଲିଥିବା ଏହି ପରମ୍ପରାକୁ ଆଜିର ଯୁବପିଢ଼ି ମଧ୍ୟ ପାଳନ କରୁଛନ୍ତି। ଗ୍ରାମକୁ କାଚ ଚୁଡ଼ି ପଶେ ନାହିଁ। ଘରେ କେହି କଳା କୁକୁର, ଗାଈ, ଚଢ଼େଇ ଆଦି ରଖନ୍ତିନାହିଁ ବୋଲି ଗ୍ରାମର ଅଚ୍ୟୁତାନ୍ଦ ନାୟକ କହିଛନ୍ତି।

ବର୍ଷ ବର୍ଷ ଧରି ଚାଲିଆସୁଥିବା ଏହି ପରମ୍ପରା ଅନୁଯାୟୀ ପାଞ୍ଚ ଖଣ୍ଡ ଗାଁର ଲୋକେ ନବବଧୂଟିଏ ଘରକୁ ଆଣିଲେ ତାଙ୍କୁ କାଚ ଚୁଡ଼ି ବଦଳରେ ଧାତୁ ଚୁଡ଼ି ପିନ୍ଧାଇଥାନ୍ତି। ଏହି ଗ୍ରାମର ଲୋକେ ନିଜ ପରମ୍ପରାକୁ ମାନି ଚଳୁଥିବାବେଳେ ଜନଜାତି ସମ୍ପ୍ରଦାୟର ଲୋକଙ୍କ ଉପରେ ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି ବୋଲି ସଂସ୍କୃତି ଗବେଷକମାନେ ମତ ଦେଇଛନ୍ତି।

“ବିଂଶ ଶତାବ୍ଦୀର ଆଧୁନିକତା ବର୍ତ୍ତମାନ ସେଠାରେ ପହଞ୍ଚି ପାରିନାହିଁ। ଆଜି ବି ସେମାନେ ନିଜ ଆଦିମ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି। ସେଠାକାର ଆଦିବାସୀ ମହିଳାମାନେ ନିଜ ପରମ୍ପରାକୁ ସମ୍ମାନ ଦେଇ କାଚ ଚୁଡ଼ି ଓ କଳା ରଙ୍ଗର ପଶୁ ରଖନ୍ତି ନାହିଁ କିମ୍ବା ପୋଷାକ ପରିଧାନ କରନ୍ତି ନାହିଁ। ଆଜିର ଦିନରେ ଏହି ପରମ୍ପରାର ଅଧିକ ଗବେଷଣା ଜରୁରୀ”, କୁହନ୍ତି ସଂସ୍କୃତି ଗବେଷକ ସତ୍ୟନାରାୟଣ ପାଣି।

ବର୍ତ୍ତମାନ ସମୟରେ ମଣିଷ ମଙ୍ଗଳ ଗ୍ରହରେ ପଦ ରଖିବା ସହ ଚନ୍ଦ୍ରରେ ଘର କରିବା କଥା ଚିନ୍ତା କଲାଣି। ତଥାପି ଓଡ଼ିଶାର ଅନେକ ଅଞ୍ଚଳର ଲୋକେ ନିଜର ଇତିହାସ ଏବଂ ପୁରୁଣା ପରମ୍ପରାରକୁ ଜାବୁଡ଼ି ଧରିଛନ୍ତି।

Tags: #UniqueTraditions #Tradition #Boudh #Adenigarh #Culture #BlackBan

Comment