ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଏଏସଓ ପରୀକ୍ଷାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି, “ଏଏସଓ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଭିତ୍ତିହୀନ ଏବଂ ସ୍ୱଚ୍ଛତାର ସହ ହୋଇଛି ଏହି ପରୀକ୍ଷା। ମେଧା ହିଁ ଚୟନର ଆଧାର। ରିକ୍ସା ବାଲା, ଦିନ ମଜୁରିଆଙ୍କ ପିଲା ମଧ୍ୟ ମେଧାଭିତ୍ତିକ ପରୀକ୍ଷାରେ କୃତକାର୍ଯ୍ୟ ହେଉଛନ୍ତି ।”

ଚଳିତବର୍ଷ ମୋଟ୍ ୭୯୬ ପୋଷ୍ଟ ପାଇଁ ଦୁଇସ୍ତରୀୟ ଓପିଏସସି ପକ୍ଷରୁ ଏଏସଓ ପରୀକ୍ଷା କରାଯାଇଥିଲା। ଏଥର ଏଏସଓ ପରୀକ୍ଷାରେ ପ୍ରାୟ ଦେଢ଼ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ । ପ୍ରଥମ ଷ୍ଟେଜରେ ୪ଟି ପେପରରେ ୪୦୦ ମାର୍କର ପରୀକ୍ଷା ହୋଇଥିଲା । ଏଥିରେ ଯୋଗ୍ୟ ବିବେଚିତ ପିଲାଙ୍କର ଦକ୍ଷତା ପରୀକ୍ଷା ହୋଇଛି । ପ୍ରଥମ ଷ୍ଟେଜରୁ ଦେଢ଼ ଗୁଣା ପିଲାଙ୍କୁ ଦକ୍ଷତା ପରୀକ୍ଷା ପାଇଁ ଚୟନ କରାଯାଇଛି । ପାଖାପାଖି ୮ଶହ ପୋଷ୍ଟ ଥିବାରୁ ୧୨ଶହ ପିଲାଙ୍କୁ ହିଁ ଚୟନ କରାଯାଇଛି। ଦକ୍ଷତା ପରୀକ୍ଷାରେ କୃତକାର୍ଯ୍ୟ ପରିକ୍ଷାର୍ଥୀମାନଙ୍କୁ ଚକିରୀ ମିଳିବ।

ରାଜ୍ୟର ମୋଟ୍ ୪୩୩ ସେଣ୍ଟରରେ ଏଏସଓ ପରୀକ୍ଷା ହୋଇଥିଲା । ସବୁ ଜିଲ୍ଲାର ଜିଲ୍ଲାପାଳମାନେ ପରୀକ୍ଷା ଦାୟିତ୍ୱ ନେଇଥିଲେ। ପରୀକ୍ଷା ପରେ ପିଲାମାନେ ନିଜର ଓଏମଆର କପି ନେଇଥିଲେ । ରେଜଲ୍ଟ ବାହାରିବା ପରେ କିଛି ପିଲା ଅସନ୍ତୋଷ ପ୍ରକାଶ କରିଥିଲେ ।

ତେବେ ଏସବୁ ଅଭିଯୋଗ ଭିତ୍ତିହୀନ ବୋଲି ଓପିଏସସି ଅଧ୍ୟକ୍ଷ କହିଛନ୍ତି । ଘଟଣାର ସତ୍ୟତା ନଥାଇ ମିଥ୍ୟା ପ୍ରଘଟକୁ ନିନ୍ଦା କରିଛନ୍ତି। ଫାଇନାଲ ରେଜଲ୍ଟ ବାହାରିବା ପରେ ସବୁ ପିଲାଙ୍କ ଉତ୍ତର ଖାତା ଅପଲୋଡ ହେବ ବୋଲି ଓପିଏସସି ପକ୍ଷରୁ କୁହାଯାଇଛି।

Tags: #Asoexamresult #Clarification #OPSC #OPSCChairman #Odisha

 

Comment