ଓଡ଼ିଶାଲାଇଭ୍ ବ୍ୟୁରୋ

ସକାଳ ୮ଟାରୁ ଆରମ୍ଭ ହୋଇସାରିଛି ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ୍ ଗଣତି। ଗୁଜରାଟରେ ବିଜେପି ୧୪୬ ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୨୪ ଆସନ ଆଗୁଆ ରହିଛି। ସେହିଭଳି ହିମାଚଳ ପ୍ରଦେଶରେ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳୁଛି। ହିମାଚଳ ପ୍ରଦେଶରେ ବିଜେପି ୩୪ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୩୧ଟି ଆସନରେ ଆଗୁଆ ରହିଛି।

ଗୁଜରାଟରେ ମୋଟ ୧୮୨ ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ହେଉଛି। ବିଜେପି ୨୭ ବର୍ଷ ଧରି ଗୁଜରାଟରେ ଶାସନ କରିଆସୁଛି। ସପ୍ତମ ଥର ପାଇଁ ମଧ୍ୟ ବିଜେପି କ୍ଷମତା ବଜାୟ ରଖିବ ବୋଲି ଆଶାୟୀ ରହିଛି। ବିଜେପି ଗୁଜରାଟରେ ବିପୁଳ ଜନମତ ହାସଲ କରିବ ବୋଲି ବିଭିନ୍ନ ଏଗଜିଟ୍ ପୋଲ ଗୁଡ଼ିକ ଦର୍ଶାଇଛନ୍ତି। ଗୁଜରାଟରେ ଶାସକ ବିଜେପି ୧୧୭ରୁ ୧୫୧ ଆସନ ଜିତିବା ନେଇ ଆକଳନ ହୋଇଛି। କଂଗ୍ରେସକୁ ୧୬ରୁ ୫୧ ଆସନ ଏବଂ ଆପ୍ ୨ରୁ ୧୩ ଆସନ ଜିତିପାରେ ବୋଲି ପୂର୍ବାନୁମାନ କରାଯାଇଛି।

ସେହିଭଳି ହିମାଚଳ ପ୍ରଦେଶରେ ମୋଟ ୬୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ହେଉଛି। ହିମାଚଳରେ ବିଜେପି ଓ କଂଗ୍ରେସ ମଧ୍ୟ କଡ଼ା ଟକ୍କର ହେବ ବୋଲି ଏଗଜିଟ୍ ପୋଲଗୁଡ଼ିକ ଆକଳନ କରିଛନ୍ତି। ଯଦି ବିଜେପି ହିମାଚଳରେ ପୁଣି ସରକାର ଗଠନ କରେ, ତାହେଲେ ଏହା ରେକର୍ଡ ସୃଷ୍ଟି କରିବ।

ଏହାବ୍ୟତୀତ ଉତ୍ତରପ୍ରଦେଶର ମୈନପୁର ଲୋକସଭା ଆସନ ଏବଂ ୫ ରାଜ୍ୟର ୬ ବିଧାନସଭା ଆସନର ମଧ୍ୟ ଭୋଟ୍ ଗଣତି ହେବ। ଏହି ବିଧାନସଭା ଆସନ ଗୁଡ଼ିକ ଉତ୍ତରପ୍ରଦେଶ, ଓଡ଼ିଶା, ରାଜସ୍ଥାନ, ବିହାର ଓ ଛତିଶଗଡ଼ରେ ରହିଛି। ଭୋଟ୍ ଗଣନା ସମୟରେ ମୋବାଇଲ ଫୋନ, ଆଇପ୍ୟାଡ, ଲାପଟପ ଏବଂ ଅନ୍ୟ ରେକର୍ଡିଂ ଡିଭାଇସକୁ ବ୍ୟାନ କରାଯାଇଛି।

Tags: #GujaratAssemblyElectionCounting #HimachalPradeshAssemblyElectionCounting #VoteCounting

Comment