ଓଡ଼ିଶାଲାଇଭ୍ ବ୍ୟୁରୋ

 

 

ଭାରତୀୟ ନିର୍ବାଚନ ଆୟୋଗ ପ୍ରବାସୀ ଭୋଟରଙ୍କୁ ଦୃଷ୍ଟିରେ ରଖି ଏକ ରିମୋଟ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଆରଭିଏମ) ବିକଶିତ କରିଛି। ଏବେ ପରୀକ୍ଷାମୂଳକ ଭାବେ ଏହି  ରିମୋଟ ଭୋଟିଂ ବ୍ୟବସ୍ଥା ଲାଗୁ ପ୍ରସ୍ତୁତ ହେଉଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ନିର୍ବାଚନରେ ​​ଭୋଟରଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଲକ୍ଷ୍ୟରେ ନିର୍ବାଚନ ଆୟୋଗ ଏହି ପଦକ୍ଷେପ ନେଇଛନ୍ତି।

ବର୍ତ୍ତମାନ ଭୋଟରଙ୍କୁ ଭୋଟ୍ ଦେବା ପାଇଁ ନିଜ ନିର୍ବାଚନମଣ୍ଡଳୀକୁ ଯିବାକୁ ପଡ଼ୁଛି କିନ୍ତୁ ଆରଭିଏମ ସହାୟତାରେ ସେମାନେ  ଅନ୍ୟ ସ୍ଥାନରେ ଥାଇ ମଧ୍ୟ ଭୋଟ୍ ଦେବାକୁ ସମର୍ଥ ହେବେ। ନିର୍ବାଚନ ଆୟୋଗ ଏହି ‘ରିମୋଟ୍ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍’ର ଏକ ପାଇଲଟ୍ ମଡେଲ୍ ପ୍ରସ୍ତୁତ କରିଛି। ଏହି ମେସିନ ପୋଲିଂ ବୁଥରୁ ୭୨ଟି ଅଲଗା ଆଲଗା ସ୍ଥାନରେ ଭୋଟିଂ କରିପାରିବ। ବର୍ତ୍ତମାନ ବ୍ୟବହୃତ ହେଉଥିବା ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଭଳି ‘ଆରଭିଏମ’ ଇଣ୍ଟରନେଟ୍ ସହିତ ସଂଯୁକ୍ତ ହେବ ନାହିଁ । ବିଭିନ୍ନ ଭୋଟରଙ୍କ ମତାମତ ଏବଂ ପ୍ରୋଟୋଟାଇପ୍ ମେସିନର ପ୍ରଦର୍ଶନ ଉପରେ ଆଧାର କରି ନିର୍ବାଚନ ଆୟୋଗ ଆରଭିଏମ ବାହାର କରିଛନ୍ତି।

ଏହି ପାଇଲଟ ରିମୋଟ ଭୋଟିଂ ମେସିନର ପ୍ରଦର୍ଶନ ପାଇଁ ନିର୍ବାଚନ ଆୟୋଗ ୨୦୨୩ ଜାନୁଆରି ୧୬ ତାରିଖରେ ୮ଟି ରାଷ୍ଟ୍ରୀୟ ଦଳ ଏବଂ ୫୭ଟି ରାଜ୍ୟସ୍ତରୀୟ ଦଳଙ୍କୁ ଆମନ୍ତ୍ରଣ କରିଛନ୍ତି। ଏହି ସମୟରେ ଆୟୋଗର ଟେକନିକାଲ ଟିମ୍ ଏବଂ ବିଶେଷଜ୍ଞ ମଧ୍ୟ ସେଠାରେ ଉପସ୍ଥିତ ରହିବେ। ଏହା କେଉଁଭଳି ପରିଚାଳନା ସେ ବାବଦରେ ସମସ୍ତ ଦଳଙ୍କୁ ଅବଗତ କରାଯିବ। ଆୟୋଗ ‘ରିମୋଟ୍ ଭୋଟିଂ’କୁ ଲାଗୁ କରିବାରେ ଆଇନଗତ, ପ୍ରଶାସନିକ, ପ୍ରକ୍ରିୟାଗତ, ବୈଷୟିକ ବିଷୟ ଉପରେ ରାଜନୈତିକ ଦଳ‌ ଗୁଡ଼ିକର ମତାମତ ଲୋଡ଼ିଛି।

“ପ୍ରବାସୀ ଭୋଟରମାନଙ୍କ ଅସୁବିଧାକୁ ଦୂର କରିବା ଏବଂ ଅନେକ ଭୋଟରଙ୍କ ମତାମତରେ ଏହି ରିମୋଟ ଭୋଟିଂ ମେସିନର ବ୍ୟବସ୍ଥା କରାଯାଇଛି। ଏହା ନିର୍ବାଚନରେ ଅଧିକ ପ୍ରତିଶତ ମତଦାନ କରିବାରେ ସହାୟକ ହେବ”, କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।

୨୦୧୯ ସାଧାରଣ ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ୬୭.୪ ପ୍ରତିଶତ ଥିଲା ଏବଂ ଭାରତର ପ୍ରାୟ ୩୦ କୋଟିରୁ ଅଧିକ ଭୋଟର ବିଭିନ୍ନ କାରଣରୁ ମତଦାନ କରିନଥିଲେ। ପ୍ରବାସୀ ଭୋଟରଙ୍କୁ ହେଉଥିବା ଅସୁବିଧାକୁ ଦୂର କରିବା ପାଇଁ  ନିର୍ବାଚନ ଆୟୋଗ ଏବେ ରିମୋଟ ଭୋଟିଂର ବ୍ୟବସ୍ଥା ବିକଶିତ କରୁଛନ୍ତି।

Tags: #ElectionCommissionofIndia #RVM #Remotevoting #Voters #India

Comment