ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଭୁବନେଶ୍ଵର ଏବଂ ରାଉରକେଲାଠାରେ ଆୟୋଜିତ ହୋଇଥିବା ହକି ବିଶ୍ଵକପ ୨୦୨୩କୁ ନେଇ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ହକି ପ୍ରେମୀଙ୍କୁ ମିଳିପାରୁ ନାହିଁ ଟିକେଟ କିମ୍ବା ପାସ। ହକି ଟିକେଟ କଳାବଜାରୀ କରିବା ଅଭିଯୋଗରେ ବୁଧବାର ଦିନ ୫ ଜଣଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ। ସେମାନଙ୍କଠାରୁ ୩୫ଟି ବିଶ୍ଵ କପ୍ ହକି ଟିକେଟ ଏବଂ ୩୫ ହଜାର ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ସହିଦ ନଗର ଅଞ୍ଚଳର ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ପ୍ରତୀକ ସିଂ।

ମ୍ୟାଚ ପୂର୍ବରୁ କିଛି ବ୍ୟକ୍ତି ଟିକେଟ କିଣି ଏବେ ୧୦ ଗୁଣା ଅଧିକ ମୂଲ୍ୟରେ ଏହାକୁ ବିକ୍ରି କରୁଛନ୍ତି। ଏପଟେ ହକି ବିଶ୍ଵକପ ମ୍ୟାଚ ଦେଖିବାକୁ ଉତ୍କଣ୍ଠାର ସହ ଚାହିଁ ରହିଥିବା ଦର୍ଶକଙ୍କୁ ଟିକେଟ କିମ୍ବା ପାସ ମିଳୁନାହିଁ। ଅଧିକ ମୂଲ୍ୟରେ ସୋସିଆଲ ମିଡିଆରେ ହକି ଟିକେଟ ବିକ୍ରି କରାଯାଉଥିବା ଅଭିଯୋଗ ପାଇବା ପରେ କମିଶନରେଟ ପୋଲିସ ପକ୍ଷରୁ ଟିମ ଗଠନ କରାଯାଇ କଳାବଜାରୀ କରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଥିଲା। ହକି ଟିକେଟ କଳାବଜାରୀ କରିବା ଅଭିଯୋଗରେ ଆଜି ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଥାନାରେ ପଚରା ଉଚରା କରାଯାଉଛି।

କେବଳ ହକି ବିଶ୍ଵକପ ଟିକେଟ ନୁହେଁ ବିଭିନ୍ନ ଇଭେଣ୍ଟର ଟିକେଟ ଏବଂ ପାସର ମଧ୍ୟ କଳାବଜାରୀ ହେଉଛି। ଏହା ଉପରେ କଡ଼ା ନଜର ରଖାଯାଇଥିବା କହିଛନ୍ତି ଡିସିପି ପ୍ରତୀକ ସିଂ।

Tags: #HockeyWorldCup2023 #HockeyTicket #BlackMarketing#FiveArrested

Comment