ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛି। ରାଜ୍ୟରେ ବିଭିନ୍ନ ସହରରେ ତାପମାତ୍ରା ବୃଦ୍ଧି ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହେଉଛି। ଶୁକ୍ରବାର ବିଶ୍ଵର ୧୦ଟି ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୨ଟି ସହର ସ୍ଥାନ ପାଇଛି। ୪୪ ଡିଗ୍ରୀ ତାପମାତ୍ରା ସହ ବାରିପଦା ବିଶ୍ଵର ଦ୍ଵିତୀୟ ଉତ୍ତପ୍ତ ସହର ପାଲଟିଛି। ସେହିପରି ୪୨.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ନବମ ସ୍ଥାନରେ ରହିଛି।

ଶୁକ୍ରବାର ଓଡ଼ିଶାର ୨୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଓଡ଼ିଶାର ତାଳଚେରରେ  ୪୨.୬ ଡିଗ୍ରୀ, ବୌଦ୍ଧ  ଓ ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ , ସମ୍ବଲପୁର ଓ ବଲାଙ୍ଗୀରରେ  ୪୨.୨ ଡିଗ୍ରୀ, ଅନୁଗୁଳ ଓ ସୁବର୍ଣ୍ଣପୁରରେ ୪୨.୧ ଡିଗ୍ରୀ, କଟକରେ ୪୧.୨ ଡିଗ୍ରୀ ଓ ଭୁବନେଶ୍ଵରରେ ୪୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଓଡ଼ିଶାକୁ ଉତ୍ତର ପଶ୍ଚିମ ଦିଗରୁ କ୍ରମାଗତ ଭାବେ ଶୁଷ୍କ ଓ ଗରମ ପବନ ଆସୁଥିବାରୁ ରାଜ୍ୟର ତାପମାତ୍ରା ବଢ଼ୁଛି। ଅନ୍ୟପଟେ ଆଉ ଦିନେ ଦୁଇ ଦିନ ଯାଏଁ ଏଭଳି ସ୍ଥିତି ଜାରି ରହିବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଶନିବାର ଦିନ ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ ଓ ଦେବଗଡ଼ ଜିଲ୍ଲାରେ ହିଟ ୱେଭ୍ ଆସିବାର ସମ୍ଭାବନା ରହିଛି। ଏଥିଲାଗି ଏହି ଜିଲ୍ଲାଗୁଡ଼ିକରେ ସତର୍କତା ଜାରି କରାଯାଇଛି।

ଅନ୍ୟପଟେ ଏପ୍ରିଲ ୧୭ ତାରିଖରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ପୂର୍ବାନୁମାନ କରାଯାଇଛି। ଏହାଫଳରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି। ବର୍ଷା ହେବା ଫଳରେ ରାଜ୍ୟରେ ତାପମାତ୍ରା କମିବ ବୋଲି ଆଶା କରାଯାଉଛି।

Tags: #WeatherUpdates #SummerHeat #HeatWave #TemperatureRise #Odisha

Comment