ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସ ନେତା ତଥା ପୂର୍ବତନ ପ୍ରଶାସକ ବିଜୟ କୁମାର ପଟ୍ଟନାୟକ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ନୂଆ ଅଧ୍ୟକ୍ଷ ହୋଇଛନ୍ତି। ଏନେଇ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅନୁମୋଦନ ପରେ ବିଜୟଙ୍କ ନାଁରେ ମୋହର ବାଜିଛି। ଶନିବାର ଦିନ ରାଜ୍ୟ କଂଗ୍ରେସ ପକ୍ଷରୁ ଏହି  ସୂଚନା ଦିଆଯାଇଛି।

ଝାରସୁଗୁଡ଼ା ଉପନିର୍ବାଚନ ଓ ୨୦୨୪ ସାଧରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ କରାଯାଇଛି। ସେ ଆସୁଥିବା ଝାରସୁଗୁଡ଼ା ଉପନିର୍ବାଚନରେ ଦଳର ପ୍ରଚାରର ମଙ୍ଗ ଧରିବେ। କିଛିଦିନ ପୂର୍ବେ କଂଗ୍ରେସ ବିଜୟଙ୍କୁ ଏହି ଉପନିର୍ବାଚନର ଷ୍ଟାର ପ୍ରଚାରକଙ୍କ ତାଲିକାରେ ସାମିଲ କରିଥିଲା।

ବିଜୟ ପଟ୍ଟନାୟକ ଚଳିତବର୍ଷ ଫେବ୍ରୁଆରି ମାସରେ କଂଗ୍ରେସରେ ଯୋଗ ଦେଇଥିଲେ। ସେ ଜଣେ ୧୯୭୬ ବ୍ୟାଚର ଆଇଏଏସ ଅଧିକାରୀ। ତାଙ୍କର ୩୦ ବର୍ଷରୁ ଅଧିକ ପ୍ରଶାସନିକ ଦକ୍ଷତା ରହିଛି। ବିଜୟ ୨୦୦୪ରୁ ୨୦୧୦ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରିଥିଲେ। ସେ ୨୦୧୦ ମସିହାରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ହୋଇଥିଲେ। ଏହାପରେ ୨୦୧୩ ମସିହାରେ ସେ ଅବସର ନେଇଥିଲେ।

Tags: #Congress #BijayKumarPatnaik #CampaignCommitte #Politics #OdishaPolitics

 

Comment